
କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡ଼ା ଜିଲ୍ଲାର ବସପୁର ଠାରୁ କେନ୍ଦ୍ରାପଡା ସଦର ଥାନା ଦେଇ କାକଟ ଲକ୍ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟରାସ୍ତାରେ ଯାତାୟତ କରିବାରେ ଏବେ ଗୁରୁତର ବାଧା ଉପୁଜିଛି। ଏହି ରାସ୍ତା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ସଡ଼କ। ଦୈନିକ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି।ଏହି ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଚିକିତ୍ସାଳୟ, କଲେଜ୍ ଓ ସହରର ମୁଖ୍ୟ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ। କିନ୍ତୁ ଏହି ରାସ୍ତା ଉପରେ ବାଲି, ଗୋଡ଼ି, କାଠ, ଇଟା ଓ ବିଭିନ୍ନ ବ୍ୟବସାୟୀ ସାମଗ୍ରୀ ରଖି ଅବୈଧ ଭାବେ ଜବର ଦଖଲ କରାଯାଇଥିବାରୁ ଯାତାୟାତରେ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଶୀତ ଋତୁରେ କୁହୁଡ଼ି ପଡ଼ୁଥିବା ସମୟରେ ଏହି ରାସ୍ତା ଉପରେ ଦଣ୍ଡାୟମାନ ଥିବା ବଡ଼ ବଡ଼ ଟ୍ରକ୍ ଓ ବାଲି-ଗୋଡ଼ି ଢେର ପଥଚାରୀ ଓ ଯାନବାହନ ଚାଳକଙ୍କ ପାଇଁ ମହା ବିପଦ ସୃଷ୍ଟି କରୁଛି। ଏହାର ପରିଣାମ ସ୍ୱରୂପ ଦିନକୁ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଏବଂ ନିର୍ଦୋଷ ଲୋକ ଆହତ ହେଉଛନ୍ତି। ସ୍ଥାନୀୟ ଲୋକମାନେ ଏହି ଅବୈଧ ରାସ୍ତା ଅବରୋଧ ବିରୋଧରେ ପ୍ରତିବାଦ ପ୍ରକାଶ କରି ଜିଲ୍ଲା ପ୍ରଶାସନ ଓ ପୋଲିସକୁ ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରୁଛନ୍ତି। ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅବୈଧ ଦଖଲ ଓ ରାସ୍ତା ଅବରୋଧ କରୁଥିବା ଲୋକଙ୍କ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି।











