ଗୋବରୀ ପୁନଉଦ୍ଧାର ନାଆଁରେ ୧୧ କୋଟି ଚଳୁ
ପଟ୍ଟାମୁଣ୍ଡାଇ ୧୭/୧- -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ପାଖ ଦେଇ ପ୍ରବାହିତ ଗୋବରୀ ନଦୀ ଏବେ ଶୁଷ୍କ ହୋଇପଡିଛି । ଫଳରେ ଏହି ନଦୀ ଉପରେ ନିର୍ଭର କରୁଥିବା ଉଭୟପାର୍ଶବର ଶତାଧିକ ଗ୍ରାମବାସୀ ହଇରାଣ ହରକତ ହେଉଛନ୍ତି। ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି । ଯାହାଦ୍ୱାରା ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ଘଟିପାରୁନାହିଁ। ଏହି ନଦୀର ପୁନଃ ଉଦ୍ଧାର ପାଇଁ ୨୦୧୦-୧୧ ସାଢେ ୩ କୋଟି ୨୦୨୧-୨୨ରେ ୭ କୋଟି ୫୫ ଲକ୍ଷ ବ୍ୟୟରେ ଖନନ କାର୍ଯ୍ୟ ଆରମ୍ଭ ହୋଇ ଅଧାରୁ ବନ୍ଦ ହୋଇଯାଇଥିଲା । ୧୧ କୋଟିର କାମ ପଣିରେ ପଡିଥିବା ବେଳେ ଚଳିତବର୍ଷ ପୁନଉଦ୍ଧାର କରାଯିବାକୁ ପ୍ରକ୍ରୀୟା ଆରମ୍ଭ ହୋଇଛି। ଏଥି ପାଇଁ ଜଳସଂପଦ ଅଧିନରେ ଥିବା ଡ୍ରେନେଜକଟ ବିଭାଗର ବରିଷ୍ଠ ଅଧିକାରୀମାନେ ଗତ ୨୦୨୪ ନଭେମ୍ବର ୧୪ ତାରିଖରେ ପଟ୍ଟାମୁଣ୍ଡାଇ ଗୋବରୀ ନଦୀ ପରିଦର୍ଶନ କରି ଡିପିଆର ପ୍ରସ୍ତୁତି କରିଛନ୍ତି ବୋଲି ସହକାରୀ ଯନ୍ତ୍ରୀ ନିହାର ରଂଜନ ରାଉତରାୟ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ଏହି ଗୋବରୀ ନଦୀ ୧୫ ଦଶନ୍ଧି ପୂର୍ବରୁ ଚିରସ୍ରୋତା ବ୍ରାହ୍ମଣୀ ସହ ସଂଯୋଗ ରହି ନୌକା ଚଳାଚଳ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ପଥ ବନ୍ଦ ହେବାରୁ ଗୋବରୀ ନଦୀ କ୍ରମଶଃ ପୋତିହୋଇଗଲା । ଏହା ସୁଜଗରେ କେତେଜଣ ମୃଷ୍ଟିମେୟ ଲୋକ ସ୍ଥାନୀୟ ପ୍ରଶାସନକୁ ହାତକରି ନଦୀର କିସମ ବଦଳାଇ ନିଜନାମକୁ କରି ହେକ୍ଟର ହେକ୍ଟର ଜମିକୁ ଅନାୟାସରେ ବିକ୍ରି କରିଚାଲିଛନ୍ତି । ନଦୀର ଶୁଖିଲା ଅଂଶକୁ ପୋତି ବେଆଇନ ଭାବେ କୋଠା ନିର୍ମାଣ କରାଯାଉଛି । ଗୋବରୀ ନଦୀ ଲୁଟ୍ ପଛରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର କିଛି କମ୍ ଭୂମିକା ନାହିଁ ବୋଲି ସଧାରଣରେ ମତପ୍ରକାଶ ପାଉଛି ।
ଯୁବସଂଗଠକ ଗୌତମ ବେହେରା କୁହନ୍ତି ଏହି ନଦୀର ଉତ୍ପତି ସ୍ଥଳ ବ୍ରାହ୍ମଣୀ ସଂଜୋଗ ପଥକୁ ୧୮୬୮ ମସିହାରେ ବ୍ରିଟୀସ ସରକାର ବନ୍ୟା ନିୟନ୍ତ୍ଣ ପାଇଁ ବନ୍ଧ ନିର୍ମାଣ କରିବା ସହିତ ବନ୍ୟା ଜଳ ଗୋବରୀ ନଦୀ ଦେଇ ସମୁଦ୍ରକୁ ନିସ୍କାଶନ ପାଇଁ ଏକ ପଥ ରଖିଥିଲେ । ମାତ୍ର ଜଳସମ୍ପଦ ବିଭାଗ ଛଅ ଦଶନ୍ଧି ତଳେ ଏକ ବେଆଇନ ବନ୍ଧ ନିର୍ମାଣ କରି ନଦୀର ସ୍ରୋତକୁ ପ୍ରଥମେ ପ୍ରତିହିତ କରିଥିଲେ । ପରବର୍ତୀ ସମୟରେ ସରକାର ବେଲତଳ ଓ ଦକ୍ଷିଣଦିଆ ମୌଜାର ଗୋବରୀ ନଦୀକୁ ପୋତି ଏକାଧିକ ସରକାରୀ କୋଠା ନିର୍ମାଣ କରିଥଲେ । ଏହାର ସୁଜନେଇ କେତେକ ମୁଷ୍ଠିମେୟ ଲୋକ ପୋଖରିଆପଡା, ବେଲତଳ, ଦକ୍ଷୀଣଦିଆ ମୌଜାର ଅଧିକାଂଶ ଗୋବରୀନଦୀରେ ବେସରକାରୀ କୋଠା ମଧ୍ୟ ନିର୍ମାଣ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି ।
ପରିବେଶବିତ୍ ବିଭୂତି ଭୂଷଣ ମହାପାତ୍ର କୁହନ୍ତି, ଗୋବରୀ ନଦୀ ଶୁଷ୍କ ହୋଇପଡୁଥିବାବେଳେ ଛୋଟ ନଦୀ ସବୁର ବର୍ଷାଦିନେ ଅବସ୍ଥା କିଭଳି ଥିବ ତାହା ସହଜରେ ଆକଳନ କରାଯାଇପାରେ। ଏଭଳି ପରିସ୍ଥିତି ହେବା ଚିନ୍ତାଜନକ। କାରଣ ଆମ ପାଇଁ ଯେତିକି ପରିମାଣର ଜଳ ଆବଶ୍ୟକ ତାହାର ୬୫ ପ୍ରତିଶତରୁ ଅଧିକ ନଦୀ ଦ୍ୱାରା ପୂରଣ ହୋଇଥାଏ।
ବୁଦ୍ଧିଜୀବୀ ଅନନ୍ତ ଦାଶ କୁହନ୍ତି, ଗୋବରୀ ନଦୀ ରୂପରେ ପଟ୍ଟାମୁଣ୍ଡାଇ ଅଂଚଳକୁ ଯେଉଁ ପ୍ରକୃତିର ବରଦାନ ମିଳିଛି, ସରକାର ଅନ୍ତତଃ ନଦୀର ଅସ୍ତିତ୍ୱ ପ୍ରତି ସମ୍ବେଦନଶୀଳ ରହିବା ଆବଶ୍ୟକ। କିନ୍ତୁ ଦୁର୍ଭାଗ୍ୟବଶତଃ ବିକାଶରୂପକ ବିପର୍ଯ୍ୟୟ ହିଁ ଆଜି ନଦୀ ପ୍ରତି ଥିବା ଆମ ସମ୍ବେଦନଶୀଳତାକୁ ମାରି ଦେଇଛି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାନ ଓ ଖାଦ୍ୟ ପଦାର୍ଥର ନୂତନ ରିପୋର୍ଟରୁ ଜଣାପଡ଼ିଛି, ଜଳସଙ୍କଟର ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକ ତାଲିକାରେ ଭାରତ ବିଶ୍ୱସ୍ତରରେ ୧୩ତମ ସ୍ଥାନରେ ରହିଛି। ଭାରତର ସ୍ଥିତି ଆଗକୁ ଅଧିକ ବିଗିଡ଼ିପାରେ। ଚାଷୀଙ୍କୁ ଜଳସେଚନରେ ଜଳାଭାବ ଦେଖାଦେଇପାରେ।
ଆଇନଜୀବୀ ପ୍ରମୋଦ ସାହୁ ରାଜ୍ୟ ସରକାର ଓ ସ୍ଥାନୀୟ ରାଜନେତା ପଟ୍ଟାମୁଣ୍ଡାଇର ଇତିହାସ, ଭୌଗୋଳିକ ଅବସ୍ଥିତିକୁ ନ ଜାଣି କେବଳ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହୁଛନ୍ତି। ଠିକ୍ ଭାବେ ଆକଳନ ନ କରି ଅଂଚଳବାସୀଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି। ତେଣୁ ସରକାର ବେଳଥାଉଣୁ ସଜାଗ ହୋଇ ବ୍ରାହ୍ଣଣୀ ନଦୀ ସହ ଗୋବରୀ ନଦୀର ସଂଜୋଗ କରିବା ଅପରିହାର୍ଯ୍ୟ ହୋଇପଡିଛି ।