

ପଟ୍ଟାମୁଣ୍ଡାଇ୧୨/୭ -ନଦୀ ହେଉଛି ସଭ୍ୟତାର ଜୀବନରେଖା। କିନ୍ତୁ ଯେତେବେଳେ ସେହି ନଦୀକୁ କେନ୍ଦ୍ର କରି ସରକାରୀ ବ୍ୟବସ୍ଥା ଭିତରେ ଦୁର୍ନୀତିର ଚେର ମାଡ଼ିଯାଏ ସେତେବେଳେ ଜୀବନରେଖା ହିଁ ସାଧାରଣ ଜନତାଙ୍କ ପାଇଁ ମରଣଯନ୍ତା ପାଲଟିଯାଏ। ଏଭଳି ଏକ ଚିନ୍ତାଜନକ ଚିତ୍ର ଏବେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ଗତି କରିଥିବା ବ୍ରାହ୍ମଣୀ ନଦୀ ପାର୍ଶ୍ୱରେ ଦେଖିବାକୁ ମିଳିଛି। ବ୍ରାହ୍ମଣୀ ନଦୀର ଗତିପଥ ଏବଂ ବନ୍ୟା ଦାଉରୁ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ଅର୍ଥ ବ୍ୟୟରେ ପଥର ପ୍ୟାକିଂ କାର୍ଯ୍ୟ କରାଯାଉଛି। ହେଲେ ରାଜସ୍ୱ ଓ ଖଣି ବିଭାଗର ଦାୟିତ୍ୱହୀନତା ଓ ଅଧିକାରୀମାନଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ସେହି ପଥର ପ୍ୟାକିଂର ଅତି ନିକଟରୁ ଦିନରାତି ହଜାର ହଜାର ଟ୍ରିପ୍ ବାଲି ବେଆଇନ ଭାବେ ଖୋଳି ନିଆଯାଉଛି। ଯାହାକୁ ନେଇ ନଦୀ ଶଯ୍ୟା ଗଭୀର ହେବାରେ ଲାଗିଛି। ଫଳରେ ନୂଆ କରି ପଡୁଥିବା ପଥର ପ୍ୟାକିଂ ଧସିଯିବା ଆଦୌ ଅସ୍ୱାଭାବିକ ନୁହେଁବୋଲି ପ୍ରଶ୍ନ ଉଠିଛି ।ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପଛରେ ଖଣି, ରାଜସ୍ୱ ଏବଂ ଜଳସମ୍ପଦ ବିଭାଗର ଯେଉଁ ମଧୁଚନ୍ଦ୍ରିକା ଚାଲିଛି, ତାହା ସ୍ଥାନୀୟ ଅଂଚଳକୁ ଏକ ବଡ଼ ବିପଦ ଆଡ଼କୁ ଠେଲି ଦେଉଛି ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି ।

ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳର ବ୍ରାହ୍ମଣୀ ନଦୀ ଶଯ୍ୟାରୁ ବେଆଇନ ଭାବେ ବାଲିଉଠାଣ ହେଉଥିବାରୁ ନଦୀ ଶଯ୍ୟା ଖାଲଖମାରେ ପରିଣତ ହୋଇଛି। ଏହା ନଦୀ ଜନବସତି ଆଡ଼କୁ ମୁହାଁଉଥିବାରୁ ନଦୀ କୂଳ ବାସିନ୍ଦା ଭୟଭୀତ ହୋଇରହିଛନ୍ତି। ଏଥିନେଇ ସରକାର ଅଳଭା-ନିମପୁର ଗ୍ରାମର ମଧ୍ୟସ୍ଥାନ ନରେନ୍ଦ୍ରପୁର ଘାଟ ନିକଟରେ ଜଳସମ୍ପଦ ବିଭାଗ ପକ୍ଷରୁ ୧୮ କୋଟି ବ୍ୟୟରେ ପଥର ପ୍ୟାକିଂ କରାଯାଉଛି। ତାର ଅନତି ଦୁରରେ ବେଆଇନ ବାଲି ଖୋଳାଚାଲିଛି । ଫଳରେ ନଦୀର ମୂଳଦୁଆ ଏବଂ ମାଟି ଧସିବାରେ ଲାଗିଛି । ଯାହା ଉପରେ ପଥର ପ୍ୟାକିଂ କରିବା ସମ୍ପୂର୍ଣ୍ଣ ଅବୈଜ୍ଞାନିକ ପ୍ରଦ୍ଧତିଥିଲେ ମଧ୍ୟ୍ର ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଓ ଠିକାଦାର ବନ୍ଧର ସ୍ଥାୟୀତ୍ୱ କଥା ଚିନ୍ତା ନକରି କେବଳ କାମ ସାରି ମୋଟା ଅଙ୍କର ପିସି ନେବାରେ ମାତିଛନ୍ତି। ଅତି ନିମ୍ନମାନର ପଥର ବ୍ୟବହାର କରାଯାଇ କାମକୁ ଆଖିଦୃଶିଆ କରାଯାଉଛି । ଯାହା ପ୍ରଥମ ବନ୍ୟା ପାଣିର ସ୍ରୋତରେ ହିଁ ଧୋଇଯିବାର ସମ୍ଭାବନା ରହିଛି। ସରକାରଙ୍କ କୋଟି କୋଟି ଟଙ୍କାର ଅନୁଦାନ ଏଠାରେ କେବଳ ହରିଲୁଟ୍ ହେଉଛିବୋଲି ଅଭିଯୋଗ ହେଉଛି ।
ନଦୀବନ୍ଧ ସୁରକ୍ଷା ପାଇଁ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ବାଲି ଖନନ ନିଷେଧ ଥିଲେ ହେଁ ବାଲି ଚୋରା ଚାଲାଣକାରୀ ସେହି ନିୟମକୁ ଫୁ’ କରି ଉଡ଼େଇ ଦେଇଛନ୍ତି। ନଦୀ ପଠାର ୨ରୁ ୩ କିଲୋମିଟର ଭିତରେ ଜଳ ପ୍ରକଳ୍ପ, ବନ୍ଧ, ନାଳ, ପୋଲ ଥିଲେ ସେହି ନଦୀପଠାରୁ ବାଲି ଉତୋଳନ ନକରିବା ପାଇଁ ସରକାରୀ କଟକଣା ଅଛି। ତେବେ ପଟ୍ଟାମୁଣ୍ଡାଇ ଅଂଚଳରେ ଏହି ନିୟମକୁ ଉପେକ୍ଷା କରାଯାଉଛି। ଅଳଭା-ନିମପୁର ବ୍ରାହ୍ମଣୀ ନଦୀ ଶଯ୍ୟାରୁ ପ୍ରତିଦିନ ଶହ ଶହ ହାଇୱା ମାଧ୍ୟମରେ ବାଲି ଚୋରା ଚାଲାଣ ହେଉଛି। ଖଣି ଓ ସ୍ଥାନୀୟ ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀ କେବଳ ନିଜର ମାସିକିଆ ମୋଟା ଅଙ୍କର ବେଆଇନ ପାଣ୍ଠି ପାଇ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। ସରକାରୀ ବ୍ୟବସ୍ଥାରେ ସମନ୍ୱୟର ଅଭାବ ଏବଂ ଅଧିକାରୀଙ୍କ ଅର୍ଥ ଲୋଭ ସାଧାରଣ ଜନତାଙ୍କ ଜୀବନକୁ ମରଣ ମୁହଁକୁ ଠେଲିଦେଉଛି ।
ବ୍ରାହ୍ମଣୀ ନଦୀର ପଟ୍ଟାମୁଣ୍ଡାଇ-ରାଜନଗର ଘେରିବନ୍ଧ ପଟ୍ଟାମୁଣ୍ଡାଇ, ରାଜନଗର ମହାକାଳପଡାର ୩୦ରୁ ଅଧିକ ପଂଚୟତର ସୁରକ୍ଷା ନିର୍ଭର କରେ। ଯଦି ଆଗାମୀ ଦିନରେ ଏହି ବେଆଇନ ବାଲି ଉତୋଳନ ବନ୍ଦ ନହୁଏ ଏବଂ ନିମ୍ନମାନର ପ୍ୟାକିଂ ଯୋଗୁଁ ବନ୍ଧ ଭାଙ୍ଗେ, ତେବେ ହଜାର ହଜାର ପରିବାର ସର୍ବସ୍ୱାନ୍ତ ହୋଇଯିବେ। ଚାଷଜମି ବାଲିଚର ହେବା ସହ ବ୍ୟାପକ ଧନଜୀବନ ହାନିର ଆଶଙ୍କା ରରିଛି।
ସରକାର ଗୋଟିଏ ପଟେ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବେଳେ କେନ୍ଦ୍ରାପଡା ଜିଲା ଖଣି, ରାଜସ୍ୱ ଓ ଜଳସମ୍ପଦ ବିଭାଗର ଏଭଳି କାର୍ଯ୍ୟକଳାପ ସରକାରଙ୍କ ଭାବମୂର୍ତିକୁ କ୍ଷୁଣ୍ଣ କରୁଛି। ଏଥିନେଇ ଉଚ୍ଚସ୍ତରୀୟ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରନ୍ତୁ। ବେଆଇନ ବାଲି ମାଫିଆଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଳସମ୍ପଦ ବିଭାଗର ନିମ୍ନମାନର ପଥର ପ୍ୟାକିଂର ଭିଜିଲାନ୍ସ ତଦନ୍ତ କରାଯାଉ। ନଚେତ୍ ଆଗାମୀ ଦିନରେ ଅଂଚଳବାସୀ ରାଜପଥକୁ ଓହ୍ଲାଇବା ସହ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଉତିକଣ ଅଂଚଳର ବୁଦ୍ଧିଜିବୀ ଭାସ୍କର ରାଉତରାୟ, ରଂଜିତ ପ୍ରଧାନ, ନରେଶ ଜେନା, କଂଗ୍ରେସ ନେତା ମଳୟ ଦାସ, ଯଦୁନାଥ ଦାସ, ବିଜୟ ଦାସ, ଦୋଳଗୋବିନ୍ଦ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।

Leave a Reply