କେନ୍ଦ୍ରାପଡା,୨୭ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧିଭବନରେ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ତୁଷାରକାନ୍ତି ଭୂୟାଁଙ୍କ ସଭାପତିତ୍ୱରେ “ଭାରତରେ ଜାତୀୟତାବାଦୀ ଆନ୍ଦୋଳନର ଉତ୍ପତ୍ତି” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପାନରେ ବିଷୟ ବିଶାରଦ ଭାବରେ ପ୍ରଫେସର ତପନ କୁମାର ପତି ଯୋଗଦେଇ କହିଥିଲେ ଯେ ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ଉନବିଂଶ ଶତାବ୍ଦିର ଦ୍ୱିତୀୟାର୍ଦ୍ଧରେ ଆରମ୍ଭ ହୋଇଥିଲା । ବ୍ରିଟିଶ ଶାସନର ଶୋଷଣ, କୁଟିର ଶିଳ୍ପର ଅବକ୍ଷୟ, ସାମାଜିକ ବ୍ୟବସ୍ଥାରେ ହସ୍ତକ୍ଷେପ, ଗୋରାଲୋକଙ୍କ ଉଗ୍ର ଜାତିଆଣଭାବ, ଭାରତୀୟ ବାଣିଜ୍ୟର ହ୍ରାସ, ସମ୍ବାଦପତ୍ରର କଣ୍ଠରୋଧ, ଧର୍ମବିଶ୍ୱାସକୁ ଆଘାତ ଦେବା ସହ ବିଦ୍ୟୁତ୍ ବିଲକୁ ବିରୋଧ, ପ୍ରଶାସନିକ ପରୀକ୍ଷା ବୟସକୁ ୨୧ରୁ ୧୯ବର୍ଷକୁ କମେଇବା ଓ ଭାରତୀୟଙ୍କୁ ନିକୃଷ୍ଟ ବିଚାର କରିବା ଇତ୍ୟାଦି ଭାରତୀୟଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା । ଏହା ଜାତୀୟତାବାଦୀ ଆନ୍ଦୋଳନକୁ କ୍ରିୟାଶୀଳ କରିଥିଲା । ଭାରତରେ ୧୮୩୫ରେ ଇଂରାଜୀ ଭାଷାର ପ୍ରଚଳନ ଓ ୧୮୩୭ରେ ଏହାକୁ ପ୍ରଶାସନରେ ପ୍ରୟୋଗ କରିବା ଭାରତୀୟମାନଙ୍କୁ ଏକଜୁଟ କରିବାରେ ପ୍ରକାରାନ୍ତରେ ସାହାଯ୍ୟ କରିଥିଲା । ଏହା ଅତ୍ମଘାତି ଥିଲା । ଆନ୍ଦୋଳନର ବିଭିନ୍ନ ଦିଗ ଉପରେ ବିଷୟ ବିଶେଷଜ୍ଞ ଆଲୋଚନା ରଖିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଚିତ୍ତରଞ୍ଜନ ମଲ୍ଲ ବିଷୟ ଉପରେ ସଂକ୍ଷିପ୍ତ ଆଲୋଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ପାନରେ ତିନି ଶ୍ରେଣୀର ପିଲାମାନେ ଅଂଶଗ୍ରହଣ କରିଥିଲେ। ସଭା ପ୍ରାରମ୍ଭରେ ବିଭାଗର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସମବେତ ସଙ୍ଗୀତ ପରିବେଷଣ କରଯାଇଥିଲା । ସଭାର ସଫଳତା ପାଇଁ ବିଭାଗୀୟ ମୁଖ୍ୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।