କେନାଲ ସଫେଇରେ ଅନିୟମିତତା: ଜମିରେ ମାଡୁନି ପାଣି , ତଳି ରୋଇ ବର୍ଷାକୁ ଚାହିଁଛନ୍ତି ଚାଷୀ,ମରୁଡ଼ି ଆଶଙ୍କାରେ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଅଂଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ମାଡୁନଥିବା ଯୋଗୁଁ ସବୁଠି ସ୍ଥିତି ବେହାଲ । ସରିଲା ଶ୍ରାବଣ, କିନ୍ତୁ ବର୍ଷାର ଦେଖାନାହିଁ । ନା ଅଛି ମୌସୁମୀ ବର୍ଷା ନା ଲଘୁଚାପଜନିତ ବର୍ଷା । ଚାଷୀ ଚାଷ କାର୍ଯ୍ୟ ପାଇଁ ମଟରପମ୍ପ ଲଗାଇ ରୁଆ ପୋତା କରୁଛନ୍ତି । ମୁଖ୍ୟ କେନାଲର ଅବ୍ୟବସ୍ଥା ତଥା ମରାମତି କାର୍ଯ୍ୟର ଅବହେଳା ହେତୁ ପାଣି କ୍ଷେତକୁ ମାଡୁ ନାହିଁ । ସରକାରୀ ବାବୁମାନଙ୍କୁ ହାତବାରିଶି କରି ପାଣି ପଂଚାୟତର ସଭାପତି ଓ ସମ୍ପାଦକ ଖରା ମାସରେ କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି । ମାତ୍ର ଏବେ କେନାଲ ଭିତରେ ଦଳ ଭର୍ତିଥିବାରୁ ପାଣି କ୍ଷେତରେ ପହଁଚି ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଯଦି ସପ୍ତାହେ ମଧ୍ୟରେ ବର୍ଷା ନହୁଏ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା କରାଯାଇଛି ।

ସମବାୟବିତ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି, ପଟ୍ଟାମୁଣ୍ଡାଇରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି ।ଗତ ତିନି ମାସରେ ପଟ୍ଟାମୁଣ୍ଡାଇରେ ନିଅଂଟିଆ ବର୍ଷା ହୋଇଥିବା ଆଂଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଜଣାପଡିଛି । ଗତ ୨୦୨୨ ଜୁନ ମାସରେ ୧୪୯ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁନରେ ୮୧ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ଗତ ଜୁଲାଇ ମାସରେ ୨୮୬ ମିମି ଥିବା ବେଳେ ଚଳିିତ ଜୁଲାଇରେ ୨୬୭ ଓ ଗତ ଅଗଷ୍ଟ ମାସରେ ୫୩୩ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ମାସରେ ୨୧୪ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ପାଣି ପାଇଁ ଧାନ ଫସଲ ନଷ୍ଟ ହେବାକୁ ଲାଗିଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ । ପାଣି ଅଭାବ ଯୋଗୁଁ କେହି କେହି ଏପର୍ଯ୍ୟନ୍ତ ଚାଷ କାମ ଆରମ୍ଭ କରିନାହାନ୍ତି । ଅନେକ ଚାଷୀ ରୁଆ କାମ ସାରିଥିବା ବେଳେ କେନାଲରେ ପାଣି କ୍ଷେତକୁ ଆସୁନଥିବାରୁ ଜମି ଫାଟି ଆଁ କରିବା ସହ ତଳି ମଧ୍ୟ ଶୁଖି ଗଲାଣି । ଏପରି ସ୍ଥିତିରେ କିଛି ସ୍ଥାନରେ ଚାଷୀ ମଟର ପମ୍ପ ଲାଗାଇ ପାଣି ମଡାଇ ଚାଷକରୁଥିବା ଦେଖିବାକୁ ମିଳିଛି ।

କୃଷି ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ଅଂଚଳରେ ୧୧ .୩୪୧ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି । ୨୦୦ ହେକ୍ଟର ଜମିରେ ଧାନ ବୁଣା ଯାଇଥିବା ବେଳେ ୩୦୦୭ ହେକ୍ଟର ଜମିରେ ଅଦ୍ୟାବଧି ବେଉଷଣ ସରିନାହିଁ । ତନ୍ମଧ୍ୟରୁ ୧୪୦ ହେକ୍ଟର ଜମିରେ ପାଣି ଅଭାବ ଯୋଗୁଁ ରୁଆ କାର୍ଯ୍ୟ ହୋଇ ପାରିନାହିଁ । ଅନେକ ସ୍ଥାନରେ ଜଳସେଚନ ବ୍ୟବସ୍ଥା ଥାଇ ମଧ୍ୟ ଚାଷ ବଂଚାଇବା ପାଇଁ ଚାଷୀ ଉଦ୍ୟମ କରୁଛନ୍ତି ।

କୃଷକନେତା ବିଜୟ ଦାସ କୁହନ୍ତି ,ପଟ୍ଟାମୁଣ୍ଡାଇ ଅଂଚଳରେ ସମୁଦାୟ ଜଳସେଚିତ ୧୧,୦୪୯ ହେକ୍ଟର କ୍ଷେତ ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଏ । ପଟ୍ଟାମୁଣ୍ଡାଇ କେନାଲ ଓ ଗୋବରି ସମ୍ପ୍ରସାରିତ କେନାଲ ଓ ତାହାର ଶାଖା କେନାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଥାଇ ସୁଦ୍ଧା ପାଣି କ୍ଷେତକୁ ପହଁଚି ପାରୁନାହିଁ । ବିଭାଗୀୟ ଅଧିକାରୀ ଏହାର ତଦାରଖ କରୁ ନ ଥିବାରୁ ଚାଷୀ ମହଲରେ ଅସ୍ରନ୍ତୋଷ ପ୍ରକାଶ ପାଇଛି । ଯାହାଦ୍ୱାରା ଅଗଷ୍ଟ ମାସର ଶେଷ ହୋଇଥିବା ବେଳେ ଠିକ୍ ଭାବେ କେନାଲ ସଫେଇ ହୋଇନଥିବାରୁ ପାଣି ଚାଷ ଜମିକୁ ମାଡି ପାରିନାହିଁ । ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟକୁ ଚାଷୀମାନେ ଅଭିଯୋଗ କରିବାକୁ ଯାଇ କୌଣସି ବିଭାଗୀୟ ଅଧିକାରୀ ନ ପାଇ ନିରାଶରେ ଫେରିଛନ୍ତି ବୋଲି ସେ କହିଛନ୍ତି ।

ଇୁଦ୍ଧିଜୀବୀ ସୂର୍ଯ୍ୟ ନାରାୟଣ ଦାଶ,କୁହନ୍ତି ଚଳିତ ବର୍ଷରେ ନାଳ ଓ ପାଟ ନାଳ ଖନନ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ କେବଳ ଠିକାଦାର ମାଲାମାଲ ହୋଇଥିବାବେଳେ ନାଳର କୌଣସି ଅଂଶ ଚାଷୀଙ୍କ କାର୍ଯ୍ୟରେ ଲାଗୁ ନାହିଁ ବୋଲି ସ୍ଥାନୀୟ ଚାଷୀ ମତବ୍ୟକ୍ତ କରିଛନ୍ତି । ବାହୁ କେନାଲ ଭିତରୁ ମାଟି ଖୋଳି କେନାଲ ବନ୍ଧକାମ କାରାଯାଇ ମାଟିକୁ ସେହି କେନାଲ ବନ୍ଧ ଉପରେ ପକାଇ ଦେଇଛନ୍ତି । ଫଳରେ ବର୍ଷା ପାଣିରେ ଉକ୍ତ ମାଟି ବୋହି ପୁନର୍ବାର ନାଳରେ ପଶୁଛି । ବିଭାଗ ତରଫରୁ ନାଳ ସଫେଇ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ ନାମକୁ ମାତ୍ର ସଫେଇ କରାଯାଇଛି । ଏହି ନାଳ ଖୋଳାରେ ବ୍ୟାପକ ଦୁର୍ନୀତି ହେବା ସହ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ନ ରଖି ଅର୍ଥ ବ୍ୟୟ କରାଯାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଅଭିଯୋଗ କରିଛନ୍ତି ।

ଆଂଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁଯାଇ କେନ୍ଦ୍ରାପଡାରେ ୩୭ ପ୍ରତିଶତ ନିଅଂଟିଆ ବର୍ଷା ହୋଇଥିବାବେଳେ ପଟ୍ଟାମୁଣ୍ଡାଇରେ ସବୁଠୁ କମ୍ ବର୍ଷା ରେକର୍ଡ ହୋଇଛି । ତେବେ ନିଅଂଟିଆ ବର୍ଷାକୁ ଦୃଷ୍ଟିରେ ରଖି କଂଟିଜେନ୍ସି ପ୍ଲାନ କରାଯାଇଛି ବୋଲି କହିଛନ୍ତି, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ଏବଂ କୃଷି ବିଭାଗ ଏନେଇ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି ।

ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉକ୍ତ ନାଳରେ ତୁରନ୍ତ ସଫେଇ ପାଇଁ ସ୍ଥାନୀୟ ଚାଷୀ କୁଞବିହାରି ନାୟକ, ପ୍ରଶାନ୍ତ ଦାସ, ନରେଶ ଜେନା, ରଞିତ ପ୍ରଧାନ ପ୍ରମୁଖ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିବାରେ ପାଣିପଂଚାୟତକୁ ସଫେଇ ପାଇଁ ଅର୍ଥ ବରାଦ କରାଯାଇଛି, ସେ ସଫେଇ କରିଦେବେ ।


Next Post

କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

Fri Sep 1 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ କୁମ୍ଭୀର ଆକ୍ରମଣରେ ଛଅଟି ଲୋକ ପ୍ରାଣ ହରାଇଥିବା ଘଟଣା ବ୍ରାହ୍ମଣୀ ନଦୀର ତଟବର୍ତ୍ତୀ ଗାଁରେ ଭୟଙ୍କର ଆତଙ୍କ ସୃଷ୍ଟି କରିଛି । ମାତ୍ର ୭୫ ଦିନ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକର ୩ଜଣ, ରାଜନଗର ବ୍ଲକରୁ ୨ ଜଣ ଓ ବରୀ ବ୍ଲକରୁ ଜଣେ ରକ୍ତମୁଖା କୁମ୍ଭୀରର ଶିକାର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଘାଗରାଡିଆ, କୁଳସାହି, ଶାସନ, ବରୀ ବ୍ଲକର ଅମଂପୁର […]

You May Like