କେନ୍ଦ୍ରାପଡ଼ା,୧୯ା୨ : କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରିକ୍ଷା ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ଜିଲ୍ଲାରେ ୧୦୩ ଟି ପରୀକ୍ଷା କେନ୍ଦ୍ରରେ ୧୯,୨୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମୁକ୍ତ ହାଇସ୍କୁଲରେ ୩୧୦ ଜଣ ପରୀକ୍ଷାର୍ଥୀ ୨ଟି ପରୀକ୍ଷା କେନ୍ଦ୍ରରେ , ୩୦୮ ଜଣ ମଧ୍ୟମା ପରୀକ୍ଷାର୍ଥୀ ୧୫ଟି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ୧୦୩ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପରିଚାଳନା କରିବା ନିମନ୍ତେ ୧୦୩ଜଣ ଅଧିକ୍ଷକ ଓ ୧୦୩ଜଣ ଉପଅଧିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହାବ୍ୟତିତ ଯେଉଁ ପରିକ୍ଷା କେନ୍ଦ୍ରରେ ୨୫୦ଜଣରୁ ଅଧିକ ପରୀକ୍ଷାର୍ଥୀ ଥରଲେ ସେହି କେନ୍ଦ୍ରରେ ୨ଜଣ ଉପଅଧିକ୍ଷକ ରହିବାର ବ୍ୟବସ୍ଥା କରାଯାଇଛି । କପି ରୋକିବା ନିମନ୍ତେ କଟକ ବୋର୍ଡରୁ ଗୋଟିଏ ସ୍କ୍ୱାର୍ଡ ଜିଲ୍ଲାକୁ ଆସିବାର ବ୍ୟବସ୍ଥା ଥିବା ବେଳେ ୨ଟି ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହାସହିତ ବ୍ଲକ ନିମନ୍ତେ ମଧ୍ୟ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାର୍ଡ ରହିବାର ବନ୍ଦୋବସ୍ତ ହୋଇଛି । ଜିଲ୍ଲାର ୯ଟି ନୋଡାଲ ହାଇସ୍କୁଲରେ ହୋଇଥିବା ନୋଡାଲ ସେଣ୍ଟର ଗୁଡିକରେ ପ୍ରଶ୍ନପତ୍ର କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସେଗୁଡିକ ହେଉଛି ଜିଲ୍ଲାର ମାର୍ଶାଘାଇ ବ୍ଲକର ମାର୍ଶାଘାଇ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡାର ବାଲିଆ ସରକାରୀ ହାଇସ୍କୁଲ ଏବଂ କେନ୍ଦ୍ରାପଡା ସରକାରୀ ହାଇସ୍ୁଲ, ଗରଦପୁର ବ୍ଲକର ପାଟକୁରା ହାଇସ୍କୁଲ, ପଟ୍ଟାମୁଣ୍ଡାଇ ବ୍ଲକର କଷଣଅ । ପଞ୍ଚାୟତ ହାଇସ୍କୁଲ, ଆଳି ବ୍ଲକର ଆଳି ହାଇସ୍କୁଲ, ରାଜନଗର ବ୍ଲକର ରାଜନଗର ହାଇସ୍କୁଲ, ମହାକାଳପଡାର କେୟାରବାଙ୍କ ହାଇସ୍କୁଲ ଏବଂ ରାଜକନିକା ବ୍ଲକର ରାଜେନ୍ଦ୍ର ନାରାୟଣ ହାଇସ୍କୁଲ ପ୍ରଭୃତି । ପରୀକ୍ଷାକେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍ ନେବାପାଇଁ ନିଷିଦ୍ଧ କରାଯାଇଛି । ଜିଲ୍ଲାର ମୋଟ ୧୦୫ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୬ଟିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବସ୍ଥା ଏବଂ ୧୬ଟିରେ ଲାଇଭଂ ସ୍କ୍ରିନିଂ ବ୍ୟବସ୍ଥା ବୋର୍ଡ ପକ୍ଷରୁ କରାଯାଇଥିବା ବେଳେ ବାକି ୮୩ଟି କେନ୍ଦ୍ରରେ ୫-ଟି ଯୋଜନାରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୯ଟି ନୋଡାଲ ସେଣ୍ଟରରୁ ୨୭ଟି ଟିମ ଗଠନ କରାଯାଇ ସେଥିରେ ୫୪ଜଣ ସଦସ୍ୟଙ୍କ ଦ୍ୱାରା ୧୦୫ଟି ପରୀକ୍ଷା କେନ୍ଦ୍ରରେ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୁଷମା ମହାପାତ୍ର ସୂଚନା ଦେଇଛନ୍ତି । ପରୀକ୍ଷାକୁ ଶାନ୍ତିଶୃଙ୍ଖଳା ସହିତ ପରିଚାଳନା କରାଯିବାକୁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି ।