ସିଂହଗାଁ ବାହ୍ୟଜଗତରୁ ବିଛିନ୍ନ
ସଚେତନତା ଅଭାବରୁ ବ୍ୟାପକ ଫସଲ ହାନୀ
ପଟ୍ଟାମୁଣ୍ଡାଇ ୪ା୮-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟା ଅଂଚଳ ଦେଇ ପ୍ରବାହିତ ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରହ୍ମଣୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ଗୁରୁବାର ରାତିରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବାବେଳେ ସକାଳ ୧୦ଟା ସୁଦ୍ଧା ସ୍ଥିର ରହିଛି । ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା, ଅମୃତମଣୋହୀ, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ, ସିଂହଗାଁ, ବାଛରା, ବାଲିପାଟଣା, ନିଳକଣ୍ଠପୁର, ଶ୍ରୀରାମପୁର, ଶାଶନ, ଡାମରପୁର, ବଳଭଦ୍ରପୁର ଆଦି ପଂଚାୟତ ସମେତ ଓ ପୌରାଂଚଳର ୧୧ ଟି ୱାର୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବହୁ ଚାଷ ଜମି ଜଳମଗ୍ନ ହୋଇପଡିଛି । ଫଳରେ ବ୍ୟାପକ ଫସଲହାନି ଘଟିଛି । ବନ୍ୟାଜଳ କମିବା ସମ୍ଭାବନା ଥିବା ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ସବଡିଭିଜନ ପକ୍ଷରୁ ସୂଚନା ଦିଆଯଇଛି ।
ଆଳି ବନ୍ଧବାଡ ବିଭାଗ ସହକାରୀ ଯନ୍ତ୍ରୀ ଦାମୋଦର ମଲ୍ଲିକ କୁହନ୍ତି, ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଏହି ବନ୍ୟା ସୃଷ୍ଟି ହୋଇଛି । ବ୍ରାହ୍ମଣୀର ଉପନଦୀ ସମଲ ବ୍ୟାରେଜର ୭ଟି ଗେଟ ବୁଧବାର ଖୋଲିବା ଫଳରେ ଗୁରୁବାର ବ୍ରାହ୍ମଣୀର ବନ୍ୟାଜଳ ବୃଦ୍ଧି ପାଇ ପତ୍ରପୁରଠାରେ ଥିବା ବିପଦସଙ୍କେତ ୧୬.୫ ଫୁଟରୁ ୧୭ ଫୁଟରେ ପ୍ରବାହିତ ହୋଉଛି । ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ବ୍ରାହ୍ମଣୀ ନଦୀ ଅଂଚଳ ଗ୍ରାମଗୁଡିକରେ ବନ୍ୟାଜଳ ପ୍ରବେଶ କରିଛି ବୋଲି କହିଛନ୍ତି ।
କୃଷକନେତା ହିମାଂଶୁ ଶେଖର ବିଶ୍ୱାଳ କହିଛନ୍ତି ଗତକାଲି ବିଳମ୍ବିତ ରାତିରେ ହଟାତ ବନ୍ୟା ଆସି ଧୋୟା ଅଂଚଳର ଅଳପୁଆ ପଂଚାୟତର ଦାମୋଦରପାଟଣା, ତଳପଡିଆ, ଜେନାସାହି, ଅଣ୍ଢରା ପଂଚାୟତର ବ୍ରହ୍ମପୁର, ବିଷ୍ଣୁପୁର, ବ୍ରାହ୍ମଣସାହି, ତରଡ଼ିପାଳ ପଂଚାୟତର ପୋଖରୀକୁଳ, ଗୋପାଳପୁର, ପେଣ୍ଠପାଳ ପଂଚାୟତର ପେଣ୍ଠପାଳ, ଦାଣ୍ଡିସାହି, କୁଳସାହି, ବାଲିକିରା ଅମୃତମଣୋହି ପଂଚାୟତର ସିଦ୍ଧବାଲି, ଜଗନ୍ନାଥପୁର, ଶାନ୍ତିପଡା ଆଦି ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବା ସହ ଚାଷ ଜମି ଜଳାର୍ଣ୍ଣବ ହୋଇପଡିଛି । ଚାଷୀମାନେ ଧାର କରଜ କରି ଚାଷ କରିଥିଲେ ମଧ୍ୟ ବନ୍ୟା ଯୋଗୁ ଫସଲ ନଷ୍ଟ ଆଶଙ୍କାରେ ଚିନ୍ତାରେ ପଡିଛନ୍ତି । ଗୁହପାଳିତ ପଶୁମାନେ ଖାଦ୍ୟ ନ ପାଇ ହଇରାଣ ହେଉଛନ୍ତି ।ଗୋଜିଆକଣ ରାସ୍ତାରେ ବନ୍ୟାଜଳ ସୁଅ ଛୁଟିବା ଫଳରେ ରାସ୍ତାରେ ଘାଇ ସୃଷ୍ଟି ହୋଇଛି । ବନ୍ୟା ପରିସ୍ଥିତି ସ୍ଥିର ଅଛି । ବନ୍ୟା ଆସିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୁଚନା ଦିଆଯାଇନଥିବାରୁ ବ୍ୟାପକ ଫସଲ ହାନି ଘଟିଛି ।
ଚାଷୀ ନରେନ୍ଦ୍ର ଧଳ କୁହନ୍ତି ,ବନ୍ୟା ଯୋଗୁ ନଦୀ କୁଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ରାସ୍ତାଘାଟ ଓ ଗାଁ ଦାଣ୍ଡରେ ବନ୍ୟାଜଳ ଲହଡ଼ି ମାରୁଛି । ନିକଟରେ ପଟ୍ଟାମୁଣ୍ଡାଇ ଧୋୟାଂଚଳରେ କୁମ୍ଭୀର ଆକ୍ରମଣ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସମ୍ପ୍ରତି ବନ୍ୟା ବିପନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଛି । ଯାହାଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ଅଳପୁଆ ପଂଚାୟତ ଶାସନ ସ୍କୁଲ ନିକଟରେ ବନ୍ୟା ଜଳରେ କୁମ୍ଭୀର ଭାସୁଥିବା ଖବର ସାଧାରଣରେ ଆତଙ୍କ ସୃଷ୍ଟି କରିଛି । ଅଧିକାଂଶ ଘରେ ଜଳ ପ୍ରବେଶ କରିଥିବାରୁ ଲୋକେ ନାନାଦି ଅସୁବିଧା ଭୋଗୁଛନ୍ତି । ସିହଂଗାଁ ବନ୍ୟାଜଳ ଘେରରେ ରହିଥିବାବେଳେ ସେଠାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟାଜଳରେ ବିଭିନ୍ନ ପ୍ରକାର ସରୀସୃପ ଭାସି ଲୋକଙ୍କ ଘରେ ପଶୁଥିବା ଜଣାପଡ଼ିଛି । ଚାଷ ଜମିରେ ଜଳ ମାଡ଼ି ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଚାଷୀ ଅକ୍ଳାନ୍ତ ପରିଶ୍ରମ କରି ଫସଲ କରିଥିଲେ । ହଟାତ ବନ୍ୟାଜଳ ପ୍ରବେଶ କରିବାରୁ ଚାଷୀ ଫସଲ ଆମଦାନୀ କରିପାରିନଥିଲେ । ଆଜି କେତେକ ଚାଷୀ ଡିଙ୍ଗୀ ସାହାଜ୍ୟରେ କିଛି କିଛି ଫସଲ ଛାଣି ଆଣିଥିଲେ ମଧ୍ୟ କୁମ୍ଭୀର ଭୟରେ ଚାଷ ଜମିଭିତରକୁ ଯାଉନଥିବା ଦେଖାଦେଇଛି । ସ୍ଥାନୀୟ ପ୍ରଶାସନ ଆଗତ ସୁଚନା ନଦେବାରୁ ଚାଷୀ ସଚେତନ ହୋଇପାରିଲେ ନାହିଁ । ଫଳରେ କ୍ଷେତରେ ଫଳିଥିବା ପନିପରିବା ବ୍ୟାପକ ହାନି ଘଟିଛି । ଯଦି ପ୍ର୍ଶାସନ ପକ୍ଷରୁ ଆଗତ ସୁଚନା ଦିଆଯାଇଥାନ୍ତା ତାହାହେଲେ ଚାଷୀ ପନିପରିବା ଘରକୁ ଆଣିପାରିଥାେନ୍ତେ ବୋଲି ସେ କହିଛନ୍ତି ।
ସାମାଜିକକର୍ମୀ ରବିନାରାୟନ ନନ୍ଦ କୁହନ୍ତି ,ଚଳିତ ବନ୍ୟା ଯୋଗୁ ଫସଲ କ୍ଷତିଗ୍ରସ୍ତ ହେବା ଫଳରେ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡିଛି । ଧୋୟାଂଚଳର ୧୪ ପଂଚାୟତ ପୌରପରିଷଦର ୧୧ ୱାଡର ପ୍ରାୟ ୨ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ପରିବା ଓ ଧାନ କ୍ଷେତରେ ପାଣି ମାଡ଼ିଯାଇଛି । ନଦୀକୂଳିଆବାସୀଙ୍କ ମନରେ ଛନକା ପଶିଛି ।ସାଧାରଣତଃ ଖରିଫ ଋତୁରେ ନଦୀପଠାରେ ଅଧିକ ପନିପରିବା ଚାଷ ହୋଇଥାଏ । ବନ୍ୟାଜଳ ମାଡ଼ିଯିବା ଯୋଗୁ ପନିପରିବା ଫସଲ ଅଧିକ ପ୍ରଭାବିତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବନ୍ୟା ପରବର୍ତୀ ଅବସ୍ଥାରେ ପରିବା ଦର ଆହୁରି ବଢ଼ିବ ବୋଲି କୁହାଯାଉଛି ।
ସେହିପରି ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁ କହିଛନ୍ତି, ବ୍ରାହ୍ମଣୀ ନଦୀର ବନ୍ୟାଜଳ ପୂର୍ବାହ୍ନ ୧୦ଟାରୁ ସ୍ଥିର ରହିଛି । ଅଉ ବଢ଼ିବା ସମ୍ଭାବନା ନାହିଁ । ଅଳଭାରେ ବିପଦ ସଙ୍କେତ ୧୬ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରତି କୌଣସି ବିପଦ ନାହିଁ । ବନ୍ୟା ନିୟନ୍ତ୍ରଣ ପାଇଁ ବିଭାଗ ପକ୍ଷରୁ ବାଲି ବସ୍ତା ଗଚ୍ଛିତ ରଖାଯାଇଛି । ଯୋଉଁ ନଦୀବନ୍ଧ ଗୁଡିକରେ ବର୍ଷା ପାଣି ଦ୍ୱାରା ଖାଲ ସୃଷ୍ଟି ହୋଇଛି ସେଗୁଡିକ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମଣୀ ନଦୀର ଉପରମୁଣ୍ଡ ରେଙ୍ଗାଲି ଡ୍ୟାମ ଗେଟ ଖୋଲିବା ସମ୍ଭାବନା ନାହିଁ ବୋଲି ଯନ୍ତ୍ରୀ ସାହୁ ସ୍ପଷ୍ଟ କରିଛନ୍ତି । ବନ୍ୟା ଯୋଗୁଁ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇ ଘାଇ ସୃଷ୍ଟି ହେବା ଆଶଙ୍କା ଥିବାରୁ ଲୋକମାନେ ଦିବାରାତ୍ର ସଜାଗ ହୋଇ ରହିଛନ୍ତି । ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ଉମେଶ ସେଠୀ, ପଟ୍ଟାମୁଣ୍ଡାଇ ସହନିର୍ବାହୀଯନ୍ତ୍ରୀ ପ୍ରଭାତ ସାହୁ ଓ ସହସହକାରୀଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ ପ୍ରମୁଖ ଦୁର୍ବଳ ନଦୀବନ୍ଧ ଗୁଡିକ ପରିଦର୍ଶନ କରି ବିଭାଗୀୟ କର୍ମଚାରୀ ସହାୟତାରେ ବାଲିବସ୍ତା ପକାଇ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ।