ଶିଳ୍ପ ବିହିନ କେନ୍ଦ୍ରାପଡ଼ା ଜିଲା ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ଉଦ୍ୟୋଗ ଭଳି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ଅଗ୍ରଣୀ ହୋଇପାରିନାହିଁ । ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରୀକ ଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ ମିଳିପାରୁନାହିଁ । ଶିକ୍ଷିତ ବେକାର ଯୁବତୀଯୁବକ ନିଯୁକ୍ତି ପଛରେ ନ ଧାଇଁ ଆତ୍ମନିର୍ଭରଶୀଳ ହେବାକୁ ବିଭ୍ିନ୍ନ ସଭାସମିତିରେ ଆହ୍ୱାନ କରାଯାଉଛି । ଏଥିପାଇଁ ଜିଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ଅଧୀନରେ ବିଭିନ୍ନ ସମୟରେ ଶିକ୍ଷିତ ବେକାର ଯୁବତୀଯୁବକଙ୍କୁ ନେଇ ବିଭିନ୍ନ ତାଲିମ ଦିଆଯାଉଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଦକ୍ଷତାବୃଦ୍ଧି ତାଲିମ ଶିବିର ଆୟୋଜନ କରାଯାଉଛି । ବର୍ଷକୁ ପ୍ରାୟ ହଜାର ହଜାର ଯୁବତୀଯୁବକଙ୍କୁ ଦକ୍ଷତାବୃଦ୍ଧି ତାଲିମ ଦିଆଯାଇ ସଚେତନ କରାଯାଉଥିବା ବିଭାଗ ପକ୍ଷରୁ ଦାବି ହେଉଛି । ମାତ୍ର ଜିଲାର ବେକାରି ସମସ୍ୟା ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ଅଂଚଳରେ ନିଯୁକ୍ତି ଓ ଆତ୍ମନିର୍ଭରଶୀଳତାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହୁଛି । କେତେକାଂଶରେ ବ୍ୟାଙ୍କଗୁଡ଼ିକର ଅସହଯୋଗ କାର୍ଯ୍ୟକ୍ରମର ଅଗ୍ରଗତିକୁ ପ୍ରତିହତ କରୁଛି । ନାମକୁ ମାତ୍ର ତାଲିମ ଓ ପଞ୍ଜୀକରଣରେ ବିଭାଗୀୟ କାର୍ଯ୍ୟକ୍ରମ ସୀମିତ ରହିଥିବା ଅଭିଯୋଗ ହେଉଛି ।
ପଟ୍ଟାମୁଣ୍ଡାଇ କଷଣଅଂଟା ଗାଁର ବିଷ୍ଣୁପ୍ରିୟା ବାରିକ, ପୋଖରିଆପଡ଼ା ଗାଁର ପବିତ୍ର ବେରା, ଗୀତାଞ୍ଜଳି ମହାପାତ୍ର କୁହନ୍ତି ଜିଲାର ଶିଳ୍ପ ବିକାଶ ପାଇଁ ଗୁରୁଦାୟିତ୍ୱ ବହନ କରୁଥିବା ଶିଳ୍ପକେନ୍ଦ୍ର, ବ୍ୟାଙ୍କ, କେଭିଆଇସି ଓ କେଭିଆଇବି ଆବଶ୍ୟକତା ଅନୁଯାୟୀ ସକ୍ରିୟ ହେଉ ନଥିବା ଯୋଗୁ ଜିଲାରେ ଶିଳ୍ପ ବିକାଶର ଗତି ଦିନକୁ ଦିନ ମନ୍ଥର ହେବାରେ ଲାଗିଛି । ଗ୍ରାମାଂଚଳ ତଥା ସହରାଂଚଳ ଉଦ୍ୟୋଗୀମାନଙ୍କ ଦ୍ୱାରା ଲଘୁ ଉଦ୍ୟୋଗ ସ୍ଥାପନ ପାଇଁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ବେକାର ଯୁବତୀଯୁବକମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଆଗ୍ରହୀ ଯୁବତୀଯୁବକମାନେ ଜିଲା ଶିଳ୍ପ କେନ୍ଦ୍ରରେ ଇଡିପି ତାଲିମ ନେଇ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍ଇଜିପି)ରେ ଆବେଦନ କରୁଛନ୍ତି । ଆବେଦନ ପତ୍ର ଅନୁମୋଦନ ହୋଇ ଜିଲା ଶିଳ୍ପ କେନ୍ଦ୍ରରୁ ଋଣ ପାଇଁ ନିକଟସ୍ଥ ବ୍ୟାଙ୍କକୁ ପଠାଦିଆଯାଉଛି । ହେଲେ ଅନୁମୋଦନ ମିଳିଥିଲେ ମଧ୍ୟ ସ୍ଥାନୀୟ ବ୍ୟାଙ୍କରୁ ଋଣ ମିଳିପାରୁ ନାହିଁ । ଏପରି ଅନେକ ବେକାରୀ ଯୁବତୀଯୁବକ ବ୍ୟାଙ୍କକୁ ଦୌଡି ଦୌଡି ନିରାଶ ହେଉଥିବା ଦେଖିବାକୁ ମିଳିଛି । ସାମଗ୍ରିକ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ପରିବର୍ତେ ଯୋଜନାଟି ତେଲିଆ ମୁଣ୍ଡରେ ତେଲ ହେଉଥିବା ସହ କେତେଜଣ ବିଭାଗୀୟ କର୍ମଚାରୀଙ୍କ ଆୟର ପନ୍ଥା ପାଲଟିଛି । ଫଳରେ ଆଶାୟୀ ଯୁବତୀଯୁବକମାନେ କାର୍ଯ୍ୟରତ କେତେକ କର୍ମଚାରୀଙ୍କ ଦ୍ୱାରା ଅନେକ ସମୟରେ ହଟହଟା ହେଉଥିବା ଅଭିଯୋଗ ହୋଇଛି । ଯେଉଁମାନେ ଋଣ ଶୁଝିବାର ଆର୍ôଥକ କ୍ଷମତା ରଖୁଛନ୍ତି ସେମାନଙ୍କୁ ଅଧିକ ଅଗ୍ରାଧିକାର ମିଳୁଥିବା ଅଭିଯୋଗ ହେଉଛି । ଫଳରେ ଏହି ଯୋଜନା ମାଧ୍ୟମରେ କର୍ମନିଯୁକ୍ତି ସୃଷ୍ଟି ହେବା ତ ଦୂରର କଥା କ୍ରମଶଃ ତାହା ସଙ୍କୁଚିତ ହେଉଛି । ଗ୍ରାମାଂଚଳରେ ଶିଳ୍ପ ବିକାଶର ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆଇପିଓମାନେ ଉପଯୁକ୍ତ ଦାୟିତ୍ୱ ନିର୍ବାହ କରୁନାହାନ୍ତି । ଯୋଜନାରେ ସାମିଲ ହେବା ପାଇଁ ଶତାଧିକ ବେକାର ଯୁବତୀଯୁବକ ଦୈନିକ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡୁଛନ୍ତି । ସେହିପରି ଆଶାୟୀ ଥିବା ହିତାଧିକାରୀ ପ୍ରକଳ୍ପ ରିପୋର୍ଟ ଓ ବୈଷୟିକ ସହାୟତା ଚାହୁଁଥିବା ଲୋକେ ବ୍ୟାପକ ହଇରାଣ ହେଉଛନ୍ତି । ଶିଳ୍ପକେନ୍ଦ୍ର ଦ୍ୱାରା ଜିଲାରେ କେତେକ ହାତଗଣତିି ଉତ୍ପାଦନ ଉଦ୍ୟେଗ ଥିବା ଜଣାପଡ଼ିଛି । ଶତାଧିକ ଯୁବତୀଯୁବକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆବେଦନ କରିଛନ୍ତି । ହେଲେ ବ୍ୟାଙ୍କର ଉପଯୁକ୍ତ ସହଯୋଗ ଅଭାବରୁ ଆବେଦନ ପତ୍ରଗୁଡିକ ଫାଇଲ ଭିତରେ ଚପି ରହିଯାଇଛି । ଏ ସଂକ୍ରାନ୍ତରେ ଜିଲା ଶିଳ୍ପକେନ୍ଦ୍ରର ଭାରାପ୍ରାପ୍ତ ଜେନେରାଲ ମ୍ୟାନେଜର ଚିଦାନନ୍ଦ ମିଶ୍ର ପଚାରିବାରେ ଗତ କିଛି ଦିନ ହେବ କାର୍ଯ୍ୟରେ ଯୋଗ ଦେଇଛି। ଏ ପର୍ଯ୍ୟନ୍ତ ଏ ନେଇ କୌଣସି ସୂଚନା ପାଇନାହିଁ ବୋଲି ସେ କହିଛନ୍ତି ।