
ପଟ୍ଟାମୁଣ୍ଡାଇ ତା୧୭/୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ଏସ ପି ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଅରୁଣ ନାୟକ,ସହକାରୀ ଜିଲ୍ଲାପାଳ ପଲ୍ଲବୀ ପ୍ରିୟଦର୍ଶନୀ,ବିଡ଼ିଓ ଶୁଭ୍ରାଂଶୁ ସାହୁ,ତହସିଲଦାର ପଞ୍ଚାନନ ନାୟକ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା ମିଳିତ ଜନଶୁଣାଣୀ ଶିବିରରେ ଆଗତ କରିଥିବା ଅଭିଯୋଗ ଅନୁଯାୟୀ ଏହି ପଂଚାୟତର ବାଲିପାଟଣା ଗ୍ରାମରେ ନିର୍ମାଣଧୀନ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଅଧା ପନ୍ତରିଆ ଭାବେ ପଡିରହିଛି । ଜବରଦଖଲ ହଟାଇ ରାସ୍ତା ନିର୍ମାଣ ଅଗ୍ରଗତି କରାଯାଉନାହିଁ । ଯାହାଫଳରେ ଜନସାଧାରଣ ସ୍କୁଲ ଛାତ୍ରଛାତ୍ରୀ ଓ ଅଙ୍ଗନବାଡିକୁ ଯିବା ପାଇଁ ଶିଶୁ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜରୁରୀ କାଳୀନ ସେବା ପାଇଁ ଆମ୍ବୁଲାନ୍ସ ଓ ଦମକଳ ଗାଡି ଯିବା ସମ୍ଭବ ହେଉନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ସରପଞ୍ଚ ଶ୍ରୀ ଓଝା ଦାବୀ କରିଥିଲେ । ବଦାମୁଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ ଗଣ୍ଡକୁଳ ନିକଟ କେଳାସାହିରେ ନଳକୂପ ଖନନ, କଟକ-ଚାନ୍ଦବାଲି ରାସ୍ତା ପୋହଳ ଛକ ଠାରୁ ପୋହଳ ଗ୍ରାମରାସ୍ତା ମଧ୍ୟରେ ୧୩୨ କେନାଲ ଉପରେ ପୋଲ ନିର୍ମାଣ ନପଙ୍ଗ -ପନ୍ତୁରୀ ରାସ୍ତା ମରାମତି, ବାଟିପଡ଼ା ଓ ନପଙ୍ଗ ଅଙ୍ଗନବାଡି କେନ୍ଦ୍ର ଉନ୍ନତିକରଣ ଓ ଧବଳେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟ ଗୃହ ଓ ପାଚେରୀ ନିର୍ମାଣ,ନସିପୁର ଗ୍ରାମର କର୍କଟ ପୀଡିତା ବିଜୟଲଷ୍ମୀ ଦାସଙ୍କୁ ଆର୍ଥିକ ସହାୟତା ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ । ନରସିଂହପୁର ସରପଞ୍ଚ ଦିପ୍ତିମୟୀ ପରିଡା ନରସିଂହପୁର ପଂଚାୟତ ରେ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ସୁଧାର ଆଣିବା ଓ ଗ୍ରାମ୍ୟଉନ୍ନୟନ ବିଭାଗ ରାସ୍ତା ମରାମତିରେ ଅବହେଳା ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ । କଖାରୁଣୀ ସରପଞ୍ଚ ରମେଶ ମଲ୍ଲିକ କଖାରୁଣୀ ପଂଚାୟତ ବଡ଼ପୋଖରୀ ର ସରକାରୀ ନିଲାମ ମୂଲ୍ୟ ଅଧିକ ହୋଇଥିବାରୁ ନିଲାମ ହୋଇ ପାରୁନାହିଁ । ଜିଲ୍ଲା ପ୍ରଶାସନ ନିଲାମ ମୂଲ୍ୟ ହ୍ରାସ କରାଯାଇ ନିଲାମ ଦିଗରେ ପଦକ୍ଷେପ ନେଲେ ପଂଚାୟତର ଆର୍ଥିକ ବିକାଶ ହୋଇ ପାରିବ ବୋଲି ଦର୍ଶାଇ ତୁରନ୍ତ ପଦକ୍ଷେପ ନେବାକୁ ସରପଞ୍ଚ ଶ୍ରୀ ମଲ୍ଲିକ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଥିଲେ । ଏହି ଜନଶୁଣାଣୀ ଶିବିରରେ ଆଗତ ବିଭିନ୍ନ ପ୍ରସଙ୍ଗରେ ଆଗତ ୭୪ଟି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯଇଥିଲା । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ଉଦ୍ୟାନ ବିଭାଗ ଉପନିର୍ଦେଶକ ଅଶୋକ ସାମଲ ବ୍ଲକ ସହନିର୍ବାହୀ ଯନ୍ତ୍ରୀ ଇଂ ରୋଜାଲିନ ମହାଳିକ ,ସି ଡି ଏମ ଓ ପ୍ରମୋଦ ପ୍ରହରାଜ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର, ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଜ୍ୟୋତି ପ୍ରକାଶ ବେହେରା,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ, ଜଳସମ୍ପଦ ସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ, ଜନସ୍ୱାସ୍ଥ୍ୟ ସହସହକାରୀ ଯନ୍ତ୍ରୀ ସୁଦାମ ସାହୁ, ଜିଲ୍ଲା ଏସ ଏସ ଓ ରୁପାଲୀ ପ୍ରିୟଦର୍ଶନୀ,ପଟ୍ଟାମୁଣ୍ଡାଇ ଏସ ଡ଼ି ପି ଓ କ୍ଷମା ସାଗର ପଣ୍ଡା,ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମତ୍ସ୍ୟ ଅଧିକାରୀ ପ୍ରକାଶ ମହାରଣା କୃଷି ଅଧିକାରୀ ଶରତ ନାୟକ, ସହକାରୀ ଉଦ୍ୟାନ ଅଧିକାରୀ ସୌମ୍ୟ ରଞ୍ଜନ ସେଠୀ,ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ସୁବାଷ ସାହୁ, ବ୍ଲକ ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ,ପ୍ରମୁଖ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଏହି ଶିବିରକୁ ପିଇଓ ପ୍ରଭାତ ମଲ୍ଲିକ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସି ପି ପ୍ରିୟ ରଞ୍ଜନ ସ୍ୱାଇଁ ପ୍ରମୁଖ ପରି ଚାଳନା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ସରକାରଙ୍କ ନିର୍ଦେଶରେ ପ୍ରଥମ ଥର ପାଇଁ ପଂଚାୟତ ସ୍ତରରେ ଆୟୋଜନ କରାଯାଇଥିଲା ।










