- ଲୋକାଭିମୁଖୀ ଯୋଜନା ହେଉନି କାର୍ଯ୍ୟକାରୀ
- ନିରାଶରେ ଫେରିଛନ୍ତି ଜନସାଧାରଣ
ସରକାର ପ୍ରଶାସନକୁ ଲୋକାଭିମୁଖୀ କରି ଲୋକମାନଙ୍କ ହିତରେ ବହୁ ଯୋଜନା ପ୍ରଣୟନ କରି ଚାଲିଛନ୍ତି । ମାତ୍ର ସରକାର ପ୍ରଣୟନ କରୁଥିବା ଯୋଜନାଗୁଡିକ ବାସ୍ତବରେ ତଳ ସ୍ତରରେ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ ଜନସାଧାରଣ କେତେଦୂର ତାର ଫାଇଦା ପାଇପାରୁଛନ୍ତି ତାର ଅନୁଧ୍ୟାନ କରିବାକୁ କେହି ନାହାଁନ୍ତି । ସରକାରୀ ସ୍ତରରେ ପ୍ରତେକ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁଁ ସରକାରୀ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଥିବା ସରକାରୀ କାର୍ଯ୍ୟାଳୟଗୁଡିକରେ ଆବଶ୍ୟାକ କର୍ମଚାରୀ ଅଭାବରୁ ଲୋକମାନଙ୍କର କୌଣସି କାର୍ଯ୍ୟ ହୋଇପାରୁନାହିଁ । ପ୍ରକୃତପକ୍ଷେ ପ୍ରଶାସନ ଲୋକମାନଙ୍କର ନିକଟତର ହେଉଛି ନାଁ ଲୋକମାନଙ୍କଠାରୁ ଦୂରେଇ ଯାଉଛି ଏହି ଅସମାହିତ ପ୍ରଶ୍ନକୁ ନେଇ ଜନ ଆନ୍ଦୋଳନ ପାଇଁ ଲୋକମାନେ ପ୍ରସ୍ତୁତ ହେଉଥିବାର ଜଣାପଡିଛି ।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ବିଭିନ୍ନ ପଦବୀ ଖାଲି ପଡିଥିବାରୁ ଲୋକେ ବହୁ ଦୂର ଦୁରାନ୍ତରରୁ ଅଯଥା ଖର୍ଚ୍ଚ।ନ୍ତ ହୋଇ ଆସି କୌଣସି କାର୍ଯ୍ୟ କରି ନପାରି ନିରାଶ ମନରେ ଫେରିବାକୁ ବାଧ୍ୟ ହେଉଛନ୍ତି । ଏବେ ବ୍ଲକରେ ଜଣେ ପ୍ରୋଗ୍ରେସିଭ ଆସିଷ୍ଟାଣ୍ଡ, ୨ ଜଣ ଜେଇ, ଜଣେ ଗ୍ରାମ ପଂଚାୟତ ଅଫିସର (ଜିପିଓ), ଜଣେ ବିଏସଏସଓ, ୧୧ ଜଣ ପଂଚାୟତ ଅଫିସର ବର୍ଷ ବର୍ଷ ଧରି ଖାଲି ପଡିଥିବାବେଳେ ୨ ଟି ଜୁନିଅର କିରାଣୀ ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି । ସେହିପରି ୩ ଜଣ ପିଅନ ପଦବୀ ଖାଲି ପଡିଥିବା ବେଳେ ବି ଡି ଓ ବାହାର ଯୁବକ ମାନଙ୍କୁ ନେଇ ବ୍ଲକରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଫଳରେ ବୃଦ୍ଧ ବୃଦ୍ଧା ମାନେ ସେମାନଙ୍କ ଭତା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି । ବହୁ ପଂଚାୟତରେ ଯୋଗାଣ ସହାୟକ ଏବଂ ଜି ଆର ଏସ ପଦବୀ ଖାଲି ପଡ଼ିଛି ।ପଟ୍ଟାମୁଣ୍ଡାଇ ତହସିଲରେ ତହସିଲଦାରଙ୍କ ପଦବୀ ଖାଲି ପଡିଥିବା ବେଳେ ୮ ଜଣ କିରାଣୀ , ୪ ଜଣ ଆରଆଇ, ୭ ଜଣ ଏ ଆରଆଇ ଓ ୪ ଜଣ ଅମିନ ପଦବୀ ଖାଲି ପଡିଛି । କାର୍ଯ୍ୟରତ କିଛି ଅଧିକାରୀ ପଟ୍ଟାମୁଣ୍ଡାଇ ତହସିଲରେ ନିଯୁକ୍ତି ପାଇଥିବାବେଳେ ଅନ୍ୟ ଗୋଟିଏ ଦୁଇଟି ତହସିଲ ଦାୟିତ୍ୱରେ ରହିଛନ୍ତି । ଫଳରେ ସେମାନେ ଅନ୍ୟ ତହସିଲରେ ଥିବାର ଆଳ ଦେଖାଇ ନିୟମିତ ଏଠାକୁ ଆସୁନାହାନ୍ତି । ମାତ୍ର ଅତିରିକ୍ତ ତହସିଲଦାର ତହସିଲ କାର୍ଯ୍ୟ କରୁଥିବାବେଳେ ଅମିନ ଏବଂ ଡିଇଓ ମାନଙ୍କୁ ବିଭିନ୍ନ ବିଭାଗର ଦାଇତ୍ୱ ଦେଇ ଅତିରିକ୍ତ ତହସିଲଦାର ଅତି କଷ୍ଟରେ କାର୍ଯ୍ୟ କରୁଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ଅଦର୍ଶ ଥାନାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ଯୋଗୁଁ ଆଇନ ଶୃଙ୍ଖଳା କ୍ଷେତ୍ରରେ ଅସୁବିଧା ଦେଖାଦେଉଛି ।ଏହି ଥାନା ଅଧୀନରେ ଥିବା ଚଉଦକୁଲାଟ ଫାଣ୍ଡି ରେ କର୍ମଚାରୀ ଅଭାବରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଗ୍ରାମାଂଚଳ ଥାନା ଅଧୀନରେ ଅଧିକ ଗ୍ରାମ ଥିବା ଯୋଗୁଁ ଏବଂ ଏରିଆ ବହୁତ ବଡ଼ ହୋଇଥିବାରୁ କର୍ମଚାରୀ ଅଭାବରେ କାମ କରିବା ବହୁତ କଷ୍ଟକର ହୋଇପଡୁଛି । କୃଷି କାର୍ୟ୍ୟାଳୟରେ ବହୁ ଭିଏ ଡବ୍ଲୁ ପଦବୀ ଖାଲି ପଡ଼ିଛି । ଫଳରେ କର୍ମଚାରୀ ଅଭାବରେ କୃଷି କାର୍ଯ୍ୟ ବ୍ୟାହତ ହେଉଛି । ସେହିପରି ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ଆଗରୁ ଦୁଇ ଜଣ ଯନ୍ତ୍ରୀ ଥିବା ବେଳେ ଏବେ ଜଣେ ଯନ୍ତ୍ରୀ ୩୧ ପଂଚାୟତ ଦାଇତ୍ର ଗ୍ରହଣ କରୁଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ ଯନ୍ତ୍ରୀ ପଦବୀ ଖାଲି ପଡିଥିବା ବେଳେ ରଜନଗର କନିଷ୍ଠ ଯନ୍ତ୍ରୀ ଅତିରିକ୍ତ ଦାଇତ୍ୱ ନେଇଛନ୍ତି । କ୍ଷୁଦ୍ର ଜଳସେଚନ ବିଭାଗର କଥା ନକହିବା ଭଲ । ପୂର୍ତ ବିଭାଗରେ କନିଷ୍ଠ ଯନ୍ତ୍ରୀ ନଥିବାବେଳେ ଆଳି କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ତଳସ୍ତର କର୍ମଚାରୀ ନଥିବା ଯୋଗୁଁ ଉକ୍ତ ବିଭାଗରେ ଥିବା ଖଲାସୀ କାର୍ଯ୍ୟାଳୟରେ ସମସ୍ତ ଏଷ୍ଠିମେଂଟ ଓ ଏଗ୍ରୀମେଂଟ କାମ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଅଗ୍ନିଶମ କାର୍ୟ୍ୟାଳୟରେ ନିଯୁକ୍ତି ଅନୁସାରେ କର୍ମଚାରୀ ନଥିବା ବେଳେ ଅବକାରି ବିଭାଗ ସ୍ଥାଣୁ ଅବସ୍ଥାରେ ପଡିଛି । ସେହିପରି ପଟ୍ଟାମୁଣ୍ଡାଇ ଊପଖଣ୍ଡ ଡାକ୍ତରଖାନାରେ ବହୁ ଡାକ୍ତର ପଦବୀ ଖାଲି ପଡିଛି । ଏତଦ୍ ବ୍ୟତିତ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ଥିବା ଡାକ୍ତରଖାନା ରେ କେଉଁଠି ଡାକ୍ତର ନାହାନ୍ତି ତ କେଉଁଠାରେ ଫାର୍ମାସିଷ୍ଟ, ଷ୍ଟାଫନର୍ସ କିମ୍ବା ଆଟେଣ୍ଡାଂଟ ନାହାନ୍ତି । ଫଳରେ ସରକାରଙ୍କର କର୍ମଚାରୀ ଛଟେଇ ନୀତିଯୋଗୁଁ ପ୍ରଶାସନ ଏବେ ଲୋକମାନଙ୍କ ପାଖରୁ ଦୁରେଇ ଯାଉଥିବା ପରିଲକ୍ଷିତ ହେଉଛି । ସେହିପରି ପଟ୍ଟାମୁଣ୍ଡାଇ ମ୍ୟୁନିସପାଲଟିରେ ଜଣେ ୱର୍କ ସରକାର, ଜଣେ କମୁନିଟ୍ ଅର୍ଗାନାଇଜର, ଖଲାସି ୪ଜଣ ଓ ୨ ଜଣ ଟିସି ପଦବୀ ଖାଲି ପଡିଛି । ଆଗାମୀ ଦିନରେ କର୍ମଚାରୀ ଅଭାବରୁ ଏହିସବୁ କାର୍ଯ୍ୟାଳୟଗୁଡିକ ବନ୍ଦ ହୋଇଯିବ ବୋଲି ଲୋକମାନଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି ।ଅନ୍ୟପକ୍ଷରେ ଯେଉଁ କେତେକ ହାତ ଗଣତି କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟଗୁଡିକ ଚାଲିଛି ସେମାନେ ମିଟିଂ, ଭିସି ଏବଂ ଫିଲଡ଼ ପରିଦର୍ଶନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବା ଯୋଗୁଁ ବିଚରା ଜନସାଧାରଣ ବାରମ୍ବାର ଧାଇଁ ଧାଇଁ କୌଣସି କାର୍ୟ୍ୟ ହୋଇପାରୁ ନ ଥିବାବେଳେ କେହି ସେମାନଙ୍କର ଦୁଃଖ ଲାଘବ କରିବାରେ ସହାୟକ ମଧ୍ୟ ହେଉନାହାନ୍ତି ।