ବ୍ରାହ୍ମଣୀ ବନ୍ୟାରେ ଭାସି ଯାଇ ୧ମୃତ, ମୃତ ପରିବାରକୁ ସହାୟତା ଦାବୀ



ପଟ୍ଟାମୁଣ୍ଡାଇ ତା ୨୯/୭- ବ୍ରାହ୍ମଣୀ ନଦୀରେ ୨ୟ ଥର ବନ୍ୟା ଆସିବା ଫଳରେ ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ଶାସନ ପଂଚାୟତ ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ପଡିବା ସହିତ ହଜାର ହଜାର ଲୋକ ବିପନ୍ନ ହୋଇଛନ୍ତି । ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ଆଜି ଶ୍ରୀରାମପୁର ପଂଚାୟତରେ ଏକ ଅଭାବନୀୟ ଦୁଖଦଃ ଘଟଣା ଘଟିଛି । ଶ୍ରୀରାମପୁର ପଂଚାୟତ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳ (୬୫) ବନ୍ୟା ଜଳରେ ବୁଡି ଯାଇ ପ୍ରାଣ ହରାଇଛି । ବନ୍ୟା ସ୍ରୋତରେ ଭାସି ଯାଉଥିବା ପ୍ରତାପ ସାହୁ ନାମକ ଜଣେ ବ୍ୟକ୍ତିକୁ ଉଦ୍ଧାର କରିବାକୁ ଯାଇ ବନ୍ୟାର ପ୍ରଖର ସ୍ରୋତ ରେ ପଡି ବନ୍ୟା ପାଣିରେ ବୁଡି ଯାଇ ଦୀନବନ୍ଧୁ ମୃତ୍ୟୁବରଣ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବନ୍ୟା ବିପନ୍ନ ଅଳପୁଆ, ପେଣ୍ଠପାଳ, ସିଂହଗାଁ, ତରଡ଼ିପାଳ, ଅମୃତମଣୋହି ଆଦି ପଂଚାୟତ ଗସ୍ତରେ ଥିବାବେଳେ ଥିବାବେଳେ ଶ୍ରୀରାମପୁର ବନ୍ୟାରେ ବୁଡି ମୃତ୍ୟୁ ଖବର ପାଇ ଗସ୍ତ କାଣ୍ଟଛାଣ୍ଟ କରି ଅବିଳମ୍ବେ ଶ୍ରୀରାମପୁର ପଂଚାୟତ ପାଳପାଟଣାରେ ପହଂଚି ମୃତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଠାରେ ଦାବୀ କରିଥିଲେ । ବ୍ଲକ ଅଧ୍ୟକ୍ଷଙ୍କ ସହିତ ଶ୍ରୀରାମପୁର ସରପଞ୍ଚ ସସ୍ମିତା ସେଠୀ, ଯୁବନେତା ପ୍ରତାପ ସେଠୀ, ସଂଗ୍ରାମ ସ୍ୱାଇଁ, ପ୍ରେମାନନ୍ଦ ସେଠୀ ପ୍ରମୁଖ ମୃତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, କିଶୋର ତରାଇ ଓ ଡ଼ ଅଲେଖ ଜେନା ପ୍ରମୁଖ ବନ୍ୟାରେ ବୁଡି ମୃତ୍ୟୁ ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ପରିବାରକୁ ସମସ୍ତ ସରକାରୀ ସହାୟତା ପାଇଁ ସରକାରଙ୍କ ଠାରେ ଦାବୀ କରିଛନ୍ତି । ବନ୍ୟାରେ ବୁଡି ଯାଇ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳଙ୍କ ମୃତ୍ୟୁ ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଆଳି ଡାକ୍ତରଖାନା ପଠାଇଛି ।


Discover more from

Subscribe now to keep reading and get access to the full archive.

Continue reading