ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତତ୍ୱାବଧାନରେ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ଶିକ୍ଷାର ମୂଳଦୂଆ ପଡୁଥିବା କୁହାଯାଉଥିବା ବେଳେ ପଟ୍ଟାମୁଣ୍ଡାଇ ଅଂଚଳରେ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ରକୁ ପଦାରେ ପକାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନ ଥିବାରୁ ପିଲାମାନେ କେଉଁଠି ବାରଣ୍ଡାରେ ତ ଆଉ କେଉଁଠି ସ୍କୁଲଘରେ ତ କେଉଁଠି ଭଡ଼ାଘରେ ଓ ଗୋଷ୍ଠୀକେନ୍ଦ୍ରରେ ପାଠ ପଢ଼ୁଛନ୍ତି । ଯୋଜନା ପ୍ରଣୟନକୁ ୪୮ ବର୍ଷ ବିତିଯାଇଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ଅଂଚଳରେ ଏହାର ଭିତିଭୂମି ଚିନ୍ତାଜନକ ସ୍ଥିତିରେ ଅଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ପଟ୍ଟାମୁଣ୍ଡାଇ ବ୍ଲକ ୩୧ ପଂଚାୟତ ଓ ପୌରାଂଚଳ ୨୦ଟି ୱାର୍ଡରେ ସମୁଦାୟ ୨୭୮ ଅଙ୍ଗନୱାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ୧୩୯ଟି କେନ୍ଦ୍ରର ନିଜସ୍ୱ ଗୃହ ଥିବାବେଳେ ୬୯ କେନ୍ଦ୍ରରେ ଗୃହ ନିର୍ମାଣଧୀନ ଅବସ୍ଥାରେ ଅଛି ଏ ଏସଇଟିଏଚଆଇ ମଧ୍ୟରୁ ୭୦ ନିର୍ମାଣ ହୋଇନାହିଁ । ପଟ୍ଟାମୁଣ୍ଡାଇର ୩୧ ପଂଚାୟତରେ ୨୩୭ ଟି କେନ୍ଦ୍ର ମଧ୍ୟରୁ ୧୩୫ ନିଜସ୍ୱ ଘରେ ଚାଲିଥିବା ବେଳେ ୬୨ ଟା ସ୍କୁଲ ଘରେ ଛାଲିଛି । ସେହିପରି ୧୩ ଟି ଘର ଭଡାରେ ଚାଲିଥିବା ବେଳେ ୨୭ ଟି କମ୍ୟୁନିଟି ସେଂଟରରେ ଚାଲିଛି । ପଟ୍ଟାମୁଣ୍ଡାଇ ବ୍ଲକରେ ୬୨ ଟି ନିର୍ମାଣଧିନ କେନ୍ଦ୍ରରୁ ମଧ୍ୟରୁ କେତେକ ଅଙ୍ଗନୱାଡି ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅଙ୍ଗନୱାଡିକୁ ହସ୍ତାନ୍ତର କରାଯାଇ ନାହିଁ । ଫଳରେ ଗୃହ ବ୍ୟବହାର ନ ହେବା ଓ ନିମ୍ନମାନର କାର୍ଯ୍ୟ ଯୋଗୁ ଗୃହ କାନ୍ଥ ଓ ଚଟାଣ ଫାଟିବା ସହ ନଷ୍ଟ ହେବାକୁ ବସିଲାଣି ବୋଲି ସାଧାରଣରେ ଅଭିଯୋଗ ହେଉଛି ।ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳର ୨୦ଟି ୱାର୍ଡରେ ୪୧ ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ୪ଟି ନିଜସ୍ୱ ଘରେ ଚାଲିଥିବା ବେଳେ ୮ ଟି କେନ୍ଦ୍ର ଭଡା ଘରେ ଚାଲିଛି । ଅନ୍ୟ ୨୧ ଟି ସ୍କୁଲ ଘରେ ଓ ୮ ଟି କମ୍ୟୁନିଟି କେନ୍ଦ୍ରରେ ଚାଲିଛି । ୭ ଟି ଘର ନିଢର୍ମାଣଧିନ ଅଛି । ସେଥିମଧ୍ୟରୁ କିଛି ଅଙ୍ଗନୱାଡି ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ଅଙ୍ଗନୱାଡିକୁ ହସ୍ତାନ୍ତର କରାଯାଇ ନାହିଁ । ଏବାବଦରେ ସିଡିପିଓ ମନରମା ସ୍ୱାଇଁ ଙ୍କୁ ପଚାରିବାରେ ୨୭୮ କେନ୍ଦ୍ର ମଧ୍ୟରୁ ୧୩୯ ଅଙ୍ଗନୱାଡି କେନ୍ଦ୍ର ନିଜସ୍ୱ ଘରେ ବୋଲି କହିଛନ୍ତି । ଅନ୍ୟ ୧୩୯ ଟି ଅଙ୍ଗନୱାଡି କେନ୍ଦର ନିଜସ୍ୱ ଗୃହ ନ ଥିବାରୁ କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ଅଣ୍ଡା, ଚାଉଳ, ରାଶନ ସହ ଅନ୍ୟାନ୍ୟ ସାମଗ୍ରୀକୁ କର୍ମୀମାନେ ଏଣେତେଣେ ରଖିବା ଦ୍ୱାରା ବାଟମାରଣା ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି ।