ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ପରସ୍ପର ପରିପୁରକ, ବରିଷ୍ଠ ନାଗରିକ ମଂଚର ଚାରାରୋପଣ କାର୍ଯ୍ୟକ୍ରମ


କେନ୍ଦ୍ରାପଡା , ପଟ୍ଟାମୁଣ୍ଡାଇ ୧୩/୯ -ଦିନକୁ ଦିନ ବହୁସଂଖ୍ୟାରେ ଗଛକଟା ହେବା ଯୋଗୁ ଜଙ୍ଗଲ ଧ୍ୱଂସ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି। ପରିବେଶ ସନ୍ତୁଳନରେ ବାଧା ବି ଉପୁଜିଲାଣି। ମଣିଷ ଜୀବନ ପାଇଁ ବୃକ୍ଷ କେତେ ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ଏହି କଥାକୁ ଭଲ ଭାବେ ବୁଝିଛନ୍ତି ସେମାନେ ଚାରାରୋପଣକୁ ସେତିକି ଗୁରୁତ୍ୱ ଦେଉଛନ୍ତି। ଏମିତି ପରିସ୍ଥିତିରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ନାଗରିକ ମଂଚ ତରଫରୁ ଶୁକ୍ରବାର ବକ୍ତାରପୁର କେନାଲପୋଲ ଠାରୁ ପଟ୍ଟାମୁଣ୍ଡାଇ କଲେଜ ପୋଲ ପର୍ଯ୍ୟନ୍ତ ଜଙ୍ଗଲ ବଂଚାଇବା ପାଇଁ ବୃକ୍ଷରୋପଣ କରିବାର ସପକ୍ଷରେ ଚାରା ରୋପଣ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟମାନେ ଏହା କହିଛନ୍ତି।

ସେମାନେ କହିଛନ୍ତି, ପ୍ରାୟ ପ୍ରାଗୈତିହାସିକ ଯୁଗରୁ ମଣିଷର ବନଭୂମି ସହ ନିବିଡ଼ ସମ୍ପର୍କ ରହିଛି। ଦିନେ ସଭ୍ୟତାର ବିକାଶ ବନଭୂମିରେ ହିଁ ହୋଇଥିଲା। ମଣିଷ ଉଦ୍ଭିଦ ବା ବୃକ୍ଷ ଜଗତକୁ ତା’ର ମୌଳିକ ଆବଶ୍ୟକତା ବୋଲି ମନେକରୁଥିଲା। ବୃକ୍ଷ ନ ରହିଲେ ପ୍ରାଣୀ ଜଗତ ତିଷ୍ଠି ରହିପାରିବନି କାରଣ ବାୟୁରେ ଥିବା ଅମ୍ଳଜାନ ଆମେ ଶ୍ୱାସକ୍ରିୟା ଦ୍ୱାରା ଦେହ ଭିତରକୁ ନେଇ ବଂଚୁଛୁ ଏବଂ ଏହି ଅମ୍ଳଜାନ ଆମେ ପାଉ ବୃକ୍ଷଲତାଠାରୁ ଏବଂ ଆମର ପ୍ରାଣ ନାଶକାରୀ ଅଙ୍ଗାରକାମ୍ଳ ବୃକ୍ଷ ଟାଣିନେଇ ନିଜର ଖାଦ୍ୟରେ ପରିଣତ କରେ। ତେଣୁ ଉଦ୍ଭିଦ ଆମର ପରମ ବନ୍ଧୁ। ପ୍ରାଣୀ ଜଗତ ଉଦ୍ଭିଦ ଜଗତ ବିନା ବଂଚି ରହିପାରେନା। ତେଣୁ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ପରସ୍ପର ପରିପୁରକ। ବୃକ୍ଷ ଆମକୁ ଛାଇ ଦିଏ। ପରିବେଶ ଶୀତଳ ରଖେ। ପ୍ରଦୂଷଣରୁ ଆମକୁ ରକ୍ଷା କରେ। ବର୍ଷା କରାଏ। ବନ୍ୟାଦାଉରୁ ଆମକୁ ରକ୍ଷା କରେ। ମୃର୍ତିକା ସଂରକ୍ଷଣ କରେ। ତଥାପି ଏସବୁର ଉପକାର ମଣିଷ ଭୁଲିଯାଇ ଅବାଧରେ ଗଛ କାଟିବାରେ ଲାଗିଛି। ବନଭୂମିର ଆବଶ୍ୟକତା ତା’ ଜୀବନରେ କେତେ ରହିଛି ସେକଥା ଭୁଲିଯାଉଛି। ଫଳରେ ଅନିୟମିତ ବୃଷ୍ଟିପାତ, ଅଂଶୁଘାତ, ବର୍ଷାଭାବ, ଖାଦ୍ୟାଭାବ, ଜଳବାୟୁ ପରିବର୍ତନ ଏବଂ ଉତପ୍ତ ବସୁଧାରେ ଭାଜି ହେଉଛି। ବୃକ୍ଷ ହିଁ ଜୀବନ, କାରଣ ବୃକ୍ଷ ଥିଲେ ବର୍ଷା ହୁଏ। ବର୍ଷା ଯୋଗୁ ଶସ୍ୟ ଉତ୍ପାଦନ ହୁଏ। ମଣିଷ ତା’ର ଖାଦ୍ୟ ପୂରଣ କରେ। ମାନବ ଜାତିର କଲ୍ୟାଣ ପାଇଁ ବୃକ୍ଷରୋପଣ, ସାମାଜିକ ବନୀକରଣ ନିହାତି ଅପରିହାର୍ଯ୍ୟ। ଅରଣ୍ୟ ଓ ବୃକ୍ଷରାଜି ଆମର ଜାତୀୟ ସମ୍ପଦ। ତେଣୁ ଆମେ ଗଛ ପୋତି ତା’ର ରକ୍ଷଣାବେକ୍ଷଣ ଦିଗରେ ଜାଗରଣ ସୃଷ୍ଟି କରିବା, ପ୍ରକୃତି ଓ ପରିବେଶ ପ୍ରତି ସଚେତନ ହେବା, ନୂତନ ବନ ସୃଷ୍ଟି କରିବା ଦରକାର ବୋଲି ସେମାନେ କିହିବା ସହିତ। ଆଜି ବରିଷ୍ଠ ନାଗରିକମାନଙ୍କ ଚାରା ରୋପଣ ପ୍ରୟାସ ନିଶ୍ଚିତ ଭାବେ ଅନ୍ୟଙ୍କୁ ପ୍ରେରଣା ଦେବ ବୋଲି ସେମାନେ କହିଥିଲେ ।

ଏହି ଚାରାରୋପଣ କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ଚର୍ତୁଭୂଜ ରାଉଳ, ଯୁଗ୍ମ ସମ୍ପାଦକ ବିଜୟ ସାହୁ, କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଇଂ ତପନ ପାତ୍ର, ଇଂ ଗୁଣଧର ସାମଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ପ୍ରମୋଦ ନାୟକ, ପାବନୀ ରାଉତ, ବିଜୟ ରାଉତ, ପ୍ରଫୁଲ ପ୍ରଧାନ, କହ୍ନାଇ ଚରଣ ପରିଡା, ପ୍ରକୃତିବନ୍ଧୁ ପ୍ରଦୀପ କୁମାର ନାୟକ, ବଂଶୀଧର ପରିଡା, ଗର୍ଦ୍ଧବ ଲେଙ୍କା, ରାମଚନ୍ଦ୍ର ସାହୁ, ଯୁଧିଷ୍ଠିର ରାଉତ, ପୀତବାସ ଦାସ, ସୁଶାନ୍ତ ଦାଶ, ବିଜ୍ଞାନ ଜେନା, ପ୍ରମୋଦ ସାହୁ, ସଞ୍ଜୟ ବର୍ମା ପ୍ରମୁଖ ପ୍ରକୃତିପ୍ରେମୀ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ୨୫୦ରୁ ଉର୍ଦ୍ଧ୍ୱ ତାଳ ଚାରା ରୋପଣ କରିଥିଲେ । ଚଳିତବର୍ଷ କ୍ରମାଗତ ବଜ୍ରପାତରେ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉ ଥିବାରୁ ସେଥିରୁ ରକ୍ଷା ପାଇବା ପାଇଁ ତାଳ ଗଛ ଏକ ରକ୍ଷା କବଚ ଭାବେ କାର୍ଯ୍ୟ କରୁଥିବାରୁ ଅଧିକରୁ ଅଧିକ ତାଳ ଚାରା ରୋପଣ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ବାର୍ତା ସମାଜକୁ ପ୍ରେରଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading