କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ଓ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ..


କେନ୍ଦ୍ରାପଡ଼ା ୨୦.୭- କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁ ଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡଲାଇନ୍ ଆଡଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଆଜି କେନ୍ଦ୍ରାପଡ଼ା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଶିଶୁମାନଙ୍କର ସୁରକ୍ଷା, ଶିକ୍ଷା, ସଶକ୍ତୀକରଣ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବା ସମାଜର ସାମୂହିକ ଦାୟିତ୍ୱ। ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମ ଭଳି ସାମାଜିକ କୁପ୍ରଥାକୁ ସମୂଳେ ଦୂର କରିବା ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିବା ସହ ଗତ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକରେ ନିଆଯାଇଥିବା ନିଷ୍ପତ୍ତି, ଜିଲ୍ଲା କାର୍ଯ୍ୟଯୋଜନାର ଅଗ୍ରଗତି ଏବଂ କିଶୋର କିଶୋରୀଙ୍କ ସଶକ୍ତୀକରଣ ଓ ବାଲ୍ୟ ବିବାହ ନିରାକରଣ କ୍ଷେତ୍ରରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ବୈଠକରେ ଗତ ସମୀକ୍ଷା ବୈଠକର ନିଷ୍ପତ୍ତିଗୁଡ଼ିକର ଅନୁପାଳନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଓ ୱାର୍ଡ ଗଠନ, ବାଲ୍ୟ ବିବାହ ମାମଲାରେ ଶିଶୁ କଲ୍ୟାଣ କମିଟିର ଭୂମିକା, ‘ଅଦ୍ୱିକା’ କାର୍ଯ୍ୟକ୍ରମ, ‘ଆଡୋଲେସେଣ୍ଟ ଶକ୍ତି’ କାର୍ଯ୍ୟକ୍ରମ, ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିରାକରଣ ସଚେତନତା ଅଭିଯାନ ‘ପ୍ରତିଜ୍ଞା’ ଓ ‘ଅକ୍ଷୟ ତୃତୀୟା’ ଅବସରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହା ସହିତ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ଉତ୍ତମ କାର୍ଯ୍ୟପଦ୍ଧତି ଏବଂ ସଫଳ କେସ୍ ଷ୍ଟଡି ଉପସ୍ଥାପନ କରାଯାଇଥିଲା। ଶିଶୁ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ମୁକ୍ତ ଆଲୋଚନା ଅନୁଷ୍ଠିତ ହୋଇଥିଲା।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡିଏସପି ପୋଲିସ ବବିତା ଦଳାଇ,ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ସ୍ଵାଗତିକା ପାତ୍ର, ଜିଲ୍ଲାର ନିୟୋଜନ ଅଧିକାରୀ ଇନ୍ଦ୍ରାଣୀ ମଲ୍ଲିକ, ଜିଲ୍ଲା ସଂଯୋଜକ ମହିଳା ସଶକ୍ତିକରଣ ଲଲାଟେନ୍ଦୁ ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,ସମସ୍ତ ସିଡିପିଓ,ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସଂସ୍ଥାର ପ୍ରତିନିଧି ଏବଂ ଟାସ୍କଫୋର୍ସର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଶେଷରେ ପ୍ରୋଟେକ୍ସନ ଅଫିସର କମ୍ ପ୍ରୋବେସନ ଅଫିସର ଶ୍ରୀମତୀ ସବିତା ରାଣୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।


Be the first to comment

Leave a Reply

Your email address will not be published.