ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ


  • ଲାଞ୍ଚ: ଆମେ ଦେବା ନାହିଁ କି ନେବା ନାହିଁ


କେନ୍ଦ୍ରାପଡ଼ା : ଦୁର୍ନୀତିର ଅକ୍ଟୋପସ୍ ପଞ୍ଝାରୁ ମୁକୁଳିବା ପାଇଁ ଆମକୁ ଫୁଙ୍କିବାକୁ ହେବ ଚେତନାର ଶୁଭଶଙ୍ଖ । ଜନ ଜାଗରଣ ହିଁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବ ଓ ଦୁର୍ନୀତିର ମୂଳୋତ୍ପାଟନ କରିପାରିବ । ତେଣୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ସକାଳ ୮ଟାରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ଭିଜିଲାନ୍ସ ଡିଏସ୍‌ପି ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ, ଏନ୍‌ସିସି ଅଫିସର୍ ସୀମା ମହାନ୍ତି, ଭିଜିଲାନ୍‌ସ ବିଭାଗର କର୍ମକର୍ତ୍ତା, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍‌ସିସି ଛାତ୍ରଛାତ୍ରୀ ଓ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଏହି ସଚେତନତା ରାଲିରେ ଅଂଶଗ୍ରହଣ କରିଥିଲେ । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗ୍ରାମସଭା, ପଥପ୍ରାନ୍ତ ପାଲା, ରଙ୍ଗୋଲି ମାଧ୍ୟମରେ ମଧ୍ୟ ଜିଲ୍ଲାବାସୀଙ୍କୁ ସଚେତନ କରାଯାଉଛି । ଗତକାଲି ମହାକାଳପଡ଼ା ବ୍ଲକ୍‌ର ଜମ୍ବୁ ଗ୍ରାମପଂଚାୟତରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଂଚ ବିଶ୍ୱଜିତ୍ ବସୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜଲକ୍ଷ୍ମୀ ସାହୁ, ଜମ୍ବୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଆଶିଷ ରାଉତ ଓ ଜୟଦେବ ମଣ୍ଡଳ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଆଶା କର୍ମୀ, ସମାଜସେବୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ । ସେହିପରି ଆଜି ପଟ୍ଟାମୁଣ୍ଡାଇ ବ୍ଲକ୍‌ର ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କଷଣଅଂଟାରେ ଏକ ସଭାର ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ ଯେ ଆସନ୍ତାକାଲି ଦିବା ୧୧ ଘଟିକାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ।


Next Post

ଜୀବନର ରାହା ଦେଖାଇଛି ବିଜୁ ଦକ୍ଷତା ବିକାଶ କେନ୍ଦ୍ର

Thu Nov 2 , 2023
କେନ୍ଦ୍ରାପଡ଼ା ବିଜୁ ଦକ୍ଷତା ବିକାଶ କେନ୍ଦ୍ରକୁ ମିଳିଛି ପୁଣି ଏକ ସଫଳତା । ଉପଯୁକ୍ତ ତାଲିମ୍ ପ୍ରାପ୍ତ ପରେ ୧୩ ନମ୍ବର ବ୍ୟାଚ୍‌ରେ ୨୦ ଜଣ ଯୁବକ ହାଇଦ୍ରାବାଦର ସ୍ନେଇଡର୍ ଇଲେଟ୍ରିକ୍ ସଂସ୍ଥାରେ ଚାକିରୀ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏମାନେ କେନ୍ଦ୍ରାପଡ଼ା ବିଜୁ ଦକ୍ଷତା ବିକାଶ କେନ୍ଦ୍ରରୁ ଆସିଷ୍ଟାଂଟ୍ ଇଲେକ୍ଟ୍ରିସିଆନ୍ ଟ୍ରେଡ୍‌ରେ ତାଲିମ ପାଇଥିଲେ । […]

You May Like