ପଟ୍ଟାମୁଣ୍ଡାଇ ତା ୨୩/୧-ପଟ୍ଟାମୁଣ୍ଡାଇ ଅଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ପଡିଆରେ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆନ୍ତଃ ଜିଲ୍ଲା ୧୫ବର୍ଷରୁ ଉର୍ଦ୍ଧ ବାଳକ ମାନଙ୍କୁ ନେଇ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଉଦଘାଟନ ଉତ୍ସବ ରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତା ଉଦଘାଟନ କରିଥିଲେ । ଅତିରିକ୍ତ ଏସ ପି ଦେବାଶିଷ ଧଳ,ଜିଲ୍ଲା କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ୭ଦିନ ବ୍ୟାପି ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର ୮ଟି ଦଳ ଭାଗ ନେଇଥିଲେ । ଫାଇନାଲ ଖେଳ କେନ୍ଦ୍ରାପଡ଼ା ଟାଉନ କ୍ଲବ ଓ ରାଜକନିକା ଆଥଲେଟିକ ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜକନିକା ଆଥଲେଟିକ ଆସୋସିଏସନ ୨-୦ ଗୋଲରେ କେନ୍ଦ୍ରାପଡ଼ା ଟାଉନ କ୍ଲବକୁ ପରାସ୍ତ କରି ଚଳିତବର୍ଷ ପାଇଁ ଚମ୍ପିୟାନ ହୋଇଛି । ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲାର କୋଣଅନୁକୋଣରେ ଥିବା ଯୁବପ୍ରତିଭା ମାନେ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟବକ୍ତା ଓ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଅକମଲ ଅଲ୍ଲୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳର ଯୁବକମାନଙ୍କ କ୍ରୀଡା ପ୍ରତିଭା ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଟ୍ରଫି କ୍ରୀଡା ପ୍ରତିଯୋଗିତା ଏକ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟଅତିଥି ବିଜୟୀ ରାଜକନିକା ଆଥଲେଟିକ ଆସୋସିଏସନକୁ ମୁଖ୍ୟମନ୍ତ୍ରୀ ଟ୍ରଫି ଓ କେନ୍ଦ୍ରାପଡ଼ା ଟାଉନ କ୍ଲବକୁ କପ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ମହମଦ ସକିଲନ, ଅବଦୁଲ ମାଟିନ ସେକ ସଲିମ ଅହମଦ, ରାମ ଚନ୍ଦ୍ର ହାଁସଦା ପ୍ରମୁଖ ରେଫରୀ ଦାୟିତ୍ୱ ନିର୍ବାହ କରିଥିବାବେଳେ ଜିଲ୍ଲା କ୍ରୀଡା ସମ୍ପାଦକ ଜ୍ୟୋତିର୍ମୟ ଦାସ, ଯୁଧିଷ୍ଠିର ଲେଙ୍କା,ଦେବେନ୍ଦ୍ର ସାହୁ, ମନୋଜ ସାହୁ, ଶଶାଙ୍କ ଶେଖର ସାହୁ, ମିର୍ଜା ସଲିମ ବେଗ,ଦେବ ସୁନ୍ଦର ପାଢ଼ୀ, ଆବାସ ଖାନ, ସେକ ରାବନି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।