ଭୁବନେଶ୍ୱର : ବିଧାନସଭାରେ ରାଜ୍ୟର ଜଳସେଚନ ସ୍ଥିତିକୁ ନେଇ ଆଜି ଦିଆଯାଇଥିବା ତଥ୍ୟ ଆଧାରରେ, ମାନ୍ୟବର ଜଳସେଚନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଧ୍ୟରେ କିଏ ସତ କହୁଛନ୍ତି ବୋଲି ବିଜେଡି ବିଧାୟକ ଧ୍ରୁବ ସାହୁ ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ ପ୍ରଶ୍ନ କରିଛନ୍ତି । ବିଧାୟକ ଶ୍ରୀ ସାହୁଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୦୨୪ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୪୯ ଲକ୍ଷ ୯୩ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ସୃଷ୍ଟି କରାଯାଇ ପାରିଛି ଓ ଏହା ମୋଟ ଚାଷ ଉପଯୋଗୀ ଜମିର ପ୍ରାୟ ୮୦.୭୯ ପ୍ରତିଶତ ବୋଲି ଉଲ୍ଲେଖ କରିଥିଲେ । ଅପରପକ୍ଷରେ ଜଳସଂପଦ ବିଭାଗ ଉପରେ ଆଧାରିତ ଶ୍ରୀ ସାହୁଙ୍କ ଅନ୍ୟ ଏକ ତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବ ବିଜେଡି ସରକାର ୩୫ ପ୍ରତିଶତ ଜମିରେ ଜଳସେଚନ କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୃହରେ ଦିଆଯାଇଥିଲା ୮୦.୭୯ ପ୍ରତିଶତରୁ ଉର୍ଦ୍ଧ୍ୱ ଜମି ଜଳସେଚିତ ହୋଇପାରିଥିବା କହିବା ସତ ନା ଶ୍ରୀ ମହାଲଙ୍ଗ କହିଥିବା ୩୫ ପ୍ରତିଶତ ଜମି ଜଳସେଚିତ ଜମି ହୋଇପାରିନାହିଁ ବୋଲି ଦେଇଥିବା ତଥ୍ୟ ସତ । ପବିତ୍ର ବିଧାନସଭାରେ ଏକା ଦିନରେ ଏହି ଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ରାଜ୍ୟବାସୀଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ଆଜି ବିଧାନସଭାରେ ଜଳସଂପଦ ବିଭାଗ ସଂପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଅଧୀକୃତ ହୋଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ଦେଉଥିଲା ବେଳେ ଏଥିରେ ହସ୍ତକ୍ଷେପ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଭି ସିଂହଦେଓ କହିଥିଲେ ଯେ, ପୂର୍ବ ବିଜେଡି ସରକାର ଲୋୟର ସୁକତେଲ ପ୍ରକଳ୍ପ କାମ ସରିନଥିଲେ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ଉଦ୍ଘାଟନ କରିଥିଲେ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ଲିଖିତ ଉତ୍ତରରେ ରାଜ୍ୟରେ ନିର୍ମାଣଧୀନ ୧୪ ଗୋଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ମଧ୍ୟରୁ କେବଳ ଦୁଇଟି ନିର୍ମାଣଧୀନ ପ୍ରକଳ୍ପ ଯଥା ଅଙ୍ଗ ଏକ୍ସଟେନସନ ପ୍ରକଳ୍ପ ଓ ଗଙ୍ଗାଧର ମେହେର ଅତିରିକ୍ତ ଆୟକଟ ପ୍ରକଳ୍ପକୁ ଛାଡି ରାଜ୍ୟର ଅନ୍ୟ ୧୨ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି । ଏହାର ଅର୍ଥ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ ହୋଇଛି ବୋଲି ଉତ୍ତର ଦେଇଥିଲା ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ ବୋଲି କହୁଛନ୍ତି । ଗୋଟିଏ ଦିନରେ ପବିତ୍ର ଗୃହରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ପରସ୍ପର ବିରୋଧୀ ଉତ୍ତର ରାଜ୍ୟବାସୀଙ୍କ ମଧ୍ୟରେ ଏକ ବିଭ୍ରାନ୍ତିକର ପରିସ୍ଥିତି କରିଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଧିକୃତ ହୋଇ ତାଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖୁଥିଲା ବେଳେ ଉପମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ସଂସଦୀୟ ପରମ୍ପରାରେ ଏକ ବିଲକ୍ଷଣ ବୋଲି ଶ୍ରୀ ସାହୁ କହିଛନ୍ତି । ବିଧାନସଭାରେ ଏଭଳି ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରି ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା କେତେଦୂର ସମୀଚୀନ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ।