ଅଧିକାର କଥା କହି କର୍ତବ୍ୟକୁ ଭୁଲି ଯିବା ଠିକ୍ ନୁହେଁ


ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ସଭା


ପଟ୍ଟାମୁଣ୍ଡାଇ ୨୦/୬ -ତାଲୁକ ଆଇନ ସେବା ସମିତି ତରଫରୁ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ସମ୍ବିଧାନର ବିଭିନ୍ନ ଧାରା, ମୌଳିକ କର୍ତବ୍ୟ ଓ ଅଧିକାର ସଂପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତା କରି କହିଥିଲେ ଯେ, ମୌଳିକ ଅଧିକାର ଓ ମୌଳିକ କର୍ତବ୍ୟ ପରସ୍ପର ପରିପୂରକ । ନାଗରିକମାନେ ମୌଳିକ ଅଧିକାର ପାଇଥିବାରୁ ମୌଳିକ କର୍ତବ୍ୟ ପାଳନ କରିବା ଦରକାର । ମୌଳିକ କର୍ତବ୍ୟଗୁଡିକ ନାଗରିକମାନଙ୍କୁ ଅଧିକ ଦେଶପ୍ରେମୀ କରାଇଥାଏ । ଏଥିରେ ଦେଶ ଓ ଜାତିପାଇଁ କାର୍ଯ୍ୟ କରିବାକୁ ଉତ୍ସାହ ମିଳେ । ମୌଳିକ କର୍ତବ୍ୟ ପାଳନ କଲେ ନାଗରିକ ଦେଶର କଲ୍ୟାଣ ଓ ରାଷ୍ଟ୍ରର ଗଠନ ପାଇଁ ସଚେତନ ହୁଏ । ମୌଳିକ କର୍ତବ୍ୟଗୁଡିକ ପ୍ରତ୍ୟେକ ନାଗରିକଙ୍କୁ ପାଇଁ ଏକ ଆଦର୍ଶ ଆଚରଣବିଧି ଅଟେ । ଏହାକୁ ପ୍ରତ୍ୟେକ ନାଗରିକ ପାଳନ କଲେ ସମାଜରେ ଶୃଙ୍ଖଳା ରହିପାରିବ ବୋଲି ମତ ପ୍ରକାଶ କରିଥିଲେ ।


ଆୟୋଜିତ ସଭାରେ ଜେଏମଏଫସି ତଥା ସିଭିଲ ଜର୍ଜ ସମୀକ୍ଷା ମହାନ୍ତି କହିଥିଲେ ଯେ, ଭାରତର ସମ୍ବିଧାନ ନାଗରିକଙ୍କୁ କେତେକ ମୌଳିକ ଅଧିକାର ପ୍ରଦାନ କରିଛନ୍ତି । ଅନୁଚ୍ଛେଦ ୧୪, ୧୯ ଏବଂ ୨୧ରେ ଏସବୁ ଉଲ୍ଲେଖ କରାଯାଇଛି । ସେହିପରି ସମ୍ବିଧାନ ମୌଳିକ କର୍ତବ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । କେବଳ ଅଧିକାର କଥା କହି କର୍ତବ୍ୟକୁ ଭୁଲି ଯିବା ଠିକ୍ ନୁହେଁ ବୋଲି କହିଛନ୍ତି ।
ସେହିପରି ଜେଏମଏଫସି ମୋନାଲିସା ପ୍ରଧାନ ତାଙ୍କ ଅଭିଭାଷଣରେ ଭାରତର ସମ୍ବିଧାନରେ ମୌଳିକ କର୍ତବ୍ୟ ଏକ ଅଭିନବ ବ୍ୟବସ୍ଥା । ମୂଳ ସମ୍ବିଧାନରେ ମୌଳିକ ଅଧିକାର ସମ୍ପର୍କିତ ବ୍ୟବସ୍ଥା ଥିବାବେଳେ ମୌଳିକ କର୍ତବ୍ୟ ବିଷୟରେ କୌଣସି ସୂଚନା ପ୍ରଦାନ କରାଯାଇ ନଥିଲା । ତେଣୁ ୧୯୭୬ ମସିହାରେ ୪୨ ତମ ସଂଶୋଧନ ଆଇନ ଦ୍ୱାରା ସମ୍ବିଧାନରେ ମୌଳିକ କର୍ତବ୍ୟ ଗୁଡିକ ଯୋଗ କରାଗଲା । ଭାରତ ସମ୍ବିଧାନର ଚତୁର୍ଥ ଭାଗ (କ) ର ଧାରା ୫୧ (କ) ରେ ୧୦ ଗୋଟି ମୌଳିକ କର୍ତବ୍ୟ ବିଷୟରେ ବର୍ଣ୍ଣନା କରାଗଲା । କିନ୍ତୁ ୨୦୦୨ ମସିହା ୮୬ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଆଉ ଗୋଟିଏ ଅଧିକ ମୌଳିକ କର୍ତବ୍ୟ ଏଥିରେ ଯୋଗ କରାଯିବାରୁ ସମୁଦାୟ ମୌଳିକ କର୍ତବ୍ୟର ସଂଖ୍ୟା ଏବେ ୧୧କୁ ବୁଦ୍ଧି ପାଇଛି । ସମ୍ବିଧାନରେ ପ୍ରଦତ ଏହି ମୌଳିକ କର୍ତବ୍ୟଗୁଡିକ ନାଗରିକମାନଙ୍କର ଆଇନଗତ , ରାଜନୈତିକ , ସାମାଜିକ , ସାଂସ୍କୃତିକ , ନୈତିକ , ଅର୍ଥନୈତିକ ଓ ଶିକ୍ଷାଗତ ଦାୟିତ୍ୱବୋଧକୁ ହିଁ ବୁଝାଇ ଥାଏ ବୋଲି ମତ ପ୍ରକାଶ କରିଥିଲେ ।


ବରିଷ୍ଠ ଆଇନିଜୀବି ଭବାନୀ ଶଙ୍କର ପଣ୍ଡା କହିଥିଲେ ମୌଳିକ ଅଧିକାର ଓ କର୍ତବ୍ୟ ପରସ୍ପର ପରିପୂରକ । ବିନା କର୍ତବ୍ୟ ସମ୍ପାଦାନରେ ଅଧିକାର ଉପଲବ୍ଧ ହେବା ସମ୍ଭବ ନୁହେଁ । ବ୍ୟକ୍ତିର ବିକାଶ ପାଇଁ ଓ ତାର ବ୍ୟକ୍ତିତ୍ୱର ପରିପ୍ରକାଶରେ ରାଷ୍ଟ୍ର ଯେଉଁଭଳି ଅଧିକାର ବ୍ୟକ୍ତିକୁ ପ୍ରଦାନ କରିଥାଏ , ପ୍ରତି ବଦଳରେ ସେହିଭଳି ରାଷ୍ଟ୍ର ନିଜର ସୁପରିଚାଳନା ନିମନ୍ତେ ବ୍ୟକ୍ତିଠାରୁ କିଛି ମୌଳିକ କର୍ତବ୍ୟ ଆଶା କରିଥାଏ । ତେଣୁ ଅଧିକାର ଓ କର୍ତବ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ଅଧିକାର ଓ କର୍ତବ୍ୟ ମଧ୍ୟରେ ସୁସମନ୍ୱୟ ରକ୍ଷା ହିଁ ଏକ ଆଦର୍ଶ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ସାହାଯ୍ୟ କରିଥାଏ ।
ପିଏଲଭି ସଭ୍ୟ ପ୍ରଫୁଲ୍ଲ ଦାଶ ସାମ୍ବିଧାନିକ କର୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସହିତ ମହିଳାଙ୍କ ସମ୍ପତିଗତ ଅଧିକାର, ସାମ୍ଭିଧାନିକ ଅଧିକାର, ଭରଣ ପୋଷଣ ଆଇନ ଭଳି ବିଭିନ୍ନ ଦିଗ ରେ ଆଲୋକପାତ କରିଥିଲେ । ସରକାରଙ୍କ ଦ୍ୱାରା ପ୍ରଦତ ବିଭିନ୍ନ ଜନମଙ୍ଗଳକକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଙ୍ଗେ ସଙ୍ଗେ ଆଇନସେବା ପ୍ରାଧିକରଣ ର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା ,ମଧ୍ୟସ୍ତିତା ଓ ଆପୋସ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ହୋଉଛି ତାହା ବିସ୍ତୃତ ଆଲୋଚନା କରିଥିଲେ ।
ଏହି ସଭାରେ ପଟ୍ଟାମୁଣ୍ଡାଇ ବାର ଆଶୋସିଏସନ କୋଷାଧକ୍ଷ ଧୀରେନ୍ଦ୍ର ନାଥ ସାହୁ, ସେକ୍ରେଟାରୀ ରବୀନ୍ଦ୍ର କୁମାର ଦାଶ, ଆଇନଜୀବୀ ଶରତ ମଲ୍ଲିକ, ଓ କୋଟର ସମସ୍ତ କର୍ମକର୍ତା, ପିଏଲଭି ସଭ୍ୟାସଭ୍ୟ ଉପସ୍ଥିତ ରହି ମଣିଷର ଜନ୍ମ ଠାରୁ ବୃଦ୍ଧ ପଯ୍ୟନ୍ତ ସମସ୍ତଙ୍କର ମାନବିକତା କର୍ତବ୍ୟ ପାଳନ, କର୍ମ ଅନୁଯାଇ ଯିଏ ଯେଉଁ କ୍ଷେତ୍ରରେ ଥାଉନ୍ତୁ ନା କାହିଁକି ବିବେକାନୁଯାଇ ଜଣେ ଭଲ ମଣିଷର କର୍ତବ୍ୟ କରିବା ପାଇଁ ସମସ୍ତେ ନିଷ୍ପତି ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading