ନୂଆଦିଲ୍ଲୀ,୨୯/୦୩: ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ଏବେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି । ଜର୍ମାନୀ ଓ ଆମେରିକା ପରେ ଜାତିସଂଘ ବି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି । ନିର୍ବାଚନ ମୁହାଁ ଭାରତରେ ଲୋକଙ୍କର ରାଜନୈତିକ ତଥା ନାଗରିକ ଅଧିକାରକୁ ସୁରକ୍ଷା ଦେବାକୁ ଆହ୍ୱାନ କରିଛି ଜାତିସଂଘ । କେଜ୍ରିୱାଲଙ୍କ ଗିରଫଦାରି ଏବଂ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଦୃଷ୍ଟିରୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ରାଜନୈତିକ ପରିସ୍ଥିତିକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଏପରି ମନ୍ତବ୍ୟ ଦେଇଛନ୍ତି ଜାତିସଂଘ ମହାସଚିବ ଆେ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର । ଗୁରୁବାର ଏକ ନିୟମିତ ସାମ୍ବାଦିକ ସମ୍ମିଳନୀରେ ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟେଫେନ ଦୁଜାରିକ କହିଛନ୍ତି, ଭାରତ ଓ ନିର୍ବାଚନ ହେବାକୁ ଥିବା ଅନ୍ୟ ଦେଶ ଗୁଡ଼ିକରେ ରାଜନୈତିକ ଓ ନାଗରିକ ଅଧିକାର ସହ ସମସ୍ତଙ୍କ ଅଧିକାର ସୁରକ୍ଷିତ ରହିବ ବୋଲି ଆମେ ଆଶା କରୁଛୁ । ଯାହା ଫଳରେ ସମସ୍ତେ ଏକ ମୁକ୍ତ ଏବଂ ନିରପେକ୍ଷ ପରିବେଶରେ ଭୋଟ୍ ଦେବାକୁ ସମର୍ଥ ହେବେ । ମିଳିତ ଜାତିସଂଘର ଏହି ବୟାନର ଦିନକ ପୂର୍ବରୁ କେଜ୍ରିୱାଲଙ୍କ ଗିରଫଦାରି ଏବଂ କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟ ଉପରେ କଟକଣା ନେଇ ଏକ ପ୍ରଶ୍ନରେ ମଧ୍ୟ ଆମେରିକା ଅନୁରୂପ ପ୍ରତିକ୍ରିୟା ଦେଇଥିଲା । କେଜ୍ରିୱାଲଙ୍କ ମାମଲାରେ ମନ୍ତବ୍ୟକୁ ବିରୋଧ କରି ଭାରତ ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ସମନ କରି କଡ଼ା ବିରୋଧ ଜଣାଇଥିଲା । ଏହାର କିଛି ଘଣ୍ଟା ପରେ ୱାଶିଂଟନ୍ ପୁଣି ଏହି ମାମଲାରେ ନିଜ ମତ ଦୋହରାଇଥିଲା । ନିରପେକ୍ଷ, ସ୍ୱଚ୍ଛ ଏବଂ ସମୟୋପଯୋଗୀ ଆଇନଗତ ପ୍ରକ୍ରିୟାକୁ ଆମେ ପ୍ରୋତ୍ସାହିତ କରୁଛୁ ବୋଲି ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଥିଲେ । ଆମେରିକାର ଏପରି ଆଚରଣକୁ ଭାରତ ପୁଣି ବିରୋଧ କରିଥିଲା । ଏପରି ମନ୍ତବ୍ୟକୁ ‘ଅନୁଚିତ’ ବୋଲି କହିଥିଲା ଭାରତ । ଏହା ପୂର୍ବରୁ ଜର୍ମାନୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରିକୁ ନେଇ କହିଥିଲା ଭାରତ ଭଳି ଏକ ଗଣତନ୍ତ୍ରିକ ରାଷ୍ଟ୍ରରେ ନ୍ୟାୟିକ ପ୍ରକ୍ରିୟା ନିରପେକ୍ଷ ରହିବ ବୋଲି ଆମେ ଆଶା କରୁଛୁ । ଜର୍ମାନୀର ମନ୍ତବ୍ୟକୁ ମଧ୍ୟ କଡ଼ା ବିରୋଧ କରି ଏହା ଆମ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି କହିଥିଲା ଭାରତ । ଅନ୍ୟପକ୍ଷରେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ତାଙ୍କ ସ୍ୱାମୀଙ୍କ ପ୍ରତି ସମର୍ଥନ ଜୁଟାଇବା ପାଇଁ ଶୁକ୍ରବାର ଏକ ହ୍ୱାଟସଆପ୍ ଅଭିଯାନ ଆରମ୍ଭ କରିଛନ୍ତି । ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରେ ଥିବା ତାଙ୍କ ସ୍ୱାମୀଙ୍କୁ ସହାୟତା କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସୁନୀତା କେଜ୍ରିୱାଲ । ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ ସୁନୀତା କେଜ୍ରିୱାଲ କହିଛନ୍ତି, ତାଙ୍କ ସ୍ୱାମୀ ଦେଶର ‘ସବୁଠାରୁ ଦୁର୍ନୀତିଗ୍ରସ୍ତ ତଥା ଏକଛତ୍ରବାଦୀ ଶକ୍ତି’କୁ ଚ୍ୟାଲେଞ୍ଜ କରିଛନ୍ତି । ଆଶୀର୍ବାଦ ଓ ପ୍ରାର୍ଥନା ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି । ସୁନୀତା ଏକ ହ୍ୱାଟସଆପ୍ ନମ୍ବର ଜାରି କରି କହିଛନ୍ତି, ଲୋକମାନେ ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ (କେଜ୍ରିୱାଲ)ଙ୍କ ନିକଟକୁ ଆଶୀର୍ବାଦ, ପ୍ରାର୍ଥନା ଅବା ଅନ୍ୟ କୌଣସି ବାର୍ତ୍ତା ଏହି ନମ୍ବରରେ ପଠାଇ ପାରିବେ । ସେ ଏହି ସବୁ ବାର୍ତ୍ତାକୁ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଇବେ । ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଗୁରୁବାର କୋର୍ଟ କେଜ୍ରିୱାଲଙ୍କ ଇଡି ହାଜତ ମିଆଦକୁ ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।
kanikanews.in
Next Post
ରାଜନଗର ରାଜନୀତି ସରଗରମ: ଅଂଶୁମାନଙ୍କ ସମର୍ଥକଙ୍କୁ ମନାଇବାକୁ କସରତ
Sat Mar 30 , 2024
• ରାଜନଗର, ପଟ୍ଟାମୁଣ୍ତାଇରେ ପୃଥକ୍ ବୈଠକ ପଟ୍ଟାମୁଣ୍ତାଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୂର୍ବତନ ବିଧାୟକ ଧ୍ରୁବଚରଣ ସାହୁଙ୍କୁ ନେଇ ଏବେ ରାଜନଗର ରାଜନୀତିରେ ହଟଚମଟ ଲାଗିରହିଛି । ବିଜେଡି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅଂଶୁମାନଙ୍କୁ ଓ ରାଜନଗର ନିର୍ବାଚନମଣ୍ତଳୀରୁ ଟିକେଟ ଦେଇଛି। ମାତ୍ର, ଦୁଇନେତାଙ୍କ ସମର୍ଥକଙ୍କ ମଧ୍ୟରେ ଏଯାଏ ମିଳାମିଶା ହୋଇ ପାରୁନଥିବାରୁ ତାହା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟିକରିଛି। ଏଭଳି ସ୍ଥିତିରେ ଆଜି ଉଭୟ […]

You May Like
- 7 months ago
ଗୋପବନ୍ଧୁ ସ୍କାଉଟ ଟ୍ରୁପ ଓ ଝାଂଶିରାଣୀ ଗାଇଡ଼ ଗଠିତ
- 5 months ago
ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟିର ବୈଠକ
- 7 months ago
ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗଣଧାରଣା