କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଜବରଦଖଲ ସମସ୍ୟା ବଢି ବଢି ଚାଲିଛି । ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଚାଷୀ ହୀନସ୍ତା ଭୋଗୁଥିବା ବେଳେ ଚାଷକ୍ଷେତକୁ କେନାଲ ପାଣି ମାଡୁନାହିଁ । ଗ୍ରାମାଂଚଳରେ ଜମି ଜବରଦଖଲ ଦୂରର କଥା ଖୋଦ ପଟ୍ଟାମୁଣ୍ଡାଇ ସହର ମହକୁମା ଓ ତା’ର ଆଖପାଖ ଅଂଚଳରେ ମୁଲ୍ୟବାନ ସରକାରୀ ଜମି ସମେତ ଗୋଚର, ଅନାବାଦୀ ଜମି ଓ ଜଳସେଚନ ବିଭାଗର କେନାଲ ବନ୍ଧ ଜମି ଓ ନୟନଜୋରୀ ଜମିକୁ ମାଡିବସି ଘର କରିବା ସହିତ ବନ୍ଧବନ୍ଧାଇ ବେପାର କରିବା ଯୋଗୁଁ କ୍ଷେତକୁ ପାଣି ନ ଯିବାରୁ ଛାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।
ସମାଜସେବୀ ଅଶୋକ ଲେଙ୍କା କୁହନ୍ତି ପଟ୍ଟାମୁଣ୍ଡାଇ ସହର ଉପକଣ୍ଠ ପୋଖରିଆପଡା ଗ୍ରାମ ସନ୍ନିକଟ ପଟ୍ଟାମୁଣ୍ଡାଇ-ରାଜନଗର ତଳରାସ୍ତା ଉଭୟ ପାଶ୍ୱର୍ରେ ଥିବା ଶହ ଶହ ଏକର ଚାଷଜମିକୁୁ କେନାଲପାଣି ପ୍ରବେଶ ଓ ଉଦବ୍ୱୃତ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । କାରଣ ସେହି ପାଶ୍ୱର୍ରେ ଜଳସେଚନ ବିଭାଗର ଥିବା ନୟନଜୋରି ଓ କେନାଲକୁ ପୋତି ତାହା ଉପରେ କେତେକ ଲୋକ ଘର କରିଦେଇଛନ୍ତି । କେନାଲ ଜଳ ଲୋକଙ୍କ ଚାଷଜମି ପହଁଚି ପାରୁନାହିଁ । ଫଳରେ ଫସଲହାନୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ ।
ସେହିଭଳି ଚାଷୀ ରଞିତ ଜେନା କୁହନ୍ତି , କଖାରୁଣୀ ପୋଲ ଛକ କେନାଲ ବାମପାଶ୍ୱର୍ରେ ଥିବା ଜଳସେଚନ ବିଭାଗର ୩ ଏକରରୁ ଉର୍ଦ୍ଧ୍ୱ ନୟନଜୋରିକୁ ଜବରଦଖଲ କରାଯାଇ ବନ୍ଧ କରି ଜାଗା ବ୍ୟବସାୟ କରିବା ଯୋଗୁଁ ବିରାଟ ସମସ୍ୟା ସୃଷ୍ଟି ହୋଇଛି । ଏଥି ଯୋଗୁଁ ହେକ୍ଟର ହେକ୍ଟର ଚାଷ କ୍ଷେତକୁ କେନାଲ ପାଣି ପ୍ରବେସ କରିପାରୁନି । ଫଳରେ ସେଠାରେ ଚାଷକାମ ଆଗେଇ ପାରୁନି ବୋଲି ଚାଷୀ ମାନେ ଅଭିଯୋଗ କରୁଛନ୍ତି । ଏସମ୍ପର୍କରେ ଜଳସେଚନ ବିଭାଗ ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ବୃଦ୍ଧିଜିବୀ ପ୍ରଫୁଲ୍ଲ ଦାସ କୁହନ୍ତି , ପୋଖରିଆପଡା ଓ ମାଟିଆ ମୌଜାର କିଛି ପ୍ରଭାବଶାଳୀ ବ୍ୟକ୍ତି ନୟନ ଯୋରି ଓ କେନାଲ ଜାଗାକୁ ଅତି ଚଂଚକତାର ସହ ପଟ୍ଟା କରି ନେଇଯାଇଛନ୍ତି । ପଟ୍ଟାମୁଣ୍ଡାଇ ତହସିଲର ଖାତା ନମ୍ବର ୪୮୦ ଜସମ୍ପଦ ଜାଗା ପ୍ଲଟ୍ ନମ୍ବର ୯୪,୫୭୪ ପତିତ ଜମି. ଓ ପ୍ଲଟ ନଂ-୧୨୩୦,୫୬. ୨୧୬, ୩୪୬, ୪୬୯ କେନାଲ ଜମି, ୬୧୬,୬୧୭ ନୟନଜୋରି ଜାଗା ଓ ୧୨୩୧, ୧୨୨୯ କେନାଲ ବନ୍ଧ ରାସ୍ତା ସମୁଦାୟ ପ୍ରାୟ ୪ ଏକରରୁ ଉର୍ଦ୍ଧ୍ୱ ଜାଗା ଏବେ ଜବର ଦଖଲ କାରୀଙ୍କ ଅକତିଆରରେ ଅଛି । ଫଳରେ ଏହାର ପଛପଟରେ ଥିବା ଚାଷକ୍ଷେତକୁ ଏବେ ପାଣି ନ ଯିବାରୁ ଜମି ପଡିଆପଡୁଛି ।
ଆଇନଜିବୀ ପ୍ରଭାତ ବେରା କୁହନ୍ତି ନୟନଯୋରି ବା କେନାଲ କିସମ ସରକାରୀ ଜମି କୌଣସି ପରିସ୍ଥିତିରେ କାହାରି ହାତକୁ ଟେକି ଦିଆଯାଇପାରିବ ନାହିଁ । ଏହି ଜମିର କିସମ ମଧ୍ୟ ବଦଳି ପାରିବ ନାହିଁ । ଯଦି ସେ ସ୍ଥାନରେ କୌଣସି କେନାଲ ବା ଜଳାଶୟ ନଥାଏ ଏବଂ କୌଣସି ସରକାରୀ ଭିତିଭୂମି ବିକାଶ ପାଇଁ ଆବଶ୍ୟକତା ପଡେ, ତେବେ ଆରଡିସିଙ୍କ ଅନୁମୋଦନ ପରେ ନୟନଯୋରି କିସମକୁ ବଦଳା ଯାଇପାରିବ । କିନ୍ତୁ କୌଣସି ପରିସ୍ଥିତିରେ ବ୍ୟକ୍ତିଗତ କାହାକୁ ଲାଭ ଦେବା ପାଇଁ ଜମିର କିସମ ପରିବର୍ତନ କରାଯାଇପାରିବ ନାହିଁ ବୋଲି ରାଜସ୍ୱ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ମାତ୍ର ପଟ୍ଟାମୁଣ୍ଡାଇରେ ଏହାକୁ ଉପେକ୍ଷା କରାଯାଇ ବିଭିନ୍ନ ଜାଗାରେ ଏପରି ଜବରଦଖଲ ହୋଇ ଚାଲିଛି ।
ବର୍ଷା ହେଉ କି ନହେଉ, ଚାଷୀକୁଳ ଏହି କେନାଲ ପାଣି ଦ୍ୱାରା ନିଜର ଚାଷ କାର୍ଯ୍ୟ ତ୍ୱରାନ୍ୱିତ କରିଥାନ୍ତି । ଚଳିତ ଏପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଯଦି ପଟ୍ଟାମୁଣ୍ଡାଇ ସଦର ମହକୁମାରେ ଏଭଳି ଜମି ଜାଲିଆତି ହୋଇପାରେ ତାହେଲେ ଗ୍ରାମାଂଚଳରେ କିପରି ଜବରଦଖଲ କାରୀ ସରକାରୀ ଜମିକୁ ନିଜ କବଜାକୁ ନେଉଥିବେ ବୋଲି ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ତୁରନ୍ତ ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗକୁ ଆହୁରି ସମସ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ସେମାନେ ମତପ୍ରକାଶ କରିଛନ୍ତି । ଏବାବଦରେ ତହସିଲଦାର ଦିଲ୍ଲିପ ସେଠିଙ୍କୁ ଯୋଗାଯୋଗ କରିବାରୁ ଏପରି ଅଭିଯୋଗ ମୁଁ ପାଇଛି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥରଲେ ।