୧୯୯୯ ଅକ୍ଟୋବର ୨୯ ମହାବତ୍ୟାକୁ ଆଜି ୨୪ ବର୍ଷ ପୁରିଲା । ଆଜି ବି ଲୋକେ ଭୁଲି ପାରିନାହାନ୍ତି ସେଦିନର ସମୁଦ୍ରର ବିଶାଳ ଢ଼େଉ ୩୦୦ କିମି ବେଗରେ ବହୁ ଥିବା ପବନ, ଲୋଟି ଯାଉଥିଲା ବହୁ ମହାଦ୍ରୁମ । ଅଧା ଓଡିଶାକୁ ଛାରଖାର କରିଦେଇଥିବା ମହାବାତ୍ୟା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକକୁ ଧ୍ୱଂସ ସ୍ତୁପରେ ପରିଣତ କରିଥିଲା । ୧୯୯୯ ମହାବାତ୍ୟା ପରେ ରାଜ୍ୟର ଶାସନ ଡୋରି ଧରିଥିଲେ ବିଜେଡି ସରକାର । ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ପ୍ରଭାବିତ ଅଂଚଳରେ ନିର୍ମାଣ କଲେ ବାତ୍ୟା ଆଶ୍ରୟସ୍ଥଳୀ । ସାଧାରଣ ଲୋକଙ୍କୁ ବିପର୍ଯ୍ୟୟର ସାମନା କରିବା ପାଇଁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ, ବିଜୁ କୁଡ଼ିଆ, ମୋକୁଡିଆ ଆଦି ମାଧ୍ୟମରେ କଚା ଘରକୁ ପକ୍କା ଘର ପାଇଁ ଯୋଜନା କରି ଘର ଯୋଗଇ ଦେଲେ । ପଟ୍ଟାମୁଣ୍ଡାଇ ଅଂଚଳରେ ମଧ୍ୟ କଚ୍ଚା ଘର ଥିବା ଜନସାଧାରଣଙ୍କୁ ଏହି ଯୋଜନାରେ ସାମିଲ କରି ଘର ଯୋଗାଇଦିଆଗଲା । ମହାବାତ୍ୟା ପରେପରେ ପାଖାପାଖି ୧୦ଟି ବାତ୍ୟାକୁ ଲୋକେ ନିକଟରୁ ସାମ୍ନା କରିସାରିଲେଣି । ହେଲେ ବିଡମ୍ବନାର ବିଷୟ ପ୍ରତିଥର ବାତ୍ୟା ଆସୁଛି ସଂଖ୍ୟାଧିକ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଉଥିବାର ଦେଖାଯାଉଛି । କଚ୍ଚା ଘର ବା ଟିଣ ନଡା ଛପର ଘର କରି ରହିଥିବା ଲୋକମାନଙ୍କୁ ଅଦ୍ୟବଦି ପକ୍କାଘର ଯୋଗାଇ ଦେବାରେ ସରକାର ସକ୍ଷମ ହୋଇନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଠି କରୁଛିା
ବୁଦ୍ଧିଜିବୀ ପ୍ରଭାତ ବେରା କୁହନ୍ତି ,୧୯୯୯ର ମହାବତ୍ୟା କେନ୍ଦ୍ରାପଡା ଜିଲାର ଅଧିକାଂଶ ବ୍ଲକ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ଅଂଚଳ ମଧ୍ୟ ବହୁତ କ୍ଷତି ପହଁଚାଇଥିଲା । କେନ୍ଦ୍ରାପଡ଼ା ଜିଲାର ୩୮୭ ଜଣଙ୍କ ଜୀବନ ଯାଇଥିଲା । ୧୮୦୩ ଜଣ ଆହତ ହୋଇଥିଲେ । ୩ ହଜାରରୁ ଅଧିକ ମାଛଧରା ଡଙ୍ଗା, ୪୮,୯୦୬ ଗୃହପାଳିତ ପଶୁପକ୍ଷୀଙ୍କ ସହିତ ଜିଲାରେ୨,୯୭ ,୮୧୪ ଟି ଘର ଭାଙ୍ଗିଥିବା ଜିଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ସୂଚନା ମିଳୁଛି । ୧୯୯୯ ମହାବାତାତା ପରେ ସରକାର ପଟ୍ଟାମୁଣ୍ଡାଇ, ବ୍ଳକର ୧୩ ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରି ଆସ୍କା ଲାଇଟ, ଚେନସ(କଟର), ଡ଼ିଜି ସେଟ, ସାଇରନ, କ୍ୟାଟରିଂ ସେଟ,ଲାଇଫ ଜାକେଟ ଆଦି ସରଞ୍ଜାମ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏବେ ଏସବୁ ପ୍ରାୟତଃ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ । ଅନେକ କେନ୍ଦ୍ରରେ ଏହାକୁ ବିକ୍ରି କରିଦିଆଯାଇଛି । ଅନ୍ୟଥା କେଉଁଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । କେନ୍ଦ୍ରାପଡ଼ା ଜିଲାରେ ବିପର୍ଯ୍ୟୟର ସୁପରିଚାଳନା ପାଇଁ ଆବଶ୍ୟକ ସୁଦୃଢ ଭିତିଭୂମି ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ ବୋଲି ସେ କହିଛନ୍ତି ।
ସାମାଜିକକର୍ମୀ ଦେବାଶିଷ ପଣ୍ଡା କୁହନ୍ତି ୨୪ବର୍ଷ ପରେ ବି ମହାବାତ୍ୟା ପ୍ରପୀଡ଼ିତଙ୍କ ଦୁର୍ଦ୍ଦଶା ଶେଷ ହୋଇନାହିଁ । ପଟ୍ଟାମୁଣ୍ଡାଇ ଅଂଚଳରେ ଅନେକ ଲୋକ ଆଜି ବି ଭଙ୍ଗା ଚାଳଘରେ ନିଜ ପରିବାରକୁ ଧରି ଜୀବନ ବିତାଉଛନ୍ତି । ବାତ୍ୟା ଆସିଲେ ପଂଚାୟତ କାର୍ଯ୍ୟାଳୟ ନହେଲେ ସ୍କୁଲକୁ ଯାଇଥାନ୍ତି । ପ୍ରାକୃତିକ ବ୍ୟପର୍ଯ୍ୟୟର ଚିର ସହଚର କେନ୍ଦ୍ରାପଡା ଜିଲ୍ଲା କ୍ରମାଗତ ୨୩ବର୍ଷ ଧରି ବହୁମତ ସହ ସ୍ଥିର ଶାସନ ରହିଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଏକ ସ୍ଥାୟୀ ସମାଧାନ କରିବାରେ ସରକାର ଅସମର୍ଥ ଓ ଅବହେଳା କରୁଛନ୍ତି । ପଟ୍ଟାମୁଣ୍ଡାଇ ଅଂଚଳ କେତେ ବିଜୁ ପକ୍କାଘର ଓ ଇନ୍ଦିରା ଆବାସ କେତେଲୋକ ପାଇଛନ୍ତି ଏବଂ ୨୦୧୪ ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କେତେ ଲୋକଙ୍କୁ ଘର ମିଳିଛି ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ । କେବଳ କାଗଜ କଲମରେ ଲୋକଙ୍କୁ ଘର ବଂଟନ ହୋଇଛି ନା ଘର ପ୍ରକୃତରେ ତିଆରି ହୋଇଛି ତାହାକୁ ମଧ୍ୟ ଗୁରୁତ୍ୱଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଯୁବନେତା ସତ୍ୟାପ୍ରିୟ ସାମଲ କୁହନ୍ତି ୨୪ବର୍ଷ ହେଲା ସରକାର ପକ୍କାଘର ଯୋଗାଉଛନ୍ତି ଓ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ପାଉଥିବାର ନଜିର ମଧ୍ୟ ଅଛି । ହେଲେ ଏସବୁ ଘର କିଏ ନେଉଛି, ପାଉଛି କିଏ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ସଂଖ୍ୟାଧିକ ଜନସାଧାରଣଙ୍କୁ ଏଭଳି ଦୈବୀ ଦୁର୍ବିପାକ ସମୟରେ ସ୍ଥାନାନ୍ତର କରାଯାଉଛି, ଏଥିରୁ ସରକାରଙ୍କ ପାରିବାପଣିଆ କେତେ ତାହା ସ୍ପଷ୍ଟ ଜଣାପଡୁଛି ବୋଲି ସେ କହିଛନ୍ତି ।
ପଟ୍ଟାମୁଣ୍ଡାଇ ସହରାଂଚଳ ଓ ଗ୍ରାମାଂଚଳରେ ଅନେକ ପରିବାର ଏବେବି ଆବାସ ଘର ଯୋଜନାରୁ ବଂଚିତ ହୋଇଛନ୍ତି । ଆର୍ôଥକ ଅବସ୍ଥା ଶୋଚନୀୟ ହୋଇଥିବାରୁ ଘର କରି ନ ପାରି ଏବେ ମଧ୍ୟ କୁଡିଆରେ କାଳାତିପାତ କରୁଛନ୍ତି । ଉଦାହରଣ ଭାବେ ଖଡିଅଂଟା ପଂଚାୟତର ପ୍ରଭାକର ସେଠୀଙ୍କୁ ନିଆଯାଇପାରେ । ମହାବାତ୍ୟା ପରଠୁଁ ସେ ସେହି ଝାଟିମାଟି ଘରେ ରହିଆସୁଛନ୍ତି । ଘରେ ଭାଉଜ ଗୋଟିଏ ପୁଅ ବୋହୁ, ମାନସିକବିକାର ଦୁଇଝୀଅ ଓ ନାତିକୁ ନେଇ ତାଙ୍କ ସଂସାର । ତାଙ୍କର ଗୋଟିଏ ରୋଜଗାରିଆ ପୁଅ ଗାଡି ଧକ୍କାରେ ପରପାରିକୁ ଚାଲିଯାଇଛନ୍ତି । ଟୁଇସନ କଲେ ପରିବାର ଚଳେ । ପକ୍କା ଘର କରିବା ପାଇଁ ସେ ସକ୍ଷମ ନୁହନ୍ତି ବୋଲି ପ୍ରଭାକର ଦୁଃଖର ସହ ପ୍ରକାଶ କରନ୍ତି ।ଏବାବଦରେ ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନଥିଲେ ।