ବିପଦସଙ୍କୁଳ ଅବସ୍ଥାରେ ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନେକ ସ୍ଥାନରେ ବିପଦ ସଙ୍କୁଳ ଖୋଲାମେଲା ଅବସ୍ଥାରେ ଅନେକ ଟ୍ରାନ୍ସଫର୍ମର ହାତପାହାନ୍ତରେ ପଡିରହିଛି । ଖୋଲାମେଲା ଭାବେ ଟ୍ରାନ୍ସଫର୍ମର ପଡ଼ି ରହିଥିବାରୁ ଏହା ବିପଦକୁ ଆମନ୍ତ୍ରଣ କରୁଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଟ୍ରାନ୍ସଫର୍ମରରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ପ୍ରବାହିତ ହେଉଥିବା ବେଳେ ଏହା ମନୁଷ୍ୟ ଓ ବୁଲା ପଶୁଙ୍କ ଜୀବନ ପାଇଁ କାଳ ସାଜିଛି । ପୂର୍ବରୁ ବୁଲା ଗୋରୁଗାଈ ମାନେ ଟ୍ରାନ୍ସଫର୍ମର ପରିସରକୁ ଘାସ ଚରିବାକୁ ଆସି ମୃତ୍ୟୁବରଣ କରିଥିବା ମଧ୍ୟ ନଜିର ରହିଛି । ବାରମ୍ବାର ଉକ୍ତ ଟ୍ରାନ୍ସଫର୍ମର ଚାରିପଟେ ପାଚେରୀ ଅବା ତାରବାଡ଼ ଘେରାଇବା ପାଇଁ ବିଦ୍ୟୁତ ବିଭାଗ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।


ବେଲତଳ ଗ୍ରାମର ସ୍ୱରୁପାନନ୍ଦ ସାମଲ କୁହନ୍ତି ପୁରୁଣା ପୌରପରିଷଦ କାର୍ଯ୍ୟାଳୟ ନିକଟ ମଙ୍ଗଳା ମଣ୍ଡପ ପାଖ ବଜାରରେ ରହିଛି ୫୦୦ କେଭି ବିଶିଷ୍ଟ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ଏହି ଟ୍ରାନ୍ସସଫର୍ମରରୁ ବଜାର ସମେତ ଆଖପାଖ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି । ଟ୍ରାନ୍ସଫର୍ମରଟି ବଜାରରେ ଥିବା ମଣ୍ଡପ ଘର ଆରଡି ରାସ୍ତା ପାଖରେ ରହିଛି । ମାତ୍ର ଏହି ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ଏବେ ମୁକୁଳା ପଡ଼ିଛି । ଟ୍ରାନ୍ସଫର୍ମରଠାରୁ ଟାଟା ପାୱାର କାର୍ଯ୍ୟାଳୟ ୫ ଶହ ମିଟର ଦୂରରେ ରହିଛି । ହେଲେ ଏଥିପ୍ରତି ବିଭାଗର ନିଘାନାହିଁ ।
ସାମାଜିକକର୍ମୀ ଅନନ୍ତ ଦାଶ କୁହନ୍ତି ନିୟମାନୁଯାୟୀ ଟ୍ରାନ୍ସଫର୍ମରଗୁଡିକ ଜନବସତିଠାରୁ ଦୂରରେ ବସାଇବା ସହିତ ଏହାର ଚତୁଃପାର୍ଶବ ଆବଦ୍ଧ କରାଯିବା ଦରକାର । ଫଳରେ ବାହାରର କୌଣସି ଜୀବଜନ୍ତୁ ସେହି ପରିସରକୁ ପ୍ରବେଶ କରିପାରିବେ ନାହିଁ । କିନ୍ତୁ ମଙ୍ଗଳା ମଣ୍ଡପ ପାଖ ଟ୍ରାନ୍ସଫର୍ମର ବଜାର ରାସ୍ତାପାଶ୍ୱର୍ରୁ ମାତ୍ର ୪ରୁ ୫ଫୁଟ ଉଚ୍ଚରେ ରହିଥିବାବେଳେ କୌଣସି ବାଡ ଘେରାଯାଇନାହିଁ । ଏହାମଧ୍ୟକୁ ଅନାୟସରେ ଗୃହପାଳିତ ପଶୁ, ବୁଲାକୁକୁର ଅବାଧରେ ପ୍ରବେଶ କରୁଛନ୍ତି । ଏପରି କି ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ଅନେକ ପ୍ରାଣୀଙ୍କ ମୃତ୍ୟୁ ଘଟିଛି । କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।
ବୁଦ୍ଧିଜୀବୀ କୃପାସିନ୍ଧୁ ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ପୌରପରିଷଦ ନିକଟ ବଜାରରେ ଥିବା ଏହି ଟ୍ରାନ୍ସଫରମର ନୁହେଁ ପୌରାଂଚଳର ୨୦ଟି ୱାର୍ଡରେ ଅଧିକାଂଶ ଟ୍ରାନ୍ସଫରମର ଖୋଲା ପଡିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଗ୍ରାମାଂଚଳ କଥା ନ କହିବା ଭଲ । ଅଧିକାଂଶ ଗ୍ରାମରେ ଟ୍ରାନ୍ସଫରମରଗୁଡିକ ମୁକୁଳା ପଡିଛି । ସେପରି ଟ୍ରାନ୍ସଫର୍ମର ସଂସ୍ଫର୍ଶରେ ଆସି କେତେବେଳେ ଯେ କାହାର ଜୀବନ ଯିବ ତାହା କହି ହେବ ନାହିଁ । ବିଦ୍ୟୁତ୍ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଟ୍ରାନ୍ସଫର୍ମରଗୁଡିକର ରକ୍ଷାଣାବେକ୍ଷଣ ଠିକ୍‌ରେ ହେଉନାହିଁ । କେଉଁଠି ଟ୍ରାନ୍ସଫର୍ମରରେ ଗଛ ମାଡ଼ିଗଲାଣି ତ ଆଉ କେଉଁଠି କେଉଁଠି ଘେରା ଯାଇଥିବା କଂଟା ତାରରେ କଳଙ୍କି ଲାଗି ଭାଙ୍ଗି ଗଲାଣି । ତେଣୁ କମ ଉଚ୍ଚରେ ଥିବା ଟ୍ରାନ୍ସଫର୍ମର ଚତୁଃପାର୍ଶବରେ ତୁରନ୍ତ ପାଚେରୀ ନିର୍ମାଣ କରିବା ସହିତ ରକ୍ଷାଣବେକ୍ଷଣ କରିବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି ।
ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ବିଦ୍ୟୁତ୍ ବିଭାଗ ଏସ୍‌ଡିଓ ସ୍ମୃତିରଞ୍ଜନ ରଥଙ୍କୁ ପଚାରିବାରେ ସେ କହିଥିଲେ, ପାଚେରି ନିର୍ମାଣ ହୋଇଥିଲା । ପଟ୍ଟାମୁଣ୍ଡାଇ-ତାତନା ଭାୟା ଆମ୍ବେର ନୂଆ ରାସ୍ତା ନିର୍ମାଣବେଳେ ତାହାକୁ ଗ୍ରାମଉନ୍ନୟନ ବିଭାଗ ଭାଙ୍ଗି ଦେଇଥିଲା । ପରେ ସେମାନେ କରିଦେବେ ବୋଲି କହିଥିଲେ । ହେଲେ କରିଲେ ନାହିଁ । ଏବେ ଆମେ ଆଲୋଚନା କରି ଏଦିଗରେ ପଦକ୍ଷେପ ନେବୁ ।


Next Post

ଲୋକନାଥପୁର ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

Sat Apr 13 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଲୋକନାଥପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭାପ୍ସଶୁ କୁମାର ଦାସଙ୍କ ପୌରହିତ୍ୟରେ ମା’ ଛୁଆଳିଆ କଲ୍ୟାଣ ମଣ୍ଡପରେ ଆୟୋଜିତ ମନୋଜ୍ଞ ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ ମୁଖ୍ୟଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଏହି […]

KANIKA