ବଳି ପଡୁଛି ଗଛ ବଢୁଛି ତାପମାତ୍ରା : ବୃକ୍ଷ ଅବକ୍ଷୟ ଉପରେ ଲାଗୁନି ଅଙ୍କୁଶ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନାଁରେ ଦୈନିକ ଶତାଧିକ ଗଛ ବଳି ପଡୁଛି । ବିକାଶ ଆଳରେ ଦୈନିକ ବନକ୍ଷୟ ହେଉଥିବାରୁ କ୍ରମଶଃ ଗଛ ସଂଖ୍ୟା କମି ପ୍ରତିକୂଳ ପ୍ରଭାବରେ ଜଳବାୟୁ ବିଗିଡି ତାପମାତ୍ରା ପ୍ରଭାବିତ ହେଉଛି । କିଛିବର୍ଷ ପୂର୍ବେ ୩୬ରୁ୩୯ ଡିଗ୍ରୀ ଭିତରେ ରହୁଥିବା ପାରଦ ଏବେ ୪୨ରୁ୪୭ ଡିଗ୍ରୀ ମୁହାଁ ହେଲାଣି । ତାପମାତ୍ରାରେ ଏଭଳି ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିଚାଲିଥିବାବେଳେ ଆଗାମୀ ଦିନରେ ଏହା ଆହୁରି ଜଟିଳ ହେବ ବୋଲି ପରିବେଶବିତ୍ ଆଶଙ୍କା ବ୍ୟକ୍ତ କରିଛନ୍ତି ।
ପରିବେଶବିତ୍ ବିଭୁତି ମହାପାତ୍ର କୁହନ୍ତି ଶୁକ୍ରବାର ପଟ୍ଟାମୁଣ୍ଡାଇ ଅଂଚଳରେ ଦିନର ସର୍ବୋଚ୍ଚ ତାପମାତ୍ର ୪୨ ରୁ ୪୪ଡିଗ୍ରୀରେ ପହଁଚିଲାଣି । ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଯାଇଥିଲା ଅସହ୍ୟ ଗୁଳୁଗୁଳି । ପ୍ରଚଣ୍ଡ ଖରା ପାଇଁ ଶୂନ୍‌ଶାନ୍ ହୋଇପଡ଼ିଥିଲା ରାସ୍ତାଘାଟ । ମଧ୍ୟାହ୍ନରୁ ସନ୍ଧ୍ୟା ଯାଏ ଲୋକମାନେ ପ୍ରବଳ ଝାଞ୍ଜିରେ ସନ୍ତୁଳି ହୋଇଥିଲେ । କିଛିବର୍ଷ ହେଲା ତାପମାତ୍ରାରେ ଏଭଳି ଅସ୍ୱାଭାବିକ ବୃଦ୍ଧି ଲକ୍ଷ୍ୟ କରାଯାଉଛି । ଏହାର ପ୍ରମୁଖ କାରଣ ଅବାଧ ଗଛକଟା ବୋଲି କୁହାଯାଉଛି । ବିଶେଷକରି କେନ୍ଦ୍ରାପଡା-ପଟ୍ଟାମୁଣ୍ଡା. ଅଳଭା-ଗଣ୍ଡାକିଆ ଓ ପଟ୍ଟାମୁଣ୍ଡାଇ-ରାଜନଗର ଉପର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ରାସ୍ତାପାର୍ଶ୍ୱ ବୃକ୍ଷଶୂନ୍ୟ ହୋଇପଡ଼ିଛି । ଗଛ କଟାଯିବା ସ୍ଥାନରେ ବନୀକରଣ କରାଯିବାକୁ ନିୟମ ରହିଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ । ମାଟିିଇଟା ପାଇଁ ଅବାଧରେ ଗଛକଟା ହୋଇ ଭାଟିପୋଡା ଚାଲିଛି । ଗଛ ଅଭାବରୁ ପରିବେଶ ଉତପ୍ତ ହୋଇଯାଉଛି ।
ବୁୁଦ୍ଧିଜିବୀ ଆର୍ତତ୍ରାଣ ପାତ୍ର କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ବିଭିନ୍ନ ଲାଇନ ଡିପାର୍ଟମେଂଟ, କୋଠାବାଡ଼ି ଓ ରାସ୍ତା ନିର୍ମାଣ, ସରକାରୀ କାର୍ଯ୍ୟାଳୟ ନିର୍ମାଣ ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମିଳିତ ଉଦ୍ୟମରେ ଗଛକଟା ଯାଉଛି । ହେଲେ ନିୟମ ମୁତାବକ ଗଛ ଲଗାଯାଉ ନାହିଁ । ରାସ୍ତାଘାଟ ଓ କୋଠାବାଡ଼ି ନିର୍ମାଣ ପାଇଁ ବିଭାଗ ପକ୍ଷରୁ ବ୍ୟୟବରାଦ କରାଯାଉଛି । ଏହି ସମୟରେ ରାସ୍ତା ପାର୍ଶ୍ୱରେ ଓ ସରକାରୀ କୋଠାବାଡି ହତାରେ ଗଛ ଲଗାଇବା ପାଇଁ ଅର୍ଥ ବ୍ୟବସ୍ଥା କରାଯାଉଛି । ନିର୍ମାଣ କାର୍ଯ୍ୟ ସରିଯାଉଛି, ହେଲେ ଆବଶ୍ୟକ ସ୍ଥଳରେ ଗଛ ଲଗାଯାଉ ନାହିଁ । କାର୍ଯ୍ୟ ଆରମ୍ଭ ବେଳେ କେତୋଟି ଗଛ କଟାଯିବାର ଆବଶ୍ୟକତା ରହିଛି ଓ ଉକ୍ତ ଗଛଗୁଡିକୁ କାଟି ପରିବେଶ ପ୍ରତି କରାଯାଉଥିବା କ୍ଷତିକୁ ଭରଣା କରିବା ପାଇଁ କେତେ ଗଛ ଲଗାଯାଉଛି ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଧ୍ୟାନ ନଦେଇ ଠିକାଦାରମାନଙ୍କୁ ବିଲ୍ ପୈଠ କରିଦେଉଛନ୍ତି ।
ସାମାଜିକକର୍ମୀ ରଶ୍ମୀ ମହାନ୍ତି କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ କାଠ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଗତ କିଛିମାସ ତଳେ ତହସିଲଦାରଙ୍କ କ୍ୱାର୍ଟର୍ସ ନିକଟରୁ ୫ରୁ ଅଧିକ ମୂଲ୍ୟବାନ ଶିଶୁଗଛ କାଟି ନେଇଥିଲେ । ଏହି କାଠର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧବ ଟଙ୍କା ହେବ । ସେହିଭଳି ବାଲିପାଟଣା ପଂଚାୟତ ଖଡ଼ିପାଳ ରାସ୍ତାରେ ପ୍ରାୟ ୫୦୦ରୁ ଅଧିକ ତାଳଗଛ କାଟି ନେଲେ । ସେହିପରି ବାଇପାସ୍ ନିକଟରୁ ବିଶାଳ ଚାକୁଣ୍ଡା ଗଛ ଆରଡି କର୍ଯ୍ୟଳୟ ଭିତରୁ ଦୁଇଟି ବିଶାଳକାୟ ଦେବଦାରୁ ଗଛ କଟାହୋଇଯିବା ସହ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା ମାତ୍ର ତାହାର କୌନସି ଷୋଜ ଖବର ନଥିବା ବେଳେ ଏବେ ଖଡିଅଂଟା ପଂଚାୟତ ଅଫିସ ପାଖରୁ ଏକ ବିରାଟ ଚାକୁଣ୍ଡା ଗଛ କାଟି ଇଟାବାଲା ନେଇଗଲେ ତାହାର କୌନସି ଖୋଜଖବର ମିଳିଲା ନାହିଁ ।
ଶିକ୍ଷାବିତ ପ୍ରଫୁଲ୍ଲ ଦାଶ କୁହନ୍ତି ବର୍ଷକୁ ବର୍ଷ ରେକର୍ଡ ପରେ ରେକର୍ଡ କରୁଛି ତାତି । ତାପମାତ୍ରା ବୃଦ୍ଧି ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ଜଳବାୟୁ ପରିବର୍ତନେ ଯୋଗୁଁ ଭୂତଳ ଜଳସ୍ତର କମିଯାଇଛି । ଶତାଧିକ ନଳକୂପ ଅଚଳ ହୋଇପଡିଛି । ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିବା ନଈ, ନାଳ ମଧ୍ୟ ଶୁଖିଲା ପଡ଼ିଛି । ପାଣି ସମସ୍ୟାର ଉଦ୍‌ବେଗଜନକ ସ୍ଥିତି ଅଂଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି । ବାଡ଼ିବଗିଚାରେ ବ୍ୟାପକ ଗଛ ଲଗାଇବାକୁ ଜନସଚେତନତା ସୃଷ୍ଟି କରାଯାଉଛି । ହେଲେ ଏହା ପ୍ରଚାର ପ୍ରସାରରେ ସୀମିତ ଥିବା ଭଳି ମନେ ହେଉଛି । ବିଭିନ୍ନ ଆଳରେ ଗଛଗୁଡିକ କଟିବା ବେଳେ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ଲୋଡା ଯାଉନାହିଁ ।ଏମିତି କି ଗଛକଟାକୁ ନେଇ ଅଭିଯୋଗ ହେଲେ ବି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ପ୍ରକୃତି ସନ୍ତୁଳନ ଆଣିବା ପାଇଁ ବ୍ୟାପକ ଗଛ ଲଗାଯିବା ସହ ଗଛକାଟିବା ଉପରେ ରୋକ ଲଗାଇବା ଓ ଗଛକାଟିବାରେ ସଂପୃକ୍ତ ବ୍ୟକ୍ତି ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶବିତ୍‌ମାନେ ଦାବି କରୁଛନ୍ତି ।ପ୍ରଶାସନ ପଥପ୍ରାନ୍ତ ବନୀକରଣକୁ ଅଗ୍ରାଧିକାର ଦେବା, ଅବକ୍ଷୟମୁଖୀ ଜଙ୍ଗଲରେ ବ୍ୟାପକ ଚାରା ରୋପଣ କରିବା, ଜଳକଷ୍ଟର ସମ୍ମୁଖୀନ ହେଉଥିବା ଲୋକଙ୍କୁ ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ଦାବି ହେଉଛି । ଅନ୍ୟପକ୍ଷରେ ଏହି ଗଛକଟାକୁ ନେଇ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Next Post

ଓଡିଶାରେ ଡବଲ ଇଞ୍ଜିନ ସରକାର ନୁହେଁ କେବଳ ନବୀନ ଇଞ୍ଜିନ ସରକାର ଦରକାର

Mon May 20 , 2024
ରାଜନଗର-ପଟ୍ଟାମୁଣ୍ଡାଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସଙ୍କଳ୍ପବଦ୍ଧ ନିର୍ବାଚନ ଆସିଲେ ବିରୋଧି କନ୍ଦନ୍ତି କୁମ୍ଭିର କାନ୍ଦଣା ବିଜୁଜନତା ଦଳର ବରିଷ୍ଠ ନେତା କାର୍ତୀକ ପାଣ୍ଡିଆନ ସୋମବାର କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅନ୍ତର୍ଗତ ରାଜନଗର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର କରି ଓଡିଶାରେ ଡବଲ ଇଞ୍ଜିନ ସରକାର ନୁହେଁ କେବଳ ନବୀନ ଇଞ୍ଜିନ ସରକାର ଦରକାର । ନବୀନ ଇଞ୍ଜିନ ସରକାରରେ ଓଡ଼ିଶାରେ ଶାନ୍ତି ଅଛି, ବିକାଶ ହେଉଛି । ଏଥିନେଇ ସାଂସଦ […]

You May Like