ସିକିମ ସତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ


କେନ୍ଦ୍ରାପଡ଼ା, ତା ୦୮/୦୧: ସିକିମ ସତ୍ୱ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜସ୍ୱ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୧୦,୧୫୦ ସିକିମ ସତ୍ୱର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ସମସ୍ତ ତହସିଲ୍‌ଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକମାନଙ୍କୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ଭୂସଂସ୍କାର ଆଇନ-୧୯୬୦ ଅନୁସାରେ ସିକିମ ଜମିରେ ରୟତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ରହିଥିଲା । ମାତ୍ର ଏହି ସମୟ ଅବଧି ମଧ୍ୟରେ ଜିଲ୍ଲାର ସମସ୍ତ ସିକିମ ଚାଷୀ ଆବେଦନ କରପାରିନଥିଲେ । ଫଳରେ ସିକିମଭାବେ ରେକର୍ଡ଼ଭୁକ୍ତ ହୋଇଥିବା ଜମିକୁ ଜବରଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ ରୟତ ଅଥବା ସେମାନଙ୍କ ଉତରାଧିକାରୀଙ୍କୁ ସେହି ଜମି ଉପରେ ରୟତି ଅଧିକାର ମିଳିପାରିନଥିଲା । ଓଡ଼ିଶା ଭୂସଂସ୍କାର ଆଇନ-୧୯୬୦ର ଆବଶ୍ୟକୀୟ ସଂଶୋଧନ ପରେ ଏବେ ଯେଉଁମାନେ ସିକିମ୍ ଜମିକୁ ଚାଷ ବା ବାସଗୃହଭାବେ ବ୍ୟବହାର କରୁଛନ୍ତି, ସେହି ଜମିର ରୟତି ଅଧିକାର ପାଇବା ପାଇଁ ରାଜସ୍ୱ ଅଧିକାରୀଙ୍କ ନିକଟରେ ସଂପୃକ୍ତ ଚାଷୀମାନେ ଆବେଦନ କରିପାରିବେ । ତହସିଲଦାରମାନେ ମଧ୍ୟ ସ୍ୱତଃପୂର୍ତଭାବେ ସିକିମଭାବେ ରେକର୍ଡ଼ ହୋଇଥିବା ଜମିକୁ ଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ ରୟତ ଅଥବା ସେମାନଙ୍କ ଉତରାଧିକାରୀକୁ ସେହି ଜମି ଉପରେ ରୟତି ଅଧିକାର ଦେବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଏହି କ୍ରମରେ ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକମାନଙ୍କ ସହ ବୈଠକ କରି ସମସ୍ତ ସିକିମ ଖାତାଗୁଡ଼ିକୁ ଓଏଲ୍‌ଆର୍ ଆକ୍ଟ ଅନୁସାରେ ତିନି ଦିନ ମଧ୍ୟରେ ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଚଳିତମାସ ଶେଷ ସୁଦ୍ଧା ସମସ୍ତ କେସ୍ ଫଇସଲା କରିବାକୁ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର(ରେଭେନ୍ୟୁ) କୁଇନି ଜେନା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ରାଜସ୍ୱ ଅଧିକାରୀମାନେ ଆଦେଶନାମା ଜାରି କରିବା ବେଳେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅର୍ଥରାଶି ଅନୁସାରେ କ୍ଷତିପୂରଣ ସ୍ଥିର କରିବେ । ସିକିମ୍ ଜମି ଉପରେ ଉପ-ରୟତ କିମ୍ବା ଅଧସ୍ତନ ରୟତ କିମ୍ବା ସେମାନଙ୍କ ଉତରାଧିକାରୀମାନେ ରୟତଭାବେ ଘୋଷିତ ହେବା ପରେ ସେମାନଙ୍କୁ ସେହି ଜମି ଉପରେ ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ମିଳିବ ।


Next Post

ଅଖିଳ ବିଶ୍ଵ ଗାୟତ୍ରୀ ପରିବାର କେନ୍ଦ୍ରାପଡା ଜିଲ୍ଲା ସମନ୍ଵୟ ସମିତି ପୁନର୍ଗଠନ

Tue Jan 9 , 2024
ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ସମନ୍ଵୟ ସମିତି ପୁନର୍ଗଠନ ହୋଇଯାଇଛି । ଜିଲ୍ଲାର ମଧ୍ୟସ୍ଥଳି ପଟ୍ଟାମୁଣ୍ଡାଇ ସନ୍ନିକଟ କଷଣଅଣ୍ଟା ସ୍ଥିତ ମା’ଗାୟତ୍ରୀଙ୍କ ଶକ୍ତିପୀଠ ଠାରେ ଜିଲ୍ଲା ସମନ୍ଵୟ ସମିତିର ମୁଖ୍ୟ ସଂଯୋଜକ ମହେଶ୍ଵର ରାଉତଙ୍କ ସଂଯୋଜନା ତଥା ହରିଦ୍ଵାର ଶାନ୍ତିକୁଞ୍ଜ ଗୁରୁପୀଠର ପରିବ୍ରାଜକ ଶେଷଦେବ ବଢେଇଜୀ, ପ୍ରଦୀପ୍ ସାହୁ ଜୀ ଏବଂ କଟକ ସବଜୋନ ମୁଖ୍ୟ କୃପାସିନ୍ଧୁ ଷଢଙ୍ଗୀ ଜୀଙ୍କ ପ୍ରତ୍ୟକ୍ଷ […]

You May Like