ବଙ୍ଗଳିସାହିର ଦୂର୍ଗା ପୂଜା ନିଆରା , ବିଦାୟଦିନ ମାଙ୍କୁ ଦିଆଯାଏ କନକ ଅଞ୍ଜୁଳି , ଚିକିମିକି ଆଲୋକମାଳାରେ ଝଲସୁଛି ପଟ୍ଟାମୁଣ୍ଡାଇ ସହର


ପଟ୍ଟାମୁଣ୍ଡାଇ ୯.୧୦ – ଆଶ୍ୱିଣ ଆସିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଂଚଳ ଉତ୍ସବ ମୁଖର ହୋଇଉଠେ । ପାର୍ବଣ ନେଇ ପୁଣି ଫେରିଛି ଶରତ ଋତୁର ଆଶ୍ୱିନ ମାସ । ସାଙ୍ଗରେ ଆଣିଛି ଉତ୍ସାହ ଓ ଉଦ୍ଦୀପନାର ପରଶ। ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। ମହାଳୟା ଠାରୁ ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇ ଗତ ଗୁରୁବାର ୩ତାରିଖ ଠାରୁ ନବରାତ୍ରୀ ଆରମ୍ଭ ହୋଇଯାଇଛି । ପୋଖରିଆପଡା ଗାୟତ୍ରୀ ମନ୍ଦିରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗତଜନନୀ । ବୁଧବାର ଶକ୍ତିପୀଠମାନଙ୍କରେ ସପ୍ତମୀ ପୂଜା। ପୂଜା ମଣ୍ଡପରେ ଆରମ୍ଭ ହେଉଛି ଷଷ୍ଠୀ ପୂଜା। ଆଉ ମାତ୍ର କେଇଦିନର ଅପେକ୍ଷାପରେ ପଡିବ ଦଶହରା। କାରିଗରଙ୍କୁ ର୍ଫୁସତ ନାହିଁ। ସବୁଥର ପରି ଏଥର ବି ତୋରଣରେ ଆଖିଖୋସା ଅନୁଭବ ଭେଟି ଦେବ । ପଟ୍ଟାମୁଣ୍ଡାଇର ଅଂଚଳର ପ୍ରମୁଖ ପୂଜା ମଣ୍ଡପରେ ନିଆରା ପୂଜା ବିଧିର ପରମ୍ପରା ଚଳି ଆସିଛି ।

ବଙ୍ଗାଳୀସାହି ମେଢ ସଭାପତି ବିଜୟ ଦାସ କୁହନ୍ତି ଆମ ସାହି ମୁଣ୍ଡରେ ମା’ଙ୍କର ମୃଣ୍ମୟୀ ମୂର୍ତିର ପୁଜାପାଆନ୍ତି । ଏହି ସାହିରେ ପ୍ରାୟ ୧୦୦ ଅଧିକ ପରିବାର ରୁହନ୍ତି । ଦୁର୍ଗା ପୂଜା ଉତ୍ସବ ଆସିଲେ ଦେଶ ବିଦେଶରେ ରହୁଥିବା ପରିବାରର ସଦସ୍ୟ ମାନେ ଗାଁକୁ ଫେରିଥାନ୍ତି । ସବୁରି ଘରେ ଚାଲେ ପିଠାପଣାର ଆସର। ନୂଆ ପୋଷାକ ସାଙ୍ଗକୁ ସ୍ୱାଦିଷ୍ଟ ବ୍ୟଞ୍ଜନରେ ମହକେ ସାହିଟା ସାରା । ଦୁର୍ଗାପୂଜା ସମୟରେ ପାଳନ କରାଯାଉଥିବା ୫ଟି ମୁଖ୍ୟ ପରମ୍ପରା ହେଉଛି ତର୍ପଣ, ୯ଟି ବୃକ୍ଷ ପୂଜା, କାଳପ୍ରାରମ୍ଭ, କୁମାରୀ ପୂଜା ଏବଂ ସିନ୍ଦୁରଖେଳ। ଆମ ସାହି ମା, ମାନେ ନିଜର କନ୍ୟା ସଦୃଶ ମା’ଙ୍କୁ ଦେଖିଥାନ୍ତି । ବର୍ଷକରେ ଥରେ କନ୍ୟା ଯେମିତି ବାପ ଘରକୁ ବୁଲି ଆସନ୍ତି ସେମିତି କନ୍ୟାରୁପରେ ମା’ଧରା ପୁଷ୍ଟରେ ଅବତରଣ କରନ୍ତିି । ମା’ଙ୍କୁ ସଜେଇ ଦିଅନ୍ତି ନିଆରା ଆଭୂଷଣରେ । ମା’ଙ୍କୁ ଏଠି କାଳିକା ତନ୍ତ୍ରରେ ପୂଜା କରାଯାଏ । ନବମୀ ପୂଜାରେ ମା’ଙ୍କୁ କୁଆଁରୀ କନ୍ୟା ରୂପରେ ପୂଜା କରିବାର ନିଆରା ବିଧି ପ୍ରଚଳିତ । ଦଶମୀ ପୂଜାରେ ଦେବୀଙ୍କ ନିକଟରେ ଅପରାଜିତା ପୂଜା ହୁଏ । ଏହାପରେ କରାଯାଏ ସିନ୍ଦୁର ଓ ଅବିର ଖେଳ । ସାହିର ସମସ୍ତ ପୁରୁଷ ଓ ମହିଳା ମାନେ ୫ ଦିନର ପୂଜା ପରେ ମା’ଙ୍କୁ ଶେଷ ଅର୍ଘ୍ୟ ଦିଅନ୍ତି । ଯେତେବେଳେ ମା’ ପାଣିକୁ ବିସର୍ଜନ ହେବାକୁ ପୂଜା ମଣ୍ଡପ ଛାଡନ୍ତି ସେତେବେଳେ ସୃଷ୍ଟିହୁଏ ଅଶ୍ରୁଳ ମୁହୁର୍ତ । ଝିଅ ଶାଶୁଘରକୁ ବିଦାୟ ହେବା ସମୟରେ ଯେମିତି ପରିବାରରେ କାନ୍ଦବୋବାଳି ପଡେ ସେତେବେଳେ ଝିଅର କାନିରେ ମା’କନକ ଅଞ୍ଜୁଳି ବାନ୍ଧି ଦେଇଥାନ୍ତି । ସେମିତି ଏହି ସାହିର ମହିଳା ମାନେ ସେମାନଙ୍କର ଝିଅ ସଦୃଶ ଦୁର୍ଗା ଦେବୀଙ୍କୁ ବିଦାୟ ବେଳାରେ କନକ ଅଞ୍ଜୁଳି ପ୍ରଦାନ କରି ବିଦାୟ ଦିଅନ୍ତି ।

ସେହିପରି ନିଳକଣ୍ଠପୁର ଗ୍ରାମର କାଳିଆ ନନ୍ଦି କୁହନ୍ତି , ନୀଳକଣ୍ଠପୁର ପୂଜାମଣ୍ଡପରେ ଭିନ୍ନ ପରମ୍ପରା ଦେଖିବାକମିଲୁଥିବା ବେଳେ ନବମୀ ତିଥିରେ ମାନସିକଧାରୀ ଭକ୍ତମାନେ ମୁଣ୍ଡ ଉପରେ ନିଆଁ ପଲମକୁ ରଖି ସେଥିରେ ଝୁଣା ଜାଳି ମା’ଙ୍କ ପାଦରେ ସମର୍ପଣ କରିଥାନ୍ତି। ଏଥିପାଇଁ ପୂଜାମଣ୍ଡପରେ ଜୋରର୍ସୋରେ ଭକ୍ତଙ୍କ ଗହଳି ଲାଗିଥାଏ। ଦୁର୍ଗାପୂଜାର ନବମୀ ତିଥିରେ ମା’ଙ୍କ ନିକଟରେ ଝୁଣା ପୋଡ଼ିଲେ ସାତ ଜନ୍ମର ପାପକ୍ଷୟ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି। ସେଥିପାଇଁ ଏହି ଦିନରେ ଭକ୍ତମାନେ ନିର୍ଜଳା ବ୍ରତ ରଖି ସନ୍ଧ୍ୟାରେ ମା’ଙ୍କ ଛାମୁରେ ନିଜର ମାନସିକ ଜଣାଇ ଝୁଣା ପୋଡ଼ିଥାନ୍ତି। ଏଥିସହିତ ମା’ଙ୍କ ପାଦ ତଳେ ଓଦା କମ୍ବଳ ଘୋଡ଼େଇ ହୋଇ ଯୋଡ଼ ହସ୍ତରେ ବସି ମା’ଙ୍କୁ ଆରାଧନା କରିଥାନ୍ତି।

ପୋଖରିଆପଡାର ଅକ୍ଷୟ ସାହୁ କୁହନ୍ତି ଦୁର୍ଗା ପୂଜା ପାଇଁ ପଟ୍ଟାମୁଣ୍ଡାଇରେ ବିଶାଳ ଆୟୋଜନ ହେଉଥିବା ବେଳେ ସମସ୍ତ ଦୁର୍ଗା ପୂଜା ସମିତି ପକ୍ଷରୁ ତୋରଣ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଲାଣି । ଏଥିସହ ପୋଖରିଆପଡା ଦୁର୍ଗା ପୂଜା ସମିତି ପକ୍ଷରୁ ଦଶମୀ ଦିନ ବିଧି ମୁତାବକ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ବୁଲାବୁଲିକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଫୋର୍ସ ସମେତ କମିଟିର ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ମହିଳା ସ୍ୱେଚ୍ଛାସେବୀ ବି ରହିବେ। ଫାୟାର ଗାଡ଼ି ସମେତ ନିଜସ୍ୱ ଆମ୍ବୁଲାନ୍‌ସ, ଫାଷ୍ଟ୍ ଏଡ୍ ସୁବିଧା ରହିବ। ପୂଜାକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରାଯିବା ସହିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ ବୋଲି ଆଇଆଇସି ସୁଶାନ୍ତ ସାହୁ କହିଛନ୍ତି ।


Next Post

ପଟ୍ଟାମୁଣ୍ଡାଇ କଲେଜରେ ଗୋପବନ୍ଧୁ ଜୟନ୍ତୀ

Wed Oct 9 , 2024
ପଟ୍ଟାମୁଣ୍ଡାଇ ୯/୧୦-ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଶିକ୍ଷା ବିଭାଗ ମୁଖ୍ୟ ନିବେଦିତା ନାୟକ, ଅଧ୍ୟାପିକା ନମିତା ବେହେରା, ମୁଖ୍ୟ କିରାଣୀ ପ୍ରମୋଦ ପରିଡା ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଯୋଗ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନୀତି ଆଦର୍ଶ ତ୍ୟାଗ ସେବା […]

You May Like