ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ବିରାଟକାୟ କୁମ୍ଭୀର ଭାସୁଛି


ପଟ୍ଟାମୁଣ୍ଡାଇ ୭/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି। ନଦୀକୂଳରେ ଥିବା ଲୋକମାନେ କୁମ୍ଭୀରଟିକୁ ଦେଖି ଭୟଭୀତ ହୋଇପଡ଼ିଥିଲେ। ଖବର ପ୍ରଚାର ପାଇବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।

ସ୍ଥାନୀୟ ବାସୀଙ୍କ କହିବା ଅନୁଯାୟୀ, ପତ୍ରପୁର ସେତୁ ଆସପାସ ଅଂଚଳରେ କୁମ୍ଭୀରଟି ବହୁବାର ଚଳପ୍ରଚଳ କରୁଥିବାର ଦେଖାଯାଏ । ମଙ୍ଗଳବାର କୁମ୍ଭୀରଟି କିଛି ସମୟ ଧରି ନଦୀରେ ଭାସୁଥିବା ଦେଖାଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇଯାଇଛନ୍ତି । ଏହି କୁମ୍ଭୀର ପ୍ରାଦୁର୍ଭାବ ନୂଆ ନୁହେଁ। ଅତୀତରେ ଏହି ଅଂଚଳରେ ଅନେକ ଧନଜୀବନ ହାନି ହୋଇଛି। ବିଶେଷ କରି ବାଛରା ପଞ୍ଚାୟତ ଅନ୍ତର୍ଗତ ମଣ୍ଡପଡା ଗ୍ରାମ ଓ ନିମପୁର ଗ୍ରାମ ସମେତ ପାର୍ଶ୍ୱବର୍ତ୍ତୀ ଅନେକ ଗ୍ରାମର ଲୋକେ ଏହାର ଶିକାର ହୋଇଛନ୍ତି। ପୂର୍ବରୁ କୁମ୍ଭୀର ଆକ୍ରମଣରେ ଅନେକ ଗୃହପାଳିତ ପଶୁ ପ୍ରାଣ ହରାଇଥିବା ବେଳେ କେତେକ ସ୍ଥାନରେ ମଣିଷ ମଧ୍ୟ ଜୀବନ ହରାଇଛନ୍ତି। ସେହି ପୁରୁଣା ଦୁର୍ଘଟଣା ସବୁକୁ ମନେ ପକାଇ ଏବେ ଗ୍ରାମବାସୀଙ୍କ ମନରେ ଛନକା ପଶିଛି।କୁମ୍ଭୀର ଭୟରେ ନଦୀ କୂଳିଆ ଗାଁଗୁଡ଼ିକର ସ୍ୱାଭାବିକ ଜୀବନଯାତ୍ରା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଲୋକମାନେ ପିଲାପିଲି ଓ ଗୃହପାଳିତ ପଶୁମାନଙ୍କୁ ନଦୀ ଆଡ଼କୁ ଛାଡ଼ିବାକୁ ଭୟ କରୁଛନ୍ତି। ପତ୍ରପୁର ସେତୁ ଉପରୁ ନଦୀ ମଧ୍ୟରେ କୁମ୍ଭୀରଟି ଭସୁଥିବାର ଦୃଶ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଧିକ କୋକୁଆ ଭୟ ସୃଷ୍ଟି କରିଛି।

ଏଠିକାର ଲୋକମାନଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ରାହ୍ମଣୀ ନଦୀ ଏକ ପ୍ରକାର ଭରସା । ନଦୀକୁ ଗାଧୋଇବା ପ୍ରାତଃକର୍ମ ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନଦୀ ଉପରେ ନିର୍ଭର କରନ୍ତି। କିନ୍ତୁ ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରେ ନଦୀକୁ ଯିବା ଜୀବନ ସହିତ ଖେଳିବା ସଦୃଶ ହେବ। ବନ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କୁମ୍ଭୀରକୁ ଘଉଡ଼ାଇବା କିମ୍ବା ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରନ୍ତୁ । ଜନସାଧାରଣଙ୍କ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ପୁନର୍ବାର କାହାର ଧନଜୀବନ ହାନି ହେବା ପୂର୍ବରୁ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।


Be the first to comment

Leave a Reply

Your email address will not be published.