ପଟ୍ଟାମୁଣ୍ଡାଇ ୨/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚାଷୀର ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡି ଦେଇଛି । ବର୍ଷା ଛାଡି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି ଶୁଖିନି । ବର୍ଷା ଜଳ ନିଷ୍କାସନ ପଥ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଜବର ଦଖଲ ହୋଇଥିବାରୁ ଚାଷ ଜମି ଗୁଡ଼ିକରେ ବର୍ଷା ପାଣି ଲହଡ଼ି ମାରୁଛି । ବର୍ଷା ପାଣିରେ ଧାନ ବୁଡିରହିଥିବାରୁ ଗଜା ବାହାରି ଗଲାଣି । ଜଳ ପ୍ରବେଶ ଓ ନିଷ୍କାସନର ସୁପରିଚାଳନା ନେଇ ଚାଷୀମାନେ ବର୍ଷବର୍ଷ ଧରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାରୀ କଳର ମନମାନୀ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇପାରିନାହିଁ। ହେଲେ ଚାଷୀଙ୍କ ଉଜୁଡା ଫସଲକୁ ନେଇ ସରକାରୀ ଓ ବିରୋଧଙ୍କ ମଧ୍ୟରେ ଟେକାପକାପକି ଚାଲିଥିବା ନେଇ ସ୍ଥାନୀୟ ଅଂଚଳରେ ପ୍ରଶ୍ନବାଚୀ ସୃଷ୍ଠି କରିଛିା
ବୁଦ୍ଧିଜୀବୀ ବିଜୟ ଦାସ କୁହନ୍ତି ପୂର୍ବ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଏବେକାର ବିରୋଧି ଦଳ ନେତା ନବୀନ ପଟ୍ଟାନାୟକ ଗତ ୨ ଦିନ ତଳେ ପଟ୍ଟାମୁଣ୍ଡାଇ ଗସ୍ତରେ ଆସି ଉଜୁଡା ଫସଲକୁ ନେଇ ସମିକ୍ଷା କରିଥିଲେ । ସେହିପରି ଶାସକ ଦଳ ନେତାମାନେ ମଧ୍ୟ ବିଭିନ୍ନ ଅଂଚଳ ପରିଦର୍ଶନ କରୁଛନ୍ତି । ହେଲେ ଚାଷୀଙ୍କ ସମସ୍ୟା ପ୍ରତି କାହାର ନଜର ରହୁନାହିଁ । ବର୍ଷବର୍ଷ ଧରି ଜଳ ନିଷ୍କାସନ ପଥ ରକ୍ଷାଣବେକ୍ଷଣ ମରାମତି ଅଭାବରୁ ପୋତିହୋଇପଡିଛି । ଫଳରେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ ୭ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡ଼ିଛି ।
କୃଷକନେତା ପ୍ରକାଶ ମହାନ୍ତି କୁହନ୍ତି ବ୍ରିଟିଶ ସରକାର ସମୟରୁ ହୋଇଥିବା ଜଳ ନିଷ୍କାସନ ପଥ ଏବେ ଜବରଦଖଲ କାରୀଙ୍କ କବଜାରେ ରହିଛି । ଆଉ ଯେଉଁ ଜଳ ନିଷ୍କାସନ ପଥ ରହିଛି ସେଗୁଡି ଡ୍ରେନେଜ-କଟ ବିଭାଗର ଅପାରଗତା ପାଇଁ ପୋତି ହୋଇ ଜବର ଦଖଲ ହୋଇଗଲାଣି । ଉକ୍ତ ପଥଦେଇ ଏବେ ଉଦବୃତ ଜଳ ପ୍ରବେଶ କି ନିଷ୍କାସନ ହେଉନାହିଁ । ପ୍ରତ୍ୟକ ବର୍ଷ ଡ୍ରେନେଜ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇ ଅର୍ଥ ବ୍ୟୟ ହୋଇଛି । ମାତ୍ର ସେ ସବୁ ପ୍ରକଳ୍ପ ସଠିକ କର୍ଯ୍ୟକାରୀ ହୋଇନାହିଁ । ଫଳରେ ବର୍ଷା ଜଳ ନିଷ୍କାସନରେ ବାଧା ଉପୁଜି ଫସଲ ହାନି ଘଟିଛି ।
ସାମଜିକକର୍ମୀ ପ୍ରବୀର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ-ରାଜନଗର ତଳରାସ୍ତା ଉଭୟ ପାଶ୍ୱର୍ରେ ଥିବା ନୟନଜୋରି ଓ କେନାଲକୁ ପୋତି ତାହା ଉପରେ କେତେକ ଲୋକ ଘର କରିଦେଇଛନ୍ତି । ସେହିପରି ଜଳସେଚନ ବିଭାଗର ୩୦୦ ଏକରରୁ ଉର୍ଦ୍ଧ୍ୱ ନୟନଜୋରି ଜବରଦଖଲ ହେବା ଯୋଗୁଁ ବିରାଟ ସମସ୍ୟା ସୃଷ୍ଟି ହୋଇଛି । ପୋଖରିଆପଡା ଓ ମାଟିଆ ମୌଜାର ଖାତା ନମ୍ବର ୪୮୦ ଜସମ୍ପଦ ଜାଗା ପ୍ଲଟ୍ ନମ୍ବର ୯୪, ୫୭୪ ପତିତ ଜମି. ଓ ପ୍ଲଟ ନଂ-୧୨୩୦, ୫୬. ୨୧୬, ୩୪୬, ୪୬୯ କେନାଲ ଜମି, ୬୧୬, ୬୧୭ ନୟନଜୋରି ଜାଗା ଓ ୧୨୩୧, ୧୨୨୯ କେନାଲ ବନ୍ଧ ରାସ୍ତା ସମୁଦାୟ ୪ ଏକରରୁ ଉର୍ଦ୍ଧ୍ୱ ଜାଗା ଏବେ ଜବର ଦଖଲ କାରୀଙ୍କ ଅକତିଆରରେ ଅଛି । ଫଳରେ ଏହାର ପଛପଟରେ ଥିବା ଚାଷକ୍ଷେତକୁ ପାଣି ପ୍ରବେଶ ଓ ନିଷ୍କାସନ ବଧା ଉପୁଜି ଜମି ପଡିଆପଡୁଛି ଆଉ କେତେ ଜମି ଉଜୁଡି ଜାଇଛି ।
ଆଇନଜିବୀ ପ୍ରଭାତ ବେରା କୁହନ୍ତି ନୟନଯୋରି ବା କେନାଲ କିସମ ସରକାରୀ ଜମି କୌଣସି ପରିସ୍ଥିତିରେ କାହାରି ହାତକୁ ଟେକି ଦିଆଯାଇପାରିବ ନାହିଁ । ଏହି ଜମିର କିସମ ମଧ୍ୟ ବଦଳି ପାରିବ ନାହିଁ । ଯଦି ସେ ସ୍ଥାନରେ କୌଣସି କେନାଲ ବା ଜଳାଶୟ ନଥାଏ ଏବଂ କୌଣସି ସରକାରୀ ଭିତିଭୂମି ବିକାଶ ପାଇଁ ଆବଶ୍ୟକତା ପଡେ, ତେବେ ଆରଡିସିଙ୍କ ଅନୁମୋଦନ ପରେ ନୟନଯୋରି କିସମକୁ ବଦଳା ଯାଇପାରିବ ।କିନ୍ତୁ କୌଣସି ପରିସ୍ଥିତିରେ ବ୍ୟକ୍ତିଗତ କାହାକୁ ଲାଭ ଦେବା ପାଇଁ ଜମିର କିସମ ପରିବର୍ତନ କରାଯାଇପାରିବ ନାହିଁ ବୋଲି ରାଜସ୍ୱ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ହେଲେ ପଟ୍ଟାମୁଣ୍ଡାଇ ଅଂଚଳରେ ଆରଡିସିଙ୍କ ବିନା ଅନୁମତିରେ ଚାରିଆଡେ ନୟନଜୋରୀ ଜଳାଶୟ, କେନାଲ ପୋତି କିସମ ପରିବର୍ତନ କରି ଆଇନକୁ ଉପେକ୍ଷା କରାଯାଇ ବିଭିନ୍ନ ଜାଗାରେ ଏପରି ଜବରଦଖଲ ହୋଇ ଘରବାରି ଗଢିଉଠୁଛି । ଫଳରେ ଉଦବୃତ ବର୍ଷାଜଳ ନିଷ୍କାସନରେ ବାଧାହୋଇ ଫସଲହାନି ଘଟୁଛି ।