- ଆଜି ରାତିରୁ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍
- ଭିତରକନିକା-ଢାମରା ମଧ୍ୟରେ ଛୁଇଁବ ସ୍ଥଳଭାଗ
- ପବନର ବେଗ ୧୦୦ ରୁ ୧୨୦ କିମି ରହିବ
- ଆଜିଠାରୁ ୪ ଜିଲ୍ଲାରେ ଅତିପ୍ରବଳ ବର୍ଷା ଆଶଙ୍କା
- କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ସମ୍ଭାବନା
- ବାତ୍ୟା ପ୍ରଭାବରେ ୧ ରୁ ୨ ମିଟର ଆସିପାରେ ଜୁଆର
- ଅଧିକ ପ୍ରଭାବିତ ହେବ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର
- ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଜାରି
- ବାତ୍ୟା ପ୍ରଭାବିତ ସ୍ଥାନରେ ଅଗ୍ନିଶମ, ଓଡ୍ରାଫ୍, ଏନ୍ଡିଆରଏଫ୍ ନିୟୋଜିତ
- ଢାମରା, ଚାନ୍ଦବାଲି, ପୁରୀ ବନ୍ଦରକୁ ୧୦ନଂ ବିପଦ ସଙ୍କେତ
ଭୁବନେଶ୍ୱର,୨୩ା୧୦ cyclone update- ଓଡ଼ିଶା ଉପକୂଳ ମୁହାଁ ହେଉଛି ବାତ୍ୟା ‘ଦାନା’। ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପ, ରାଜନଗର ଓ ଧାମରା ଅଞ୍ଚଳରେ ବର୍ଷା ସହ ପବନ ହେଉଛି। ଅନ୍ୟପକ୍ଷରେ ବାତ୍ୟା ‘ଦାନା’ର ବାହ୍ୟ ବଳୟ ସ୍ଥଳ ଭାଗ ଛୁଇଁଛି। ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି। ଏହା ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ବୋଲି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ସେ କହିଛନ୍ତି, ବାତ୍ୟା ଆସନ୍ତାକାଲି ରାତିରୁ ୨୫ ସକାଳ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ ବେଳେ ପବନ ବେଗ ୧୦୦ରୁ୧୨୦ କିମି ରହିବାର ସମ୍ଭାବନା ରହିଛି। ଭିତରକନିକା ଢାମରା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ତା’ପୂର୍ବରୁ ଓଡ଼ିଶା ଉପକୂଳ ନିକଟରେ ହାଲୁକା ବର୍ଷା ଆରମ୍ଭ ହୋଇଛି। ଆଜି ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ। ଆସନ୍ତକାଲିଠୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଇଏମଡି ଡିଜି, ଆସନ୍ତାକାଲି କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ସହ ପବନ ହୋଇପାରେ। କେତେକ ସ୍ଥାନରେ ପବନରେ ଗଛ ଉପୁଡିପାରେ ଓ ଗଛ ଡାଳ ଭାଙ୍ଗିପାରେ। ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ୧ରୁ୨ ମିଟର ଉଚ୍ଚରେ ଜୁଆର ଆସିପାରେ। ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇପାରେ। ସେହିପରି ପଶ୍ଚିମ ମେଦିନିପୁର ଜିଲ୍ଲା ବି ବାତ୍ୟାରେ ଅଧିକ ପ୍ରଭାବିତ ହେବ ବୋଲି ଆଇଏମଡି ଡିଜି କହିଛନ୍ତି। ଭିତରକନିକା ଓ ଢାମରା ମଧ୍ୟରେ ଅତିକ୍ରମ କରିବାବେଳେ ତାହା ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ। ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୫-୬ଘଂଟା ଯାଏଁ ଜାରି ରହିବ। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବାତ୍ୟା ସହ ଭୟଙ୍କର ବେଗରେ ପବନ ବହିବ। ଲ୍ୟାଣ୍ଡଫଲ ପ୍ରକ୍ରିୟା ଅକ୍ଟୋବର ୨୪ ମଝି ରାତିରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ପୂର୍ବାହ୍ନ ଯାଏ ରହିବ ବୋଲି ଆଇଏମ୍ଡି ଡିଜି କହିଛନ୍ତି। ଲ୍ୟାଣ୍ଡଫଲ ବେଳେ ଏହାର ତୀବ୍ରତା ଅତି ବେଶୀରେ ୧୦୦-୧୧୦ କିମି କିମ୍ବା ୧୨୦ ମଧ୍ୟ ଛୁଇଁପାରେ। ଏହି ସମୟରେ ବୈତରଣୀ, ବ୍ରାହ୍ମଣୀ ନଦୀରୁ ପ୍ରଖର ବେଗରେ ଜୁଆର ମାଡି ସ୍ଥଳଭାଗକୁ ମାଡି ଆସିବ। ବାତ୍ୟା ‘ଦାନା’ର ପ୍ରଭାବରେ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲାକାରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେଥିନେି ବିଭିନ୍ନ ବନ୍ଦରକୁ ରେଡ୍ ସଂକେ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା, ଢାମରା ଓ ପାରାଦ୍ୱୀପର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ସେହିଭଳି ଗୁରୁବାର ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର ଓ ଗଞ୍ଜାମ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟାକୁ ନେଇ ପିସିସିଏଫ୍ କହିଛନ୍ତି, ଭିତରକନିକାରେ ପ୍ରାୟ ୨୦୦ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି। ହେନ୍ତାଳ ବଣ ହେଉଛି ବାତ୍ୟା ବା ଜୁଆର ପାଇଁ କବଜ। ସମ୍ଭାବ୍ୟ ବାତ୍ୟା ସେଠାରେ ଲ୍ୟାଣ୍ଡଫଲ କଲେ ରାଜନଗର, ରାଜକନିକା ଆଦି ଅଞ୍ଚଳରେ ବେଶୀ କ୍ଷତିଗ୍ରସ୍ତ ହେବନାହିଁ। ଉଚ୍ଚ ଜୁଆରକୁ ହେନ୍ତାଳ ବଣ ଅଟକାଇବାରେ ସକ୍ଷମ ହେବ।