କେନ୍ଦ୍ରାପଡ଼ା, ତା ୧୨/୦୧: ଓଡ଼ିଶାର ପାରମ୍ପରିକ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଓ ଉନ୍ନୟନମୂଳକ ଯୋଜନାର ବାର୍ତା ବାଂଟିବେ ଲୋକକଳାକାର । ଏଥି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ଉପରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର ପ୍ରଦୀପ ପ୍ରଜ୍ଵାଳନ କରି ଏହି କର୍ମଶାଳା ଉଦ୍ଘାଟନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ପର୍ଯ୍ୟବେକ୍ଷକଭାବେ ଆସିଥିବା ଅବସରପ୍ରାପ୍ତ ସହାୟକ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ସାମନ୍ତରାୟ କାର୍ଯ୍ୟକ୍ରମ ସମ୍ପର୍କରେ ପୁଖାଂନୁପୁଂଖଭାବେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ସମସ୍ତ ବ୍ଲକ୍ର ବିଏସ୍ଏସ୍ଓ, ସମସ୍ତ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି, ରାଜ୍ୟସ୍ତରୀୟ ସଂସାଧନ ସଭ୍ୟ ଓ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କଠାରୁ ମତାମତ ସଂଗ୍ରହ କରିବା ସହ ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସମସ୍ତ ୧୫ଟି ଯୋଜନା ଉପରେ ଏକ ସଂକ୍ଷିପ୍ତ ଉପସ୍ଥାପନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି କାର୍ଯ୍ୟକ୍ରମର ମାର୍ଗଦର୍ଶିକା, କ୍ୟାଲେଣ୍ଡର ପ୍ରସ୍ତୁତି ଓ ଲୋକକଳା ଦଳ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ, ଏହି ଅଭିଯାନରେ ମୋଟ୍ ୧୫ଟି ଯୋଜନା ସାମିଲ ଅଛି । ଯେଉଁଥିରେ ରହିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା, ମମତା, ମିଶନଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, କ୍ରୀଡ଼ା, ଆମ ଓଡ଼ିଶା ନବୀନ ଓଡ଼ିଶା, ଫାଇଭ୍-ଟି ହାଇସ୍କୁଲ୍ ରୂପାନ୍ତରୀକରଣ, ଜନଜାତି ବହୁଳ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଆମ ବ୍ୟାଙ୍କ, ଆମ ଐତିହ୍ୟ, ଲକ୍ଷ୍ମୀ ବସ । ଏହା ପରେ ବ୍ଲକସ୍ତରରେ ଦୁଇଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ହେବ । ଚଳିତମାସ ଶେଷ ସପ୍ତାହରେ ଲୋକକଳାକାରମାନେ ପୂର୍ବ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ପାରମ୍ପରିକ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାର ବାର୍ତା ବାଂଟିବେ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଲୋକକଳା ବଂଚିରହିବା ସହ ଲୋକକଳାକାରମାନେ ଜୀବିକା ପାଇପାରିବେ ଏବଂ ଯେଉଁ ଲୋକକଳା ଏ ଜାତିର ଅନ୍ୟତମ ପରିଚୟ, ସେହି ଲୋକକଳାର ଏକ ସମୃଦ୍ଧ ପରମ୍ପରା ଆମ ରାଜ୍ୟରେ ଗଢ଼ିଉଠିବ ।