ଏମପାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ‘ପରିଶ୍ରମର କୌଣସି ବିକଳ୍ପ ନାହିଁ’


କେନ୍ଦ୍ରାପଡ଼ା,୨୩ା୧୨: ପରିଶ୍ରମର କୌଣସି ବିକଳ୍ପ ନାହିଁ। ପିଲାମାନେ ପରିଶ୍ରମ କରି ପାଠ ପଢିଲେ ସେ ପାଠ ସଠିକ କାମରେ ବିନିଯୋଗ ହେବ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ସେମାନେ ହେଉଛନ୍ତି ଆମ ପାଇଁ ବର୍ତ୍ତମାନର ସ୍ୱପ୍ନ ଓ ଆସନ୍ତା କାଲିର ପ୍ରତିଶ୍ରୁତି। ତେଣୁ ସେମାନଙ୍କୁ ମଧ୍ୟ କୌଣସି କ୍ଷେତ୍ରରେ ଅବହେଳା କରାଯିବା ଉଚିତ ନୁହେଁ। ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ବିଦ୍ୟାଳୟ ପିଲାମାନଙ୍କୁ ଯେପରି ଗଢିବ ଭବିଷ୍ୟତରେ ସେହିଭଳି ପିଲା ସୃଷ୍ଟି ହେବେ। ତେଣୁ ବିଦ୍ୟାଳୟ ହାତରେ ଆମ ସମାଜ ଏକ ଗୁରୁ ଦାୟିତ୍ୱ ଅର୍ପଣ କରିଛି। ଏହି ଦାୟିତ୍ୱକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଠିକ ରୂପେ କାର୍ଯ୍ୟକାରୀ କରିବା ଉଚିତ। ଏମପାୱାର ପବ୍ଲିକ ସ୍କୁଲର ଶିକ୍ଷାଦାନ ପଦ୍ଧତ୍ତି ଓ ପରିଚାଳନା ସଂପୂର୍ଣ୍ଣ ନିଆରା। ଏହି ବିଦ୍ୟାଳୟରୁ ପାଠ ପଢିଥିବା ପିଲାମାନେ ଭବିଷ୍ୟତରେ ସୁନାଗରିକ ହୋଇପାରିବେ ବୋଲି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମତବ୍ୟକ୍ତ କରିଛନ୍ତି। ମଙ୍ଗଳବାର ଜିଲା ସଂସ୍କୃତି ଭବନରେ ଏମପାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ବେହେରା କହିଲେ ଜିଲାର ଶିକ୍ଷା ମାନଚିତ୍ରରେ ଏହି ବିଦ୍ୟାଳୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏଭଳି ବିଦ୍ୟାଳୟ କେନ୍ଦ୍ରାପଡ଼ା ଜିଲାରେ ଆବଶ୍ୟକ। ଏଥିରେ କେନ୍ଦ୍ରାପଡ଼ା ଶିବାନନ୍ଦ ଆଶ୍ରମର ମୁଖ୍ୟ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ କହିଲେ ପିତାମାତାଙ୍କ କଥାକୁ କେବେ ହେଲେ ଅବଜ୍ଞା କରିବ ନାହିଁ। ପିତାମାତା ଯାହା ଉପଦେଶ ଦିଅନ୍ତି ତାହା ପିଲାଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରେ। ଠିକ ସେହିପରି ବିଦ୍ୟାଳୟରେ ପିତାମାତା ହେଉଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। ପିଲାମାନେ ବିଦ୍ୟାଳୟରେ ଥିବା ସମୟରେ ସେମାନଙ୍କ ସମସ୍ତ ଦାୟିତ୍ୱ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୁଝିଥାନ୍ତି। ତେଣୁ ସେମାନେ ମଧ୍ୟ ପିତାମାତାଙ୍କ ଭଳି। ପିତାମାତାଙ୍କ ଠାରୁ ବଡ଼ ଠାକୁର ଦୁନିଆରେ କେହି ନାହାଁନ୍ତି। କାରଣ ପିତାମାତା ପିଲାଙ୍କ ମଙ୍ଗଳ ପାଇଁ ଉପଦେଶ ଦେଇଥାନ୍ତି ବୋଲ ସେ କହିଥିଲେ। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ବିଶ୍ୱାଳଙ୍କ ସଭାପତିତ୍ୱରେ ଜିଲା ପରିଷଦ ସଭାପତି ଲିଲିତା ଦାସ, ଡା. ଗୌରାଙ୍ଗ ସାମନ୍ତରାୟ, ସୌରପ୍ରକାଶ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପରେଶ ଦାସ, ପ୍ରସନ୍ନ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ଗଠନ ପାଇଁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ରଙ୍ଗାରଙ୍ଗ ସଙ୍ଗୀତ ପରିବେଷଣ କରିଥିଲେ ସାନ୍ତନୁ ମହାନ୍ତି ଓ ବୈଦ୍ୟନାଥ ଦାସ। ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା କବାଲି ଓ ଅନ୍ୟାନ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷୟିତ୍ରୀ ମୋନାଲିସା ସାହୁଙ୍କ ସଂଯୋଜନାରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।


Next Post

ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା

Tue Dec 23 , 2025
କେନ୍ଦ୍ରାପଡା ୨୩/୧୨ – ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ରୂପେ ଜିଲ୍ଲା ପଞ୍ଚାୟତିରାଜ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରୀଡା କ୍ଷେତ୍ରରେ ଶିକ୍ଷାର୍ଥୀ ମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟର ସମ୍ପାଦକ […]

KANIKA