ମୁଣ୍ଡ ଉପରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ । ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭରପୁର ପ୍ରୟାସ ଜାରିଥିବା ବେଳେ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଂଚଳର କୃଷି ଓ କୃଷକ ସମସ୍ୟା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇ ଠିଆ ହୋଇଛି । କେନ୍ଦ୍ରାପଡା ଜିଲାର ଭାତ ହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଅଧିକାଂଶ ଚାଷଜମିକୁ ଜଳପରିଚାଳନା ହୋଇପାରୁନଥିବାରୁ ଚାଷୀମାନେ ଆବଶ୍ୟକ ସମୟରେ ଜଳସେଚନ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଚାଷୀ ଚାଷପ୍ରତି ବିମୁଖ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ବିଶେଷ କରି କୃଷି ଭୋଟରମାନେ ଜଳସେଚନ ସମସ୍ୟାର ସମାଧାନ ପାଇଁ ନେତାଏ କ’ଣ କରି ପାରିବେ ତାକୁ ନେଇ ପ୍ରଶ୍ନ କରୁଛନ୍ତି ।
କୃଷକ ନେତା ବିଜୟ ଦାସ କୁହନ୍ତି ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା କରି ଖର୍ଚ୍ଚ କରୁଛନ୍ତି ।କିନ୍ତୁ ବିଭାଗ ପକ୍ଷରୁ ସଠିକ ଅକଳନରେ କେନାଲ ନବୀକରଣ ଓ ଉନ୍ନତି କରଣ ହୋଉ ନଥିବାରୁ ଜଳସେଚନ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହୋଇ ହଜାର ହଜାର ଏକର ଜମି ପଡିଆ ପଡୁଥିବା ବେଳେ ଅନେକ ଫସଲ ନଷ୍ଟ ହେଉଛି । ଆମ ଅଂଚଳର ଅଧିବାସୀମାନଙ୍କ ମୁଖ୍ୟ ବେଉସା କହିଲେ ଧାନ, ପନିପରିବା ଚାଷ । ପଟ୍ଟାମୁଣ୍ଡାଇ କେନାଲ ଓ ଶାଖା କେନାଲ ଦେଇ ଉତିକଣ ଭେଡାକୁ ଜଳସେଚିତ ହୋଇଥାଏ । ଦୁଇଦଶଦି ପୂର୍ବରୁ ଏହି କେନାଲରେ ୧୨ ମାସି ପାଣୀ ରହିବା ସହିତ ଉତିକଣ ଅଂଚଳରେ ୩ ଫସଲି ଚାଷ ହେଉଥିଲା । ଲୋକେ ଶାରଦ ଫସଲକୁ ନିଜ ପାଇଁ ରଖି ଡାଳୁଅ ଧାନ ଓ ଅନ୍ୟ ଫସଲ ବିକ୍ରୀପଟା କରୁଥିଲେ । ମାତ୍ର ଏବେ ବର୍ଷାଦିନେ ଜମିରେ ପାଣି ପହଂଚି ପାରୁନଥିବାରୁ ଚାଷୀଙ୍କ ଆଶା ମଉଳି ଯାଉଛି । ଚାଷ ଉପରେ ନିର୍ଭରଶୀଳ ଲୋକଙ୍କ ଲାଗି ସରକାର ସ୍ତରରେ ଏ ପର୍ଯ୍ୟନ୍ତ ସେଭଳି କିଛି ଆଖି ଦୃଶିଆ କାର୍ଯ୍ୟ ହେଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ଚାଷୀ ସୁରେନ୍ଦ୍ର ପରିଡାଙ୍କ କହିବା କଥା, କେନାଲ ଅଛି ସତ ହେଲେ ପାଣି ଆସୁନାହିଁ । କେନାଲ ବର୍ଷକୁ ଦୁଇ ଥର ମରାମତି ହେଉଛି । ଟଙ୍କା ବି ଖର୍ଚ୍ଚ ହେଉଛି । କିନ୍ତୁ ବର୍ଷା ଦିନରେ କେବଳ କେନାଲରେ ପାଣି ଆସିଥିବା ବେଳେ ମହାବାତ୍ୟା ପରଠାରୁ ଖରା ଦିନିଆ ପାଣି ଚାଷୀମାନଙ୍କ ପାଇଁ ସାତ ସପନ ହୋଇଛି । ବାହାର ରାଜ୍ୟର ପନିପରିବା ଚଢା ଦରରେ ବିକ୍ରି ହେଉଥିବା ବେଳେ ଶୀତଳ ଭଣ୍ଡାର ନଥିବା ହେତୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି । ଏ ଦିଗରେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଜନ ପ୍ରତିିନିଧିମାନଙ୍କ ଆନ୍ତରିକତା ନଥିବା ଭଳି ମନେ ହେଉଛି ।’ ନିର୍ବାଚନ ଆସେ ଆଉ ଯାଏ କିନ୍ତୁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଏ ବୋଲି କହିଛନ୍ତି ।
ଦାଶରଥି ଦାସ କୁହନ୍ତି ଜଳସେଚନ ପାଇଁ ସମସ୍ତ ଭିତିଭୁମି ଥାଇ ଚାଷୀମାନଙ୍କ ଚାଷ ଜମି ଅନେକ ସମୟରେ ମରୁଡିର ସମ୍ମୁଖୀନ ହେଉଛି । ଚାଷୀ ପାଣି ନ ପାଇ ବି ଜଳକର ଦେବାକୁ ବାଧ୍ୟ ହେଉଛି । ସେହିପରି ଉଠା ଜଳସେଚନ ପ୍ରକଳ୍ପ ଓ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚାଷଜମି ଜଳସେଚନ କରିବା ପାଇଁ ଆଖି ଦୃଶିଆ ପଦକ୍ଷେପ ନେଇ ନାହାନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ସରକାର ପ୍ରତିଟି ବ୍ଳକରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚନ କରିବା ପାଇଁ ଦୁଇ ଦଶନ୍ଧି ତଳେ ଲକ୍ଷ୍ୟ ରଖିଥିବା ବେଳେ ତାହା ପୂରଣ ହେବାରେ ଅନିଶ୍ଚିତତା ଦେଖା ଦେଇଛି । ପଟ୍ଟାମୁଣ୍ଡାଇ ଅଂଚଳର ରାସ୍ତାଘାଟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନାନାଦି ସମସ୍ୟା ରହିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରୁ ବାଦ ଦିଆଯାଉଛି । ପଟ୍ଟାମୁଣ୍ଡାଇର ଭୌଗୋଳିକସ୍ଥିତି ଏବଂ ଅନ୍ୟ ଦୃଷ୍ଟିକୋଣରୁ ଏହାକୁ ସବଡିଭିଜନର ମାନ୍ୟତା ମିଳିବା କଥା । ପଟ୍ଟାମୁଣ୍ଡାଇ ଅଂଚଳରେ ସମସ୍ତ ପ୍ରକାର ଭିତିିଭୂମି ଥିବା ସତ୍ୱେ ସ୍ଥାନୀୟ ନେତୃତ୍ୱଙ୍କ ଆନ୍ତରିକତା ନ ଥିବା ହେତୁ ସବ୍ଡିଭିଜନ ଘୋଷଣା ହୋଇପାରି ନ ଥିବା ଅଭିଯୋଗ ହୋଇଛି ।
ସେହିପରି କେ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ପଟ୍ଟାମୁଣ୍ଡାଇର ୧୭ ପଂଚାୟତର ଅନେକ ସ୍ଥାନରେ ରାସ୍ତାଘାଟ ଓ ବ୍ରିଜର ସମସ୍ୟା ରହିଛି । ବହୁ ରାସ୍ତା ଖାଲଖମାରେ ପଡ଼ିରହିଛି । ଫଳରେ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯିବା ସହିତ ବହୁ ଅକର୍ମଣ୍ୟ ହୋଇଛନ୍ତି । ଅନ୍ୟପଟେ ସଂହଗାଁ ପଂଚାୟତରେ କାଣୀନଦୀରେ ବ୍ରିଜ ନଥିବା ଯୋଗୁଁ ସେଠାକାର ଅଧିବାସୀମାନେ ଡଙ୍ଗାରେ ଯିବା ଆସିବା କରୁଥିବା ଦୃଶ୍ୟ ମଧ୍ୟ ନଜିର ରହିଛି । ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ପଛୁଆ ଥିବା ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ।