ବଦଳୁଛି ନେତୃତ୍ୱ, କାର୍ଯ୍ୟକାରୀ ହେଉନି ପ୍ରତିଶୃତି ସ୍ୱପ୍ନରେ ରହିଗଲା ଗୁଡିଆ ଯୋର ସେତୁ ନିର୍ମାଣ କାର୍ଯ୍ୟ , ବିପଦସଂକୁଳ ଯୋର ପାର ହେବାରେ ଗଲାଣି ୪ ଚାଷୀଙ୍କ ଜୀବନ


କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଚଂଳର ଅଣ୍ଢରା ଭେଡାରେ ଥିବା ଗୁଡିଆ ଯୋର ଉପରେ ସେତୁ ନିର୍ମାଣ ସ୍ୱପ୍ନରେ ରହିଯାଇଛି । ନେତୃତ୍ୱ ପରେ ନେତୃତ୍ୱ ବଦଳୁଛି । ହେଲେ ଚାଷୀମାନଙ୍କୁ ବାରମ୍ବାର ଦିଆଯାଉଥିବା ପ୍ରତିଶୃତି କାର୍ଯ୍ୟକାରୀ ହେଉନାହିଁ । ଏହି ଗୁଡିଆ ଯୋର ପାର ହେଲେ ଅଣ୍ଢରା ଭେଡାର ଶହ ଶହ ଏକର ଉର୍ବର ଚାଷଜମି ରହିଛି । ବିଶେଷ କରି ଏହି ଚାଷଜମିରେ ରବି ଫସଲକୁ ଅର୍ଥକରୀ ଫସଲ ଭାବେ ଛାଷୀମାନେ ବ୍ୟାପକ ଭାବେ ଚାଷ କରନ୍ତି । ବର୍ଷ ବର୍ଷ ଧରି ଗୁଡିଆ ଯୋର ଉପରେ ସେତୁଟିଏ ନିର୍ମାଣ ପାଇଁ ସ୍ଥାନୀୟ ଅଚଂଳର ରାଜନେତା, ବୁଦ୍ଧିିଜୀବି ବିଶେଷ କରି ଚାଷୀମାନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏଥି ପ୍ରତି କେହି କର୍ଣ୍ଣପାତ କରୁନଥିବାରୁ ଗୁଡିଆ ଯୋର ସେତୁ ନିର୍ମାଣ କାର୍ଯ୍ୟ ଆଶା ମଉଳି ଯାଇଛି । ନିର୍ବାଚନ ଆସିଲେ ସ୍ଥାନୀୟ ଅଧିବାସୀଙ୍କ ମୁଖ୍ୟ ସମସ୍ୟା ଗୁଡିଆ ଯୋର ସେତୁ ନିର୍ମାଣ କାର୍ଯ୍ୟକୁ ନେଇ ରାଜନେତାଙ୍କ ପୁଳା ପୁଳା ପ୍ରତିଶୃତି ମିଳୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେବା ନେଇ କେହି କେବେ ଉଦ୍ୟମ କରିନାହିଁ । ଦୀର୍ଗ ୨୮ ବର୍ଷରୁ ଉର୍ଦ୍ଧ୍ୱ ହେବ ଗୁଡିଆ ଯୋର ଉପରେ ସେତୁ ନିର୍ମାଣ ଦାବି ହୋଇ ଆସୁଛି । ଏହି ଅଚଂଳ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀରେ ଥିବା ସମୟରେ ୧୯୯୫ ମସିହାରେ ଗୁଡିଆ ଯୋରର ଉଭୟ ପାଶ୍ୱର୍ରେ ମାଟି ପକାଯିବା ସହିତ ସେତୁ ନିର୍ମାଣ ପାଇଁ ଉଦ୍ୟମ କରାଯାଇଥିଲା । ପରବର୍ତୀ ସମୟରେ ୧୯୯୭ ମସିହାରେ ତତକାଳୀନ ପଟ୍ଟାମୁଣ୍ଡାଇ ବିଧାୟକଙ୍କ ଉଦ୍ୟମରେ ପଥର ପକାଯାଇ ବନ୍ଧ ନିର୍ମାଣ ଉଦ୍ୟମ କରାଯାଇଥିଲା । ଗତ ୨୦୦୧ ମସିହାରେ ପଟ୍ଟାମୁଣ୍ଡାଇର ତତ୍‌କାଳୀନ ବିଧାୟକ ମଧ୍ୟ ଗୁଡିଆ ଯୋର ଉପରେ ସେତୁ ନିର୍ମାଣ ଉଦ୍ୟମ କରି ବ୍ୟର୍ଥ ହୋଇଥିଲେ । ପରବର୍ତୀ ସମୟରେ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଉଛେଦ ହେବା ପରେ ପଟ୍ଟାମୁଣ୍ଡାଇ ଧୋୟାଚଂଳ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ସହିତ ସାମିଲ ହୋଇଛି । ଏହାପରେ ୨୦ ବର୍ଷ ଅତିକ୍ରାନ୍ତ ହୋଇସାରିଲାଣି । କିନ୍ତୁ ଗୁଡିଆ ଯୋର ଉପରେ ସେତୁ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇପାରିନାହିଁ । ନିର୍ବାଚନ ସମୟରେ ରାଜନେତାମାନେ ଅଚଂଳର ଏହି ମୌଳିକ ସମସ୍ୟା ପ୍ରତି ସମବେଦନା ଜଣାଇବା ସହିତ ଦେଉଥିବା ପୁଳା ପୁଳା ପ୍ରତିଶୃତି ପାଣିରେ ଗାର ପାଲଟିଛି । ଧୋୟାଚଂଳର ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରୁଥିବାବେଳେ ଅଣ୍ଢରା, ଅମୃତମଣୋହି, ବଲୁରିଆ ଅଚଂଳର ଶହ ଶହ ଚାଷୀ ପେଟପାଟଣା ପାଇଁ କୃଷିକୁ ଆଦରି ନେଇଛନ୍ତି । ଅପରନ୍ତୁ ଗୁଡିଆ ଯୋର ଆରପଟରେ ଥିବା କାଣୀ ଖରସ୍ରୋତା ନଦୀର ଦୀପାଚଂଳ ଉର୍ବର ଚାଷଜମିରେ ବିଭିନ୍ନ ଫସଲ ଫଳାଇ ପରିବାର ଗୁଜୁରାଣ ମେଟାଂଇବା ପାଇଁ ଚାଷୀମାନେ ବିପଦସଂକୁଳ ଗୁଡିଆ ଯୋରକୁ ବାଉଁଶ ମାଧ୍ୟମରେ ପାରଉତାର ହେବାକୁ ବାଧ୍ୟ ହେଉଛନ୍ତି । ଗୁଡିଆ ଯୋର ଆରପଟରେ ବେଣା ଜଙ୍ଗଲ ଭର୍ତି ହୋଇ ରହିଥିବାରୁ ବିଷଧର ସାପମାନଙ୍କ ବିଚ୍ଚରଣ ରହିଛି । ଅନ୍ୟପକ୍ଷରେ ଗୁଡିଆ ଯୋର ପାର ହୋଇ ଆରପଟକୁ ଯାଉଥିବା ଚାଷୀ ଯାତାୟତ ସମସ୍ୟା ଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଷଜମିରେ ଭୋକ ଉପାସରେ ରହି କାର୍ଯ୍ୟ କରି ବିଳମ୍ବରେ ଫେରିବାକୁ ବାଧ୍ୟ ହେଉଛନ୍ତି । ଚାଷଜମିକୁ ଯାଉଥିବା ବହୁ ଚାଷୀ ଅନେକ ସମୟରେ ଅସୁସ୍ଥ ହୋଇଥିବା ଦେଖରବାକୁ ମିଳୁଛି । ନିକଟରେ ଅଣ୍ଢରା ଗ୍ରାମର ବରିଷ୍ଠ ଚାଷୀ ଗଣେଶ ଚନ୍ଦ୍ର ମଲ୍ଲିକ ଗୁଡିଆ ଯୋର ଆରପଟରେ ଥିବା ଜମିରେ ବିରି ବୁଣିବାକୁ ଯାଇ ପ୍ରାଣ ହରାଇଥିଲେ । ଗୋଟିଏ ଦିନ ପରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ସେହିପରି ପୂର୍ବରୁ ଅଣ୍ଢରା ଗ୍ରାମ ପଦ୍ମଚରଣ ମଲ୍ଲିକ, ଦେବବ୍ରତ ମଲ୍ଲିକ ଓ ଗଣେଶ ଚନ୍ଦ୍ର ନାୟକଙ୍କର ଗୁଡିଆ ଯୋର ଆରପଟରେ ମୃତ୍ୟୁ ଘଟିଥିଲା । ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ଗ୍ରାମ୍ୟ ପରିବେଶରେ ଯାତାୟତ ସମସ୍ୟା ଦୂର କରିବା ପାଇଁ ଛୋଟ ନଦୀନାଳ ଉପରେ ବିଜୁ ସେତୁ ନିର୍ମାଣ କରୁଛନ୍ତି । କିନ୍ତୁ ଗୁଡିଆ ଯୋର ସେତୁ ନିର୍ମାଣ କାର୍ଯ୍ୟ କେବଲ ମାତ୍ର ପ୍ଲାନ ଏଷ୍ଟିମେଟ ମଧ୍ୟରେ ସୀମିତ ରହି ଅଚଂଳବାସୀଙ୍କୁ ଉପହାସ କରୁଛି । ଡ୍ରେନେଜ ବିଭାଗ ଅଧିନରେ ଥିବା ଗୁଡିଆ ଯୋର ଉପରେ ତୁରନ୍ତ ସେତୁ ନିର୍ମାଣ କରିବା ପାଇଁ ବରିଷ୍ଠ କୃଷକନେତା ଚିତରଞନ ମଲ୍ଲିକ, ରଞିତ ମଲ୍ଲିକ, ଉଲ୍ଲାସ ମଲ୍ଲିକ, ଅଲେଖ ମଲ୍ଲିକ, ପ୍ରଫୁଲ୍ଲ ଯେନା, ବ୍ରଜକିଶୋର ସେଠୀ, ଉଲ୍ଲାସ ଚନ୍ଦ୍ର ନାୟକ ପ୍ରମୁଖ ସରକାରଙ୍କ ଠାରେ ଦାବି କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading