ଆପଣ ତରକାରୀରେ ଅଧିକ ମସଲା ପକାଉଛନ୍ତି କି । ତେବେ ହୋଇ ଯାଆନ୍ତୁ ସତର୍କ ନହେଲେ ମାସିକ ବଜେଟ ଉପରେ ପଡିପାରେ ପ୍ରଭାବ । ମସଲାପାଇଁ ଆବଶ୍ୟକ ହେଉଥିବା ଅଦାର ଦର ବଜାରରେ ବଢିବଢି ଚାଲିଛି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ବର୍ତମାନ ବଜାରରେ ଅଦା ଦର କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧି ଯୋଗୁ ଲୋକମାନେ ଅଦା ବ୍ୟବହାର କମେଇ ଦେଇଥିବା ଦେଖିବାକୁ ମିଳୁଛି । ଅଦା ଚାଷ ପାଇଁ ସ୍ଥାନୀୟ ଅଂଚଳର ଚାଷୀଙ୍କୁ ପ୍ରୋତ୍ସାହନ ଦିଆ ନଯିବାରୁ ଅଦା ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ, ବାହାରେ ରାଜ୍ୟରେ ଉତ୍ପାଦନ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି ।
ଅଦା ବ୍ୟବସାୟଙ୍କ କହିବାଅନୁଶରେ, ଦକ୍ଷିଣ ଓଡିଶାର କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ବହୁଳ ମାତ୍ରାରେ ଅଦା ଚାଷ ହୋଇଥାଏ । ତେଣୁ କଟକ ମାଲଗୋଦାମକୁ ଅଦା ଆସିବା ସହିତ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବଜାରକୁ ଦୈନିକ ୩/୪ ଟନ ଅଦା ଯୋଗାଣ କରାଯାଏ । ମାତ୍ର କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଅମଳ ବେଳେ ଅଦା ସଂରକ୍ଷଣ ପାଇଁ ବ୍ୟବସ୍ଥା ନଥିବାରୁ ଚାଷୀ ବାଧ୍ୟ ହୋଇ କମ୍ ଦରରେ ବେପାରୀଙ୍କୁ ବିକ୍ରି କରି ଦେଇଥିଲେ । ଲୋକାଲ ଅଦା ମିଳୁନଥିବାରୁ ଏବେ ବାହାର ରାଜ୍ୟର ଅଦା ଆସୁଥିବାରୁ ଦର ଆକାଶଛୁଆଁ ହୋଇଛି ।
ଖାଉଟି ଶଙ୍କର ବଳ କୁହନ୍ତି ଖାଉଟିମାନେ ଅଦା କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କା ଦରରେ କିଣୁଛନ୍ତି । ଖୁଚୁରା ୧୦୦ ଗ୍ରାମ ଅଦା କିଣିଲେ ୪୦ ଟଙ୍କା ଦେବାକୁ ପଡୁଛି । ପ୍ରକୃତପକ୍ଷେ ହୋଲସେଲ୍ରେ ଅଦା ଦର ଠାରୁ ଖୁଚୁରା ବ୍ୟବସାୟୀମାନେ ଏହାକୁ ପ୍ରାୟ ୨ଗୁଣା ଅଧିକ ଦରରେ ବିକ୍ରି କରୁଥିବାରୁ ଅଦା ଦର ଆକାଶଛୁଆଁ ହୋଇଛି । ଏହାଦ୍ୱାରା ଖାଉଟିମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡୁଛି ।
ଚାଷୀ ସୁରେନ୍ଦ୍ର ପୁହାଣ କୁହନ୍ତି କେନ୍ଦ୍ରାପଡା ଜିଲ୍ଲା ମୁଗବାଡି, ନିକିରାଇ,ବାରିମୁଳ ଓ ନାଗେଶ୍ୱରପୁରରେ ଅଦା ଚାଷ ପାଇଁ ଉଦ୍ଧିଷ୍ଠ ଜମି ପ୍ରଯ୍ୟାପ୍ତ ପରିମାଣରେ ଅଛି । ମାତ୍ର ପ୍ରୋତ୍ସାହନ ଅଭାବରୁ ଏଠାରେ ଅଦା ଚାଷ ହୋଇପାରୁନାହିଁ । ପାଖାପାଖି ପ୍ରୟ ୧୦ ଏକର ଜମିର ଚାଷୀ ଅଦା ଚାଷ କରନ୍ତି । ମାତ୍ର ପ୍ରୋତ୍ସାହନ ଅଭାବରୁ ଅଦା ଚାଷ କରୁଥିବା ଚାଷୀ ସବୁ ବେଳେ କ୍ଷତି ସହୁଛନ୍ତି । ଅମଳ ବେଳେ ଯେଉଁ ଅଦା କିଲୋ ପ୍ରତି ୨୦ରୁ ୨୫ ଟଙ୍କା ଥିଲା, ତାହା ଏବେ ୨ ଶହ ଟଙ୍କାରେ ପହଂଚିଛି । ଚାଷୀଙ୍କ ଠାରୁ କମ୍ ଦରରେ କିଣି ନେଇଥିବା ଅଦାକୁ ଅଧିକ ଦରରେ ରାଜ୍ୟ ସମେତ ବାହାର ରାଜ୍ୟକୁ ପଠାଉଛନ୍ତି ବେପାରୀ । ସଂରକ୍ଷଣର ବ୍ୟବସ୍ଥା ନଥିବା ଓ କୃଷି ବିଭାଗର ପ୍ରୋତ୍ସାହନ ଅଭାବରୁ ଚାଷୀ ଫସଲ ଠିକଭାବେ କରିପାରୁ ନାହଁନ୍ତି ବୋଲି ସେ କହିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୌଜ୍ଞାନିକ ସୂର୍ଯ୍ୟା ନାରାୟଣ ମିଶ୍ର କହିଛନ୍ତି କେନ୍ଦ୍ରାପଡା ଅଂଚଳକୁ ଖୁବ୍ଶିଘ୍ର ଅଦା ବିହନ ଆସିବ । ଅଦାଚାଷ ପାଇଁ ଇଛୁକ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।