ବିଳମ୍ବିତ ବର୍ଷା ସାଂଗକୁ କେନାଲ ଶୁଖିଲା , ପଛେଇଛି ଚାଷ କାର୍ଯ୍ୟ, ଚିନ୍ତାରେ ଚାଷୀ



କେନ୍ଦ୍ରାପଡା ୧୩ା୭- ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି । ବର୍ତମାନ ଯେଉଁଠି ରୁଆ ବିହୁଡା ହେବା କଥା ଏବେ ସେଇଠି ଧାନ ବୁଣାବୁଣି ଓ ତଳିପକା କାର୍ଯ୍ୟ ଚାଲିଛି । ଏପରିକି ଅନେକ ସ୍ଥାନରେ ଜମିରେ ଲଙ୍ଗଳ ଧାର ପଡିନଥିବାରୁ ସେଗୁଡିକ ପଡ଼ିଆ ପଡିଛି । କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଂଚଳରେ ୧୦,୪୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେବା ଲକ୍ଷ୍ୟ ରଖାଯାଇଛି । ହେଲେ ବିଳମ୍ବରେ ବର୍ଷା ହେବାରୁ ଚାଷ କାମ ଆଗେଇବା ପାରୁନାହିଁ । ଗତ ୨ ଦିନ ହେବ ବର୍ଷା ହେବାରୁ ଜମିରେ ହଳ କାର୍ଯ୍ୟ ,ବୁଣାବୁଣି ଓ ତଳିପକା କାର୍ଯ୍ୟ ଆରମ୍ଭ ହୋଇଛି । ୨୦୦ ହେକ୍ଟର ଜମିରେ ଧାନ ବୁଣା ହେବାକଥା । ୭୦୦ ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ଏବେ ୨୦୦ ହେକ୍ଟର ଜମିରେ ତଳିପକା କାର୍ଯ୍ୟ ହୋଇଛି ବୋଲି ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକ କହିଛନ୍ତି ।
ବର୍ଷା ବିଳମ୍ବ ହେବା ଓ କେନାଲ ପାଣି ନ ଆସିବା ଯୋଗୁ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବରେ ହୋଇଛି । ଫଳରେ ଧାନଫସଲରେ ଅଧିକ ରୋଗପୋକ ଲାଗିବାର ସମ୍ଭାବନା ରହିଛି । ଗତବର୍ଷ ଜୁନ ମାସ ଶେଷ ସୁଦ୍ଧା ସ୍ୱାଭାବିକ ୧୪୯.୪ ମିଲିମିଟର ବର୍ଷା ହୋଇଥିବାବେଳେ ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ୮୦ ମିଲିମିଟର ବର୍ଷା ହୋଇଛି । ହେଲେ ଏଥର ଜୁଲାଇ ୧୨ ତାରିଖ ପରେ ବର୍ଷା ହୋଇଛି । ଏନେଇ ଚାଷୀ ହଳ କରି ସଙ୍ଗେ ସଙ୍ଗେ ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥର ବୁଣାବୁଣି ଅପେକ୍ଷା ଧାନତଳିରୁଆ ଅଧିକ କରିବାକୁ ଚାଷୀମାନେ ଆଗ୍ରହୀ ହେଉଛନ୍ତି ।
ଖଡିଅଂଟା ଚାଷୀ ଅଜୟ ନାୟକ କୁହନ୍ତି ଚଳିତ ବର୍ଷ ବର୍ଷା ବିଳମ୍ବରେ ହେବା ଓ ବର୍ଷା ପରିମାଣ କମ ହେବା ଓ କେନାଲ ପାଣି ନଆସିବାରୁ ଆମର ଚାଷ କାର୍ଯ୍ୟ ପଛେଇ ଯାଇଛି । ୧୧ଏକର ଜମିରେ ଧାନରୁଆ ଚାଷ କରିବୁ । ଆଗକୁ ବର୍ଷା ପରିମାଣ କମିଗଲେ ଧାନରୁଆ କାର୍ଯ୍ୟ ବିଗିଡ଼ିଯିବ । ଏଥିସହ ଧାନ ରୁଆ କାର୍ଯ୍ୟ ପାଇଁ ମଜୁରିଆ ସମସ୍ୟା ଦେଖାଦେଇଛି ।
ସୁୁବର୍ଣ୍ଣପୁର ଚାଷୀ କୁଞବିହାରୀ ନାୟକ କୁହନ୍ତି ବର୍ଷା ଅଭାବ ଯୋଗୁ ବୁଣାବୁଣି ଓ ଧାନ ତଳିପକା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଧାନ ବିଲରେ ପାଣି ନାହିଁ । ଏଣୁ ବେଉଷଣ ଓ ରୁଆ କାର୍ଯ୍ୟ କେମିତି କରିବୁ । କେନାଲ ଅଛି ପାଣି ଆସୁନାହିଁ । ଜଳକର ନେବାରେ ଉଣା ନାହିଁ ସରକାର ଓ ପ୍ରଶାସନ ଚାଷ ପାଇଁ ପାଣି ସୁବିଧା କଲେ ଚାଷୀମାନେ ଉପକୃତ ହୋଇପାରିବୁ ।
କୃଷକ ସୁରେନ୍ଦ୍ର ପରିଡା କୁହନ୍ତି ଚଳିତ ବର୍ଷ ଆମ ଅଂଚଳରେ ବର୍ଷାର ପରିମାଣ କମ ହୋଇଛି । ଫଳରେ ଧାନ ବୁଣା ଏବଂ ରୁଆ କାର୍ଯ୍ୟରେ ବିଳମ୍ବ ହେଉଛି । ଆମେମାନେ ବହୁତ ଚିନ୍ତାରେ ପଡିଯାଇଛୁ । ଆଗକୁ ବର୍ଷା ନ ହେଲେ ଅଳ୍ପ ଅଳ୍ପ ବୁଣା ଯାଇଥିବା ଧାନ ଗଜା ମରୁଡି ହୋଇଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଯଦି କିଛି ସରକାରୀ ସାହାଯ୍ୟ ମିଳିପାରନ୍ତା ତା ହେଲେ ମଧ୍ୟ କିଛି ଆଶ୍ୱସ୍ତି ମିଳିବ ।
ଯୁବ ଚାଷୀ ସୁଶାନ୍ତ ସାମଲ କୁହନ୍ତି ଚଳିତବର୍ଷ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ହୋଇଥିଲା । ମାତ୍ର ଜୁଲାଇ ଅଧା ହେଲାଣି । ଏପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଂଚଳରେ ସ୍ୱାଭାବିକ ବର୍ଷା ହେଉନାହିଁ କି କେନାଲରେ ପାଣି ଦେଉନାହିଁ । ବର୍ତମାନ ସୁଦ୍ଧା ବୁଣା ହୋଇନି କି ହଳ ହୋଇପାରିନାହିଁ ।


Next Post

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

Thu Jul 13 , 2023
କେନ୍ଦ୍ରାପଡ଼ା, ୧୩ା୭ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଜ୍ଞାନେନ୍ଦ୍ର ଦାସ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ମହାବିଦ୍ୟାଳୟ […]

You May Like