ବାଲି ମାଫିଆ ସକ୍ରିୟ : ଲିଜ୍ ବାହାରେ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ରାଜସ୍ୱ, ନ୍ୟାସନାଲ ଗ୍ରୀନ ଟ୍ରିବ୍ୟନାଲଙ୍କ ନାଲି ଆଖିକୁ ଡର ନାହିଁ , ବିପଦରେ ୨୦୦ ଗାଁ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଯେଉଁଭଳି ଭାବେ ଦିନରାତି ବାଲି ଖୋଳା ହେଉଛି ଆଉ ଅଳ୍ପଦିନ ମଧ୍ୟରେ ନଦୀ ଗର୍ଭରେ ନିଶ୍ଚିହ୍ନ ହୋଇଯିବ ସବୁଜୀମା । ଗୋଟିଏ ପଟେ ଅହରହ ବାଲି ଉତୋଳନ ଯୋଗୁ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ନଦୀ ଗତିପଥ ବଦଳାଇ ଚାଷଜମି ଆଡକୁ ମାଡି ଆସୁଛି । ଲିଜ୍ ଦିଆଯାଇ ନ ଥିବା ବାଲି ଘାଟରୁ ଦିନରାତି ବାଲି ଚୋରା ଚାଲାଣ କରାଯାଉଛି । ମାତ୍ର ପ୍ରଶାସନର ତାଙ୍କଉପରେ ଲଗାମ୍ ଲାଗାଇ ପାରୁନି । ସରକାରୀ ବାବୁମାନଙ୍କ ଛତ୍ରଛାୟା ତଳେ ରହି ବାଲି ମାଫିଆମାନେ କୋଟି କୋଟି ଟଙ୍କାର ବାଲି ଚାଲାଣ କରୁଛନ୍ତି । ଯାହାର କୁପ୍ରଭାବ ନିକଟସ୍ଥ ଗାଁଗୁଡ଼ିକ ଉପରେ ପଡ଼ୁଛି । ପ୍ରାୟ ଶତାଧିକ ଚାଷଜମୀ ନଦୀର ଆଁ ଭିତରକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି । ନେତା, ସରକାରୀ ଅଧିକାରୀ ଓ ବାଲି ମାଫିଆଙ୍କ ସଲାସୁତରା ପାଇଁ ପଟ୍ଟାମୁଣ୍ଡାଇ ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏହା ସହ ସରକାର ବି ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ।


ସାଧାରଣ ନିର୍ବାଚନ ପାଇଁ ସରକାରୀ ସ୍ତରରେ ବ୍ୟସ୍ତରହୁଥିବା ସୁଯୋଗ ନେଇ ମୁନାଫାଖୋର ଚୋରା ବାଲି ବେପାରୀ ବେଧଡ଼କ ଭାବେ ଲଘୁ ଖଣିଜ ଲୁଟ୍ କରି ମାଲାମାଲ ହେଉଛନ୍ତି । ରାଜସ୍ୱବୃଦ୍ଧି ଆଶାରେ ଥିବା ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇବାରେ ଲାଗିଛିନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ବେଆଇନ ବାଲି କାରବାର କାହାକୁ ଅଛପା ରହି ନାହିଁ । ବିଗତ ବର୍ଷରେ ବ୍ରାହ୍ମଣୀନଦୀରୁ ମାତ୍ରାଧିକ ପରିମାଣର ବାଲି ଉଠାଣ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ପରିବେଶ କ୍ଲିୟରାନ୍ସ ପ୍ରମାଣ ପତ୍ର ନଥାଇ ବ୍ରାହ୍ମଣୀ ନଦୀ ଶଯ୍ୟା ଓ ପଠାରୁ ହଜାର ହଜାର ଟ୍ରକ ବାଲି ଓ ମାଟି ଉଠାଇ ନେଉଥବା ସମ୍ପର୍କରେ ସ୍ଥାନୀୟ ଲୋକେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏହି ଅଭିଯୋଗରେ ଜିଲ୍ଲା ମାଜିଷ୍ଟ୍ରେଟ , ଜିଲ୍ଲା ମାଇନିଂ ଅଫିସର ଓ ଜିଲ୍ଲା ଏସ୍ ପିଙ୍କ ଠାରୁ ତଦନ୍ତ ରିପୋର୍ଟ ମାଗିଥିଲେ । କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍‌ପି ନଦୀରେ ପରିବେଶ ପ୍ରଦୂଷଣ ଘଟଣାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ । ମାତ୍ର ଦାଖଲ ହୋଇଥିବା ସତ୍ୟପାଠ ମିଥ୍ୟା ଥିବା ହୃଦୟଗମ କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ୨୦ ନଭେମ୍ବର ୨୦୧୯ରେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଏସ୍ ପିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହିତ ୧ କୋଟି ୧୦ ଲକ୍ଷ ୫୦ହଜାର ଟଙ୍କାର ଜରିମାନା କରିଥିଲେ । ମାତ୍ର ଏବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟନାଲଙ୍କ ନାଲି ଆଖିକୁ ନ ଡରି ଖୁଲମଖୁଲା ନଦୀରୁ ବାଲି ଉଠାଣ ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ବାଲି ବେପାରୀ ମାନଙ୍କ ସାହାସ ଶହେ ଗୁଣବୃଦ୍ଧି ପାଇଛି । ଆଉ ନଦୀର ବିଭିନ୍ନ ଘାଟରୁ ଅଧିକରୁ ଅଧିକ ପରିମାଣର ବାଲି ଲୁଟ୍ ହେଉଥିବାରୁ ହଜାର ହଜାର ହେକ୍ଟର ଚାଷଜମି ନଦୀ ଗର୍ଭକୁ ଚାଲିଯାଇଛି । ଆଉ କିଛି ଜମିକୁ ଜଳସେଚନ ହୋଇପାରୁନାହିଁ । ତେବେ ନଦୀରୁ ବେଆଇନ ବାଲି ଉତୋଳନ ଯୋଗୁ ଗତ କିଛି ବର୍ଷ ହେଲା ଲୋକମାନେ ପାନୀୟ ଉପଯୋଗୀ ଜଳ ପାଉ ନାହାନ୍ତି । ଲୋକମାନେ ଗାଧୋଇବା ଅନ୍ୟ କାମରେ ନିର୍ଭର କରୁଥିବା ଯୋଗୁ ସମସ୍ୟା ଆହୁରି ଜଟିଳ ହୋଇଛି । ନଦୀକୂଳ ଠାରୁ ଗୋଟିଏ କିଲୋମିଟର ପାଖାପାଖି ୨୦୦ରୁ ଅଧିକ ଏବଂ ଅଧ କିଲୋମିଟର ଦୂରରେ ପ୍ରାୟ ୧୫୦ଟି ଗାଁ ରହିଛି । ବାଲିମାଫିଆଙ୍କ ମନଇଚ୍ଛା ବାଲି ଉତୋଳନ ଫଳରେ ନଦୀ ନିକଟ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି । ମେସିନ୍ ଲଗାଇ ନଦୀରୁ ବାଲି ଉତୋଳନ ହେବା ଯୋଗୁ ନଦୀ ଗଭୀର ହେବା ସହ ବନ୍ଧ ଦୁର୍ବଳ ହୋଇ ଗାଁମାନଙ୍କର ସମସ୍ୟା ଏବେ ଜଟିଳ ସ୍ଥିତିରେ ରହିଛି । ବର୍ଷାଦିନ ବନ୍ୟା ଆସିଲେ କିଏ ଘରଦ୍ୱାର ଛାଡ଼ି ପରିବାର ସହ ଦୂର ଜାଗାକୁ ଯାଇ ରହୁଛନ୍ତି ତ ଆଉ କିଏ ବନ୍ଧୁବାନ୍ଧବଙ୍କ ଘରେ ରହିବାକୁ ଉଚିତ୍ ମଣୁଛନ୍ତି ।


Next Post

ରାଜନଗର ରାଜନୀତି : ଥରେ ବିଧାୟକ ହେଲେ ପରେ ଅଖୋଜା

Sat Mar 23 , 2024
ରାଜ୍ୟ ରାଜନୀତିରେ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ନେତାଙ୍କୁ ନେଇ ସଦାସର୍ବଦା ଚର୍ଚ୍ଚା ଲାଗି ରହିଥାଏ । ଏହି ନିର୍ବାଚନ ମଣ୍ଡଳୀରେ ଏକାଧିକ ରାଜନେତା ମାତ୍ର ଥରଟିଏ ବିଧାୟକ ହେବା ପରେ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି । ପଦବି ଯିବା ପରେ ସେମାନଙ୍କ ରାଜନୈତିକ ଯାତ୍ରା ସମାପ୍ତ ହୋଇଯାଉଛି । ୨୦୨୪ ନିର୍ବାଚନରେ ନିର୍ବାଚନରେ ବିଜେଡି ସୁପ୍ରିମ କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତାକୁ ନେଇ ଚର୍ଚ୍ଚା […]

You May Like