ପଟ୍ଟାମୁଣ୍ଡାଇ – ନମ୍ବର ବିହୀନ ଅଟୋ ଓ ବେଆଇନ ଟ୍ରେକର ଚାଳକଙ୍କଙ୍କ ଦୌରାତ୍ମ୍ୟ


ସୁରକ୍ଷିତ ନୁହନ୍ତି ପଥଚାରୀ, ନ୍ୟାୟ ଅପେକ୍ଷାରେ ଚନ୍ଦ୍ରମଣି
ପ୍ରଶାସନ ନୀରବ, ଦୁର୍ଘଟଣା ଘଟିଲେ କ୍ଷତିପୂରଣ ଦେବ କିଏ?


ପଟ୍ଟାମୁଣ୍ଡାଇ ୨୪/୮ – କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ବ୍ୟବସାୟିକ ଓ ଜନବହୁଳ ସହର ପଟ୍ଟାମୁଣ୍ଡାଇରେ ସଡ଼କ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରର ବିଭିନ୍ନ ବ୍ୟସ୍ତବହୁଳ ରାସ୍ତା ସହିତ ମୁଖ୍ୟ ରାଜପଥଗୁଡ଼ିକରେ ପ୍ରତିଦିନ ଶହ ଶହ ନମ୍ବରବିହୀନ ଅଟୋ ଏବଂ ସରକାରୀ ନିୟମ ଅବମାନନା କରୁଥିବା ଟ୍ରେକର ଗାଡ଼ିମାନ ଅବାଧରେ ଚଳାଚଳ କରୁଛନ୍ତି। ସ୍ଥାନୀୟ ପ୍ରଶାସନର ଆଖିବୁଜି ଦେବା ନୀତି ଯୋଗୁଁ ଆଜି ନିରୀହ ପଥଚାରୀଙ୍କ ଜୀବନ ବାଜିରେ ଲାଗିଛି। ଅତୀତରେ ଏହିପରି ଏକ ବେଆଇନ୍ ଗାଡ଼ି ଧକ୍କାରେ ଖଡ଼ିଅଂଟା ଗ୍ରାମର ଚନ୍ଦ୍ରମଣି ମଲିକ ନିଜ ଗୋଡ଼ ହରାଇ ପଙ୍ଗୁ ହୋଇସାରିଛନ୍ତି। ଗାଡ଼ିର ନମ୍ବର କିମ୍ବା ବୀମା ନଥିବାରୁ ଆଜି ପର୍ଯ୍ୟନ୍ତ ସେ କ୍ଷତିପୂରଣରୁ ବଂଚିତ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ଘଟଣା ପରେ ବି ପ୍ରଶାସନ ନଚେତିବା ସାଧାରଣରେ କ୍ଷୋଭ ସୃଷ୍ଟି କରିଛି।


ପଟ୍ଟାମୁଣ୍ଡାଇ ସହର ବାଇପାସ, କଟକ-ଚାନ୍ଦବାଲି ରାସ୍ତା, କଲେଜ ରୋର୍ଡ ଓ ମୁଖ୍ୟ ବସ୍‌ଷ୍ଟାଣ୍ଡ ଓ ଆଖପାଖ ଅଂଚଳରେ ଦିନକୁ ଦିନ ବେଆଇନ୍ ତଥା ନିୟମଉଲ୍ଲଂଘନକାରୀ ଗାଡ଼ି ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। ଏହି ବେଆଇନ୍ ଗାଡ଼ି ଗୁଡିକ ଦ୍ରୁତଗତି ଓ ଅଭ୍ୟାସଗତ ନିୟମ ଭଙ୍ଗ ଯୋଗୁଁ ସହରରେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣାର କାରଣ ସାଜୁଛି। କେବଳ ସେତିକି ନୁହେଁ, ଆବଶ୍ୟକ କାଗଜପତ୍ର, ଫିଟନେସ୍ ସାର୍ଟିଫିକେଟ୍ ଓ ବୀମା ନଥାଇ ଏହି ଗାଡ଼ିଗୁଡ଼ିକ ଚାଲୁଥିବାରୁ ଦୁର୍ଘଟଣା ଘଟିଲେ କ୍ଷତିପୂରଣ ପାଇବା ନେଇ ବଡ଼ ଅନିଶ୍ଚିତତା ସୃଷ୍ଟି ହେଉଛି।


ଏହିଭଳି ଦୁର୍ଘଟଣାର ଶିକାର ହୋଇଥିବା ଚନ୍ଦ୍ରମଣି କୁହନ୍ତି ୨୦୧୯ରେ ଏକ ନମ୍ବରବିହୀନ ଅଟୋ ଧକ୍କାରେ ସେ ନିଜର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ହରାଇଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ, ଦୁର୍ଘଟଣା ଘଟାଇଥିବା ଅଟୋର କୌଣସି ନମ୍ବର ପ୍ଲେଟ୍ ନଥିଲା କି ଗାଡ଼ିର କୌଣସି ବୀମା ନଥିଲା। ଫଳରେ ଆଇନଗତ ଭାବେ କେଉଁ ବୀମା କମ୍ପାନୀ କ୍ଷତିପୂରଣ ଦେବ, ତାହାକୁ ନେଇ ସୃଷ୍ଟି ହୋଇଥିବା ଜଟିଳତା ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ମାମଲାର ସମାଧାନ ହୋଇପାରିନାହିଁ। ଏପଟେ ପଙ୍ଗୁ ହୋଇ ରୋଜଗାର ହରାଇବା ଏବଂ ଅନ୍ୟପଟେ ମାମଲାର ସମାଧାନ ନହୋଇ ପାରିବାରୁ ଚନ୍ଦମଣି ଆଜି ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ଘଟଣା ସ୍ପଷ୍ଟ କରୁଛି ଯେ ପ୍ରଶାସନିକ ଶିଥିଲତା ଯୋଗୁଁ କିଭଳି ଜଣେ ନିରୀହ ଗରିବ ଲୋକ ଜୀବନସାରା ଯନ୍ତ୍ରଣା ଭୋଗୁଛନ୍ତି।

ଚନ୍ଦ୍ରମଣିଙ୍କ ଘଟଣାରୁ ପ୍ରଶାସନ କୌଣସି ଶିକ୍ଷା ନଲାଭ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବର୍ତମାନ ସୁଦ୍ଧା ପଟ୍ଟାମୁଣ୍ଡାଇ ଅଂଚଳରେ ନମ୍ବର ବିହୀନ ଶହ ଶହ ଅଟୋଚାଲୁଛିି। ସୋମବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ବଜାରରେ ଏହି ଭଳି ଦୁଇଟି ନମ୍ବର ବିହିନ ଅଟୋ ଲୋକମାନଙ୍କୁ ବସାଇ ନେଉଥିବାରା ଦେଖିବାକୁ ମିଳିଥିଲା । ସରକାରୀ ସ୍ତରରେ ଅସୁରକ୍ଷିତ ଘୋଷିତ ହୋଇଥିବା ପୁରୁଣା ଟ୍ରେକର ଗାଡ଼ିଗୁଡ଼ିକ ଆଜି ମଧ୍ୟ ବାଇପାସରେ ଅତ୍ୟାଧିକ ଯାତ୍ରୀ ବୋଝେଇ କରି ପଟ୍ଟାମୁଣ୍ଡାଇ-କେନ୍ଦ୍ରାପଡା ରାସ୍ତାରେ ଖୋଲାଖୋଲି ଚାଲୁଛି। ଯଦି ଚନ୍ଦ୍ରମଣିଙ୍କ ଭଳି ଆଜି ଆଉ ଏକ ସମାନ ଦୁର୍ଘଟଣା ଘଟେ, ତେବେ ତାର କ୍ଷତିପୂରଣ କିଏ ଭରଣା କରିବବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ବୀମା ଓ ନମ୍ବର ନଥିବା ଗାଡିଗୁଡିକ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ରାସ୍ତାରେ ଚାଲୁଥିବା ସମସ୍ତ ନମ୍ବର ବିହୀନ ଗାଡ଼ି, ଅସିଦ୍ଧ ବୀମା ଥିବା ଯାନ ଓ ବେଆଇନ ଟ୍ରେକରଗୁଡ଼ିକ ଉପରେ କଡ଼ା ଚଢ଼ାଉ କରାଯାଉ। ଏହାସହ ଅସହାୟ ଚାନ୍ଦମଣିଙ୍କୁ ସରକାରୀ ସ୍ତରରୁ ତୁରନ୍ତ ଆର୍ôଥକ ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବାକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।


Be the first to comment

Leave a Reply

Your email address will not be published.