(ଡାଃ ରଶ୍ମିତା ସେଠୀ)
ଖାଦ୍ୟ ବସ୍ତ୍ର ବାସଗୃହ ପରେ ଶିକ୍ଷା ହେଇଛି ମନୁଷ୍ୟର ଚତୁର୍ଥ ମୌଳିକ ଆବଶ୍ୟକତା । ଶିକ୍ଷା ସମାଜର ମାନଦଣ୍ଡ । ସମାଜକୁ ଉନ୍ନତ, ମହତ ଓ ପ୍ରଗତିଶୀଳ କରିବାରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଜୀବନକୁ ସୁସ୍ଥ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ଶିକ୍ଷା ହିଁ ପଥପ୍ରଦର୍ଶକ ସାଜିଥାଏ । ତେଣୁ ଏକ ଶ୍ରେଣୀକକ୍ଷରୁ ହିଁ ରାଷ୍ଟ୍ରର ଭାଗ୍ୟ ନିର୍ଦ୍ଧାରଣ କରିହୁଏ । ଛାତ୍ରୀଛାତ୍ରମାନେ ହିଁ ସମାଜର ମେରୁଦଣ୍ଡ ହୋଇଥିବା ବେଳେ ଦେଶ ଗଠନରେ ଅନସ୍ୱୀକାର୍ଯ୍ୟ ଭୂମିକା ଥାଏ । ଏକ ଶୃଙ୍ଖଳିତ, ମାର୍ଜିତ, ସଂଯତ ଓ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଛାତ୍ରୀଛାତ୍ର ବା ଯୁବଗୋଷ୍ଠୀଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଦେଶ ଓ ଜାତିର ସାମୂହିକ କଲ୍ୟାଣ ପାଇଁ ଶିକ୍ଷା ଏକ ଅମୋଘ ଅସ୍ତ୍ର ସଦୃଶ କାର୍ଯ୍ୟ କରେ ।
କିନ୍ତୁ ବର୍ତମାନ ନୈତିକ ଶିକ୍ଷାର ଅଭାବରୁ ଯୁବଗୋଷ୍ଠୀ ପଥଭ୍ରଷ୍ଟ, ହୋଇ ବିଶୃଙ୍ଖଳିତ ହେବାରେ ଲାଗିଛନ୍ତି । ଖାଲି ଶିକ୍ଷାନୁଷ୍ଠାନରେ ଇଟା-ବାଲି-ପଥର-ସିମେଂଟ-ଲୁହାଛଡ଼ ତିଆରି କଂକ୍ରିଟ କୋଠରି କରିଦେଲେ ଗୁଣାତ୍ମକ ଶିକ୍ଷାର ବିକାଶ ହୁଏନାହିଁ । ଶିକ୍ଷାନୁଷ୍ଠନରେ ପ୍ରବାହିତ ଶିକ୍ଷା-ଝର ସମାଜକୁ ସ୍ଥାଣୁତ୍ୱରୁ ମୁକ୍ତି ଦିଏ ଏବଂ ବିକଶିତ କରେ । ଛାତ୍ର ତା’ର ଦୈନନ୍ଦିନ ଜୀବନରେ ଯାହା ଦେଖେ ତାକୁ ହିଁ ଅନୁକରଣ କରେ । ଛାତ୍ରମାନଙ୍କୁ ସଂଯତ, ଶୃଙ୍ଖଳିତ କରିବାକୁ ଆଜିର ଶିକ୍ଷକ ଓ ଅଭିଭାବକମାନେ ଆଦୌ ସଚେତନ ନୁହନ୍ତି ।
ଭାରତରେ ଗୁରୁ-ଶିକ୍ଷ୍ୟର ପରମ୍ପରା ଆବାହମାନ କାଳରୁ ଚାଲିଆସିଛି । ବୈଷୟିକ ଶିକ୍ଷା ହେଉ ଅବା ନୈତିକ ଶିକ୍ଷା, ଉଭୟକୁ ସକାରାମତ୍କ ଭାବେ ଗ୍ରହଣ କଲେ ବିଦ୍ୟାର୍ଥୀ ଜୀବନରେ ଉନ୍ନତି କରିଥାଆନ୍ତି । ଏହି ଶିକ୍ଷାକୁ ଉଚିତ ମାର୍ଗରେ ଶିକ୍ଷାର୍ଥୀଙ୍କ ନିକଟରେ ଉପସ୍ଥାପନା କରିବା ଦାୟିତ୍ୱ ଗୁରୁଙ୍କ ଉପରେ ନ୍ୟସ୍ତ ଥାଏ । ଶିକ୍ଷକଙ୍କ କର୍ତବ୍ୟ ସେମାନେ ଛାତ୍ରୀଛାତ୍ରମାନଙ୍କୁ ବୌଦ୍ଧିକ, ସାମାଜିକ, ଶାରୀରିକ, ଭାବନାମତ୍କ ଓ ନୈତିକ ଭାବରେ ବିକଶିତ କରି ବୃତିଗତ ବିଦ୍ୟାରେ ପାରଙ୍ଗମ କରିବା । ସମୟ ପରିବର୍ତନ ହେବା ସହ ବଦଳି ଯାଇଛି ଗୁରୁ-ଶିଷ୍ୟଙ୍କ ସମ୍ପର୍କ ଓ ଶିକ୍ଷା ବ୍ୟବସ୍ଥା । ବଦଳି ଯାଇଛି ଶିକ୍ଷକଙ୍କ ସଂଜ୍ଞା । ଶିକ୍ଷାର ଗୁଣାତ୍ମକ ମାନ ଲଗାତର ହ୍ରାସ ପାଇଚାଲିଛି । ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି କେବଳ ଅର୍ଥ ଉପାର୍ଜନ ନିମନ୍ତେ । ବିଦ୍ୟାର୍ଥୀଙ୍କୁ ଅନୁଚିତ ରାସ୍ତାରେ ଯାଉଥିବା ଦେଖି ଆକଟ ମଧ୍ୟ କରୁନାହାନ୍ତି । ସେଥିପାଇଁ ଅନେକ ପିଲା ଏବେ ଅବାଟରେ ଗତି କରୁଥିବାରୁ ଶିକ୍ଷାର ଆନୁଷ୍ଠାନିକ ବ୍ୟବସ୍ଥା ପ୍ରାୟ ମୂଲ୍ୟହୀନ ପ୍ରମାଣିତ ହୋଇଛି ।
ଆଧୁନିକ ଭାରତରେ ଶିକ୍ଷାକ୍ଷେତ୍ର ପ୍ରତି ସରକାରଙ୍କ ଉଦାସୀନତା, ଶିକ୍ଷାସଂସ୍ଥାଗୁଡିକର ଘରୋଇକରଣ ତଥା ମାତ୍ରାଧିକ ବ୍ୟବସାୟୀକରଣ, ଅଣକୁଶଳୀ ଅର୍ଦ୍ଧକୁଶଳୀ ଶିକ୍ଷକ ତଥା ଅବିଭାବକମାନଙ୍କର ଅଜ୍ଞାନତା ଏଥିପାଇଁ ବହୁମାତ୍ରାରେ ଦାୟୀ । ଶିକ୍ଷାର ଉଦ୍ଦେଶ୍ୟ କେବଳ ଜଣେ ବ୍ୟକ୍ତିବିଶେଷକୁ ରୋଜଗାରକ୍ଷମ କରିବାକୁ ନ ଥାଏ ବରଂ ଏହା ମନୁଷ୍ୟର ମାନସିକତାକୁ ଆବଶ୍ୟକତା ପରିମାଣରେ ବିକଶିତ କରି ଏକ ଆଦର୍ଶ ବ୍ୟକ୍ତିତ୍ୱର ଗଠନ କରିବାକୁ ବୁଝାଏ । କେବଳ ଭୋଟ ବ୍ୟାଙ୍କ ପାଇଁ ମାଳମାଳ ବ୍ୟୟବହୁଳ ଯୋଜନା ହେଉଥିବା ବେଳେ ଶିକ୍ଷାକ୍ଷେତ୍ର ପ୍ରତି ସରକାରୀ ଉଦାସୀନତା ଶିକ୍ଷାର ଗୁଣାତ୍ମକ ମାନ ହ୍ରାସର ପ୍ରମୁଖ କାରଣ ।
ଘରୋଇ ଶିକ୍ଷାସଂସ୍ଥାନଗୁଡ଼ିକ ଶିକ୍ଷାଦାନ ଅପେକ୍ଷା ଶିକ୍ଷାର ବ୍ୟବସାୟୀକରଣରେ ଅଧିକ ଲିପ୍ତ । ସେମାନଙ୍କୁ ମଧ୍ୟ ଦୋଷଦେବା ଠିକ୍ ହେବ ନାହିଁ କାରଣ ଶିକ୍ଷାନୁଷ୍ଠାନ ହେଲେ ମଧ୍ୟ ସେମାନେ ଏକ-ଏକ ବ୍ୟବସାୟ ପ୍ରତିଷ୍ଠାନ । ଭିତିଭୂମି ବିକାଶ, ପରିଚାଳନାଗତ ବ୍ୟୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ସେମାନେ ଯେଉଁ ବିନିଯୋଗ କରିଛନ୍ତି ସେଥିରୁ ଲାଭ ଉପାର୍ଜନ କରିବା ସେମାନଙ୍କ ପ୍ରଥମ ଉଦ୍ଦେଶ୍ୟ ହେବା ସାଧାରଣ କଥା । ସେଥିପାଇଁ ସେମାନେ ଗୁଣାତ୍ମକ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ନ ଦେଇ ଅର୍ଥ ଉପାର୍ଜନ ପାଇଁ ସର୍ବଦା ଚେଷ୍ଟା କରିବା ବି ସ୍ୱାଭାବିକ ।
ଅନ୍ୱେଷଣର ମତରେ ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରକୁ ସମ୍ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣାଧୀନ ତଥା ନିଃଶୁଳ୍କ କରିବା ଉଚିତ । ଶିକ୍ଷାର ଗୁଣାତ୍ମକ ଅବନତିର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଶିକ୍ଷକମାନଙ୍କର ଅପାରଗତା । ଶିକ୍ଷକମାନେ ଜ୍ଞାନ ପ୍ରଦାନକରିବା ଅପେକ୍ଷା ରୋଜଗାରକୁ ଅଗ୍ରାଧିକାର ଦେଉଥିବାରୁ ଶିକ୍ଷାର ମାନ ହ୍ରାସପାଇବା ନିଶ୍ଚିତ । ଏଥିରୁ ନିଶ୍ଚିତ ଅନୁମାନ କରି ପାରୁଥିବେ ଆମ ଶିକ୍ଷା ବ୍ୟବସ୍ଥାର ଗତି କୁଆଡେ ଯାଉଛି । ବହୁ ଛାତ୍ରୀଛାତ୍ର ଅର୍ଥ ବଳରେ ନିମ୍ନମାନର ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖାଇ ଡାକ୍ତର ଇଞ୍ଜିନିୟର ତ ହୋଇଯାଉଛନ୍ତି କିନ୍ତୁ ଉକ୍ତ ପାଠ୍ୟକ୍ରମର ମହତ୍ୱ ବୁଝିବାକୁ ଅସମର୍ଥ ହେଉଛନ୍ତ । ଯାହାଦ୍ୱାରା ଉଚ୍ଚଶିକ୍ଷିତ ବେକାରି ସମସ୍ୟା ଉପୁଜୁଛି । ବ୍ୟୟବହୁଳ ଶିକ୍ଷା ଶେଷକରି କର୍ମନିଯୁକ୍ତି ନ ପାଇ ବିଭିନ୍ନ ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ତଥା ନିରାଶ ହୋଇ ଆତ୍ମହତ୍ୟା କରିବାକୁ ବି ପଛାଉ ନାହାନ୍ତି । ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ନିଜ ନିୟନ୍ତ୍ରଣକୁ ଆଣି ଆମ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ କରିବା ଆବଶ୍ୟକ ।
ସରକାରଙ୍କର ଶିକ୍ଷକମାରଣ ନୀତି ମଧ୍ୟ ଏଥିପାଇଁ ବହୁମାତ୍ରାରେ ଦାୟୀ । ଅନ୍ୟ କୌଣସି ବିଭାଗର କର୍ମଚାରୀଙ୍କ ତୁଳନାରେ ଜଣେ ଶିକ୍ଷକର ବେତନ, ବେତନବୃଦ୍ଧି, ପଦୋନ୍ନତି ତଥା ଅନ୍ୟାନ୍ୟ ସରକାରୀ ପ୍ରୋତ୍ସାହନ ସର୍ବନିମ୍ନ । ଜଣେ ସହକାରୀ ଶିକ୍ଷକ ତା’ର ୩୦ବର୍ଷର ଚାକିରିକାଳ ମଧ୍ୟରେ ଅଧିକାଂଶ କ୍ଷେତ୍ରରେ ବରିଷ୍ଠ ଶିକ୍ଷକ ହୋଇ ନ ପାରି ସେବାନିବୃତ ହୋଇଯାଏ କିନ୍ତୁ ଅନ୍ୟ ବିଭାଗରେ ସାଧାରଣ କିରାଣିଟିଏ ମଧ୍ୟ ସମୟାନୁକ୍ରମିକ ପଦୋନ୍ନତି ପାଇ ପାଇ ସେବାନିବୃତ ବେଳକୁ ପ୍ରଥମ ଶ୍ରେଣୀ ଅଧିକାରୀ ହୋଇସାରିଥାଏ ।
ଅନ୍ୟପକ୍ଷରେ ଅଭିଭାବକମାନଙ୍କର ଅନଭିଜ୍ଞତା ଓ ଉଚିତ ଦିଶା ନିରୂପଣ କରିବାର ଅକ୍ଷମତା । ପିଲାଟିଏ ଜନ୍ମହେଲେ ପ୍ରଥମେ ସେ ତା’ର ମାତା ପିତା ଓ ପରିବାର ସଂସ୍ପର୍ଶରେ ଆସିଥାଏ । ପରିବାର ହିଁ ତା’ ପାଇଁ ହୁଏ ପ୍ରଥମ ପାଠଶାଳା ଓ ମାତା ପିତା ହିଁ ପ୍ରଥମ ଗୁରୁ । ପରିବାରରୁ ଆରମ୍ଭ ହୁଏ ତା’ର ନୈତିକ ଶିକ୍ଷା ଓ ଅନୁଶାସନ । ସ୍ନେହ, ଶ୍ରଦ୍ଧା, ଦୟା, କ୍ଷମା, ପରୋପକାର, ସାଧୁତା, ସହନଶୀଳତା, ସମ୍ମାନ, ସଂଯମ, ଆଧ୍ୟାତ୍ମିକତା, ଧୈର୍ଯ୍ୟ, ତ୍ୟାଗ ଆଦି ଗୁଣାବଳୀର ବିକାଶ ପ୍ରଥମେ ପରିବାରରୁ ହିଁ ଆରମ୍ଭ ହୋଇଥାଏ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ବର୍ତମାନର ଛାତ୍ର ସମାଜ ଏସବୁ ସୁଗୁଣଠାରୁ ବହୁତ ଦୂରରେ । ହିଂସା, ଈର୍ଷା, ରାଗ, ଦ୍ୱେଷ, ପରଶ୍ରୀକାତରତା, ଅସହିଷ୍ଣୁତା ଆଦି ଦୁର୍ଗୁଣର ଅଧିକାରୀ ଆଜିର ଅଧିକାଂଶ ଯୁବଗୋଷ୍ଠୀ ।