ବଢ଼ିବାରେ ଲାଗିଛି ନକଲି ଡାକ୍ତରଙ୍କ ନକଲି ଔଷଦ କାରବାର


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଖୁଲମଖୁଲା ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବା ସହିତ ନକଲି ଔଷଦ ବଜାରରେ ବିକ୍ରି ଓ ସପ୍ଲାଇ କରାଯାଉଛି । ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ନକଲି ଡାକ୍ତର ଦେଉଥିବା ଔଷଦ ଏବେ ମୃତ୍ୟୁର କାରଣ ସାଜିପାରେ ଏହା କେହି କଳ୍ପନାରେ ସୁଦ୍ଧା ଭାବି ପାରିବେ ନାହିଁ । ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଂଚଳଗୁଡ଼ିକରେ ପରିଦର୍ଶନ କରିବା ସହ ଅଙ୍କୁଶ ଲଗାଇବାକୁ ବିଭିନ୍ନ ମହଲରୁ ଅଭିଯୋଗ ହେଉଛି ।

ସାମାଜିକକର୍ମୀ ରବିନ୍ଦ୍ର ଭଟ୍ଟ କୁହନ୍ତି କେନ୍ଦ୍ରାପଡ଼ା ଜିଲା ସ୍ୱାସ୍ଥ୍ୟ ବିଭାଗ କି ଜିଲା ଭେଷଜ ନିୟନ୍ତ୍ରକ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଂଚଳ ପାଇଁ ଏକ ପ୍ରକାର ନୀରବତା ଅବଲମ୍ବନ କରିଛନ୍ତି । ଏହି ବିଭାଗ ସମ୍ପ୍ରତି ଅସାଧୁ ଔଷଧ ବ୍ୟବସାୟୀଙ୍କ ପାଖରେ ବନ୍ଧାପଡିଥିବା ଅଭିଯୋଗ ହେଉଛି । କେନ୍ଦ୍ରାପଡ଼ା ଜିଲା ଭେଷଜ ନିରୀକ୍ଷକ ନୀରବଦ୍ରଷ୍ଟା ସାଜିବାରୁ ବେଆଇନ ଔଷଦ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି । ଅସାଧୁ ବ୍ୟବସାୟୀ ଓ ବ୍ୟକ୍ତିବିଶେଷ ନିଜର ବ୍ୟବସାୟକୁ ଅନାୟାସରେ ଚଳାଉଛନ୍ତି । ବେଆଇନ ଔଷଦ କାରବାର ରୋକିବା ଦିଗରେ ଜିଲା ଭେଷଜ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ସେହିପରି ଜିଲା ସ୍ୱାସ୍ଥ୍ୟ ବିଭାଗ ନିରବ ରହିବାରୁ ନକଲି ଡାକ୍ତରଙ୍କ ସଂଖ୍ୟା ବଢିବଢି ଚାଲିଛି । ଏହି କଥାକଥିତ ଡାକ୍ତର ମାନେ ନାମୀଦାମୀ କମ୍ପାନୀ ନାଁରେ ନକଲି ଔଷଦ ଯୋଗାଯାଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ସେ କହିଥିଲେ ।

ସେହିପରି ବୁଦ୍ଧିଜିବୀ ପ୍ରେମାନନ୍ଦ ପଣ୍ଡା କୁହନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା, ଓ ରାଜନଗର, ମହାକାଳପଡା ପ୍ରଭୃତି ଅଂଚଳରେ ଏବେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭ ।ବ ବେଶ୍ ବଢି ଯାଇଛି । ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀଙ୍କ ପ୍ରାଣ ମଧ୍ୟ ଯାଉଛି । ଏମିତି ଅସଂଖ୍ୟ ନକଲି ଡାକ୍ତରଙ୍କୁ ନେଇ ଗଣମଧ୍ୟମରେ ବାରମ୍ବାର ଖବର ପ୍ରଶାରଣ ହେଉଛି । ମାତ୍ର ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ପଟାମୁଣ୍ଡାଇ ରାଜନଗର, ମହାକାଳପଡା ଅଂଚଳରେ ବିଭିନ୍ନ ବଜାର ଏବଂ ହସ୍ପିଟାଲ ପାଖରେ ରହିଛି ଏହି ସବୁ ନକଲି ଡାକ୍ତରଙ୍କ କ୍ଲିନିକ୍ । ଏଠାରେ ରୋଗୀମାନଙ୍କର ସମସ୍ତ ରୋଗର ଔଷଦ ଓ ଉପଚାର ଉପଲବ୍ଧ ହେଉଛି । ଗତ ଜୁଲାଇ ମାସ ୧୫ ତାରିଖରେ ଏମିତି ଜଣେ ନକଲି ଡାକ୍ତରଙ୍କଠାରୁ ଔଷଦ ଖାଇ ରାଜନଗର ବିଲିକଣା ଶାସନର ଅଷ୍ଟମ ଶ୍ରେଣୀ ଛାତ୍ର ସୁବ୍ରତ କୁମାର ବାରିକଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ସ୍ଥାନୀୟ ପ୍ରଶାସନ ନିଦରୁ ଉଠି ବିଳିବିଳେଇବା ପରି ଜଣେ ଅଧେଙ୍କ କ୍ଲିନିକ୍ ବନ୍ଦ୍ କରି ଏବେ ପୁଣି ନିଦରେ ଶୋଇ ପଡିଛି ଜିଲ୍ଲା ସ୍ୱାସ୍ଥ୍ୟ ଓ ଭେଷଜ ନିୟନ୍ତ୍ରକ ବିଭାଗ ।

ଜଣେ ରୋଗୀ କହିଛନ୍ତି ସରକାରୀ ହସ୍ପିଟାଲ ଯୋଉଁ ମେଡିସିନ ଦିଆ ଯାଇଛି ତାହା ଠାରୁ ଭଲ ଗାଁ ଗହଳି ଡାକ୍ତର ଓ କବିରାଜଙ୍କ ପାଖରେ ମିଳୁଛି । ହସପିଟାଲରେ ଲମ୍ବାଧାଡିରେ ଛିଡାହେବା ଓ ଏଠୁ ସେଠିକି ଧାଇଁବାକୁ ପଡୁଥିବାରୁ ସେମାନେ ଏହି ସବୁ କ୍ଲିନିକ୍ ଉପରେ ନିର୍ଭର କରୁଛନ୍ତି ବୋଲି କହିଥିଲେ । ତେବେ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ନିରାମୟ ଯୋଜନାରେ ଉପଲବ୍ଧ ଔଷଦ ଲେଖ ନାହାଁନ୍ତି । ବାହାର ଦୋକାନରେ ଉପଲବ୍ଧ ହେଉଥିବା ଔଷଦ ପ୍ରାୟ ୧୦୦୦ ରୁ ୧୫୦୦ ଟଙ୍କା ଭଳି ଲେଖୁଛନ୍ତି । ଅଧିକାଂଶ ଔଷଦ ଫୋପଡା ହେଉଛି । ସେଥିଲାଗି ଆମେ ଗାଁ ଗହଳିରେ ଥିବା ଔଷଦ ଦୋକାନ ଓ ଡାକ୍ତରଙ୍କୁ ଦେଖାଇଲେ ୧୦୦ଟଙ୍କା ଭିତରେ ରୋଗଭଲ ହେଉଛି । ସେଥିନେଇ ଆମେ ଗାଁରେ ଥିବା ଦୋକାନୀ ଓ ଡାକ୍ତରଙ୍କୁ ରୋଗୀ ଦେଖାଉଛୁ ବୋଲି କହିଛନ୍ତି କତେକ ରୋଗୀଙ୍କ ସମ୍ପର୍କୀୟ ।

ସେହିପରି ବରିଷ୍ଟ ନାଗରିକ ବିଜୟ ଦାସ କୁହନ୍ତି ଗ୍ରାମାଂଚଳ ରୋଗୀମାନେ ସଚେତନତା ଅଭାବ ଯୋଗୁ ଏହି ନକଲି ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ସରକାରଙ୍କ ପକ୍ଷରୁ ପ୍ରତି ଗ୍ରାମରେ ଆଶା, ଅଙ୍ଗନୱାଡି, ଏଏନ୍‌ଏମ୍ ଓ ମହିଳା ସଙ୍ଗଠନ ନିଯୁକ୍ତ ହୋଇଥିଲେ ମଧ୍ୟ ଏମାନଙ୍କ ନଜର ଏହି ନକଲି ଡାକ୍ତରଙ୍କ ଉପରେ ଆସୁନାହିଁ କାହିଁକି ବୋଲି ପ୍ରଶ୍ନ ଉଠୁଛି । ଏମାନେ ଜାଣୁଛନ୍ତି ଗାଁ ଗହଳିରେ ନକଲି ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରିଛନ୍ତି । ତାହାହେଲେ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କ ନିକଟରେ ଅଭିଯୋଗ କାହିଁକି କରୁନାହାନ୍ତି ବୋଲି ସ୍ଥାନୀୟ ଲୋକେଅଭିଯୋଗ ଉଠାଉଛନ୍ତି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଜିଲ୍ଲାର ସମସ୍ତ ଅଂଚଳରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ଲୋକେ ସଚେତନ  ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।


Next Post

ସାକ୍ଷରତା ହିଁ ସଶକ୍ତିକରଣର ଅମୋଘ ଅସ୍ତ୍ର: ଅତିରିକ୍ତ ଜିଲ୍ଲାପାଳ

Sun Sep 17 , 2023
କେନ୍ଦ୍ରାପଡ଼ା, ୧୬ା୯: “ଆଇନଗତ ସାକ୍ଷରତା ମାଧ୍ୟମରେ ଓଡ଼ିଶାରେ ମହିଳା ସଶକ୍ତିକରଣ” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦୁଇଦିନିଆ କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ୟୁଏସ୍ କନସୁଲେଟ୍ ଜେନେରାଲଙ୍କ ସହାୟତାରେ ‘ସ୍ୱାତୀ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ମହିଳାମାନେ ଯେତେ ସାକ୍ଷର ହେବେ ସେତେ ସୁରକ୍ଷିତ […]

You May Like