କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ଓ ପନୀୟ ଜଳ ସୁବିଧା ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ନୂତନ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ସାମାଜିକ କର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି ପଟ୍ଟାମୁଣ୍ଡାଇ ତହସିଲ ଉପରେ ନିର୍ଭରଶୀଳ ୩୧ ପଂଚାୟତର ୧୫୫ଗ୍ରାମର ଜନସାଧାରଣ, ଛାତ୍ରୀଛାତ୍ର ଜମିଜମା କାଗଜପତ୍ର ଓ ସାର୍ଟିଫିକେଟ ପାଇଁ ଆସିବାବେଳେ ପିଇବାକୁ ପାଣି ଟୋପେ ପାଉନାହାନ୍ତି କି ଶୌଚାଳୟ ନଥିବାରୁ ଶୌଚହୋଇ ପାରୁ ନାହାଁନ୍ତି । ଶୌଚ ପାଇଁ ରାସ୍ତା କଡକୁ ଯାଉଛନ୍ତି । କାର୍ଯ୍ୟାଳକୁ ବହୁ ଦୂରରୁ ଲୋକେ ବିଭିନ୍ନ କାର୍ଯ୍ୟରେ ଆସି ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି । ଶୋଷ ହେଲେ ପାଣି ଟୋପେ ପିଇବାକୁ ନ ମିଳିବାରୁ ସେମାନେ ବାହାର ଦୋକାନରୁ କିଣିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି ।
ପଟ୍ଟାମୁଣ୍ଡାଇ ଧୋୟାଂଚଳର ନରେନ୍ଦ୍ର ଧଳ, ହିମାଂଶୁ ବିଶ୍ୱାଳ, କୈଳାସ ସେଠୀ କୁହନ୍ତି ,ସଦରମହକୁମାଠାରୁ ଅଳପୁଆ, ଅଣ୍ଢରା, ତରଡିପାଳ, ପେଣ୍ଠପାଳ , ବଲୁରିଆ, ସିହଂଗାଁ, ଅମ୍ବୁତମଣୋହି, ଖଣନ୍ତା, ବିଲିକଣା ଆଦି ପଂଚାୟତ ୨୨ରୁ ୨୫ କିମି ଦୂରରେ ରହିଛି । ଏସବୁ ପଂଚାୟତରୁ ମଧ୍ୟ ପ୍ରତଦିନ ଶତାଧିକ ଲୋକ ଆସୁଛନ୍ତି । ମାତ୍ର ପରିତାପର ବିଷୟ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟଟିଏ ନ ଥିବାରୁ ସେମାନଙ୍କୁ ହଇରାଣ ହେବାକୁ ପଡୁଛି । ମାତ୍ର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପୌରପରିଷଦ ପକ୍ଷରୁ ଇକୋ ଟଏଲେଟ ନିର୍ମାଣ ହୋଇ ଦୀର୍ଘବର୍ଷ ହେଲା ଭାଙ୍ଗିରୁଜି ପରିତ୍ୟକ୍ତ ଅବସ୍ଥାରେ ରହିଛି । ସରକାର ସ୍ୱଚ୍ଛ ଭାରତ ଯୋଜନାରେ ଗ୍ରାମାଂଚଳରେ ପାଇଖାନା ନିର୍ମାଣକୁ ଗୁରୁତ୍ୱ ଦେଉଥିବାବେଳେ ଖୋଦ୍ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ଓ ପାନୀୟ ଜଳ ସୁବିଧା କରା ନ ଯିବା ଆଲୋଚ୍ୟର ବିଷୟ ହୋଇଛି ।
ଶୌଚାଳୟ ନଥିବାରୁ ବିଶେଷ କରି ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଚେରି ପୋଖରୀକୁ ରାସ୍ତା ଯାଇଛି । ସେହି ରାସ୍ତା ପାର୍ଶ୍ୱରେ ଲୋକେ ପରିଶ୍ରା କରୁଥିବାରୁ ଉକ୍ତ ଅଂଚଳ ଦୁର୍ଗନ୍ଧ ହେଉଛି । ଏପରିକି ଉକ୍ତ ରାସ୍ତା ଦେଇ ମହିଳାମାନେ ଯାତାୟାତ କରିବାକୁ ସଂକୋଚ କରୁଛନ୍ତି । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।
ଏ ସମ୍ପର୍କରେ ତହସିଲଦାର ସମିର ବେହେରାଙ୍କୁ ପଚାରିବାରୁ ଏହି ଅଳ୍ପ ଦିନ ହେବ ଏଠାରେ ନୂର୍ତନ ଭାବେ କାର୍ଯ୍ୟରେ ଯୋଗଦେଇଛି । ଯେଉଁ ସବୁ ଅସୁବିଧା ଅଛି ଧିରେ ଧିରେ ଦୁରିକରଣ କରାଯିବ ।