କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଧୋୟାଂଚଳର ବ୍ରାହ୍ମଣୀନଦୀ ପଠାରୁ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଟ୍ରକ ଡାଲା ଉପରେ ପାଲ ନ ଘୋଡାଇ ତୀବ୍ର ଗତିରେ ଯାତାୟାତ କରୁଥିବାର ବାଲି ଉଡି ରାସ୍ତାରେ ଯାଉଥିବା ସାଇକେଲ ଓ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ରାଜସ୍ୱ ବିଭାଗ ବାଲିଘାଟ ନିଲାମ କରି ମୋଟା ଅଙ୍କର ରାଜସ୍ୱ ପାଉଥିବା ବେଳେ ଲୋକଙ୍କ ସ୍ୱାର୍ଥକୁ ଗୌଣ କରାଯାଉଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ସାଧାରଣଜନତା ନିଜ ଗନ୍ତବ୍ୟ ପଥକୁ ଯିବା ସମୟରେ ବାଟରେ ଅଟକି ସମସ୍ୟା ଭୋଗୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।
ସାମାଜିକକର୍ମୀ ନରେନ୍ଦ୍ର ଧଳ କୁହନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅଧିନ ଧୋୟାଂଚଳ ବ୍ରାହ୍ମଣୀ ନଦୀ ପଠାରୁ ବେଆଇନ ଭାବେ ଶହ ଶହ ବାଲିଗାଡ଼ି ଅହରହ ଚଳାଚଳ ଯୋଗୁଁ ରାସ୍ତାଘାଟ ଖରାପ ହେବା ସହିତ ରାସ୍ତା ଜାମ୍ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ବାଲି ଗାଡି ଚଳାଚଳ ଯୋଗୁଁ ବାଲି ରାସ୍ତାରେ ପାଦେ ବହଳର କାଣ୍ଡି ହୋଇ ରହୁଛି । ସେଗୁଡିକୁ ସଫା କରାଯାଉ ନଥିବାରୁ ଜାତାୟତରେ ଘୋର ଅସୁବିଧା ହେବା ସହିତ ସାଇକେଲ ଓ ବାଇକ ଚାଳକ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଏନେଇ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି ପୋଲିସ ଓ ପ୍ରଶାସନ ନିିରବଦ୍ରଷ୍ଟା ସାଜିଛନ୍ତି ।
ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ଅଳପୁଆ ସମିତି ସଭ୍ୟ ରାମଚନ୍ଦ୍ର ସେଠୀ, ସିହଂଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ଅର୍ଜୁନୀ ବିଶ୍ୱାଳ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ଧୋୟାଂଚଳ ୭ ପଂଚାୟତ ମଧ୍ୟରୁ ନାହିଆଡିଆ, ଅମୃତମଣୋହି, ତରଡିପାଳ ସଇରାତ ନିଲାମ ଦିଆଯାଇଛି ବୋଲି ତହସିଲଦାର ସୂଚନା ଦେଇଥିବା ବେଳେ ଦାମୋଦରପାଟଣା ଭଳି ଅନ୍ୟ କେତେକ ସଇରାତରୁ ପ୍ରତ୍ୟହ ବାଲି ବେଆଇନ ଭାବେ ଚାଲାଣ ହେଉଛି । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡଲାଇନ ଓ ରାଜ୍ୟ ଲଘୁ ଖଣିଜ ଦ୍ରବ୍ୟ ଆଇନ୍ ଅନୁଯାୟୀ ବାଲିଘାଟ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବା କଥା କିନ୍ତୁ ଦିନରାତିି ୨୪ ଘଂଟା ବାଲିଘାଟରୁ ବେଆଇନ ଭାବେ ବାଲି ଉତୋଳନ କରାଯାଇଛି । ଦୈନିକ ଶତାଧିକ ହାଇୱା ଗାଡ଼ିରେ ବାଲି ଉତୋଳନ କରାଯାଉଥିବାରୁ ରାସ୍ତା ଘାଟ ଓ ନଦୀ ପଠା ସମ୍ପୂର୍ଣ୍ଣ ଭାବରେ ଗାତ ହୋଇ ପିଚୁ ରାସ୍ତା ନଷ୍ଟ ହୋଇ ଛୋଟବଡ଼ ଦୁର୍ଘଟଣା ଘଟୁଛି । ରାସ୍ତାଟି ଏକପ୍ରକାର ବାଲି ଚାଲାଣର କରିଡର ପାଲଟିଛି । ପୋଲିସ ଓ ରାଜସ୍ୱ କର୍ମଚାରୀମାନେ ବାଲିଘାଟ ନିଲାମଧାରୀଙ୍କଠାରୁ ମାସିକିଆ ଚାନ୍ଦା ନେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ରାସ୍ତାଗୁଡ଼ିକରୁ ବାଲି ସଫା କରାଯାଉ ନ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଓଭରଲୋଡିଂ ଭାରିଯାନଗୁଡ଼ିକ ଯୋଗୁ ଅନେକ ସ୍ଥାନରେ ରାସ୍ତା ଖାଲ ହେବା ସହ ଫାଟି ଯାଇଛି । ବାଲି ଗାଡି ଡାଲା ଉପରେ ପାଲ ଆଦି ଘୋଡାଯାଉ ନ ଥିବାରୁ ରାସ୍ତାରେ ବାଲି ପଡିବା ସହ ପାର୍ଶ୍ୱବର୍ତୀ ଜନବସତି ପ୍ରତି ବିପଦ ସୃଷ୍ଟି କରୁଛି । ଏହି ରାସ୍ତା ଦେଇ ଛାତ୍ରୀଛାତ୍ର ମାନେ ସ୍କୁଲ କଲେଜ ଯାତାୟତ କରୁଥିବା ବେଳେ କୌଣସି ରୋଗୀ, ଗର୍ଭବତୀ ଚିକିତ୍ସାଳୟ ଯିବାକୁ ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ ।
ଏ ସମ୍ପର୍କରେ ତହସିଲଦାର ପଂଚାନନ ନାୟକଙ୍କୁ ପଚାରିବାରେ, ଓଭର ଲୋଡ୍ ଓ ବାଲି ବୋଝେଇ ଗାଡ଼ିର ଡାଲା ଉପରେ ପାଲ ବା ଜରି ଘୋଡା ଯାଉ ନ ଥିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ବିଡିଓଙ୍କ ସହିତ ଯୋଗାଯୋଗ କରି ରାସ୍ତାରୁ ବାଲି ଉଠାଇବାକୁ ଚେଷ୍ଟାକରାଯାଉଛି ।