
ଶିଳାନ୍ୟାସରେ ଅଟକିଛି କୋଟି କୋଟି ଟଙ୍କାର ପ୍ରକଳ୍ପ

ପଟ୍ଟାମୁଣ୍ଡାଇ ୩୧/୮ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ସୋମବାର ଆଡ଼ମ୍ବରପୂର୍ଣ୍ଣ ଭାବେ ୩୮ ତମ ସ୍ୱାୟତଶାସନ ଦିବସ ପାଳନ କରାଯାଉଛି। ରଙ୍ଗବେରଙ୍ଗର ଆଲୋକମାଳା, ସଭାସମିତିକୁ ନେଇ ପୌର ପ୍ରଶାସନ ବେଶ୍ ତତ୍ପର ହୋଇପଡିଛି। ଏହି ଅବସରରେ ବିଭିନ୍ନ ନୂତନ ଉନ୍ନୟନମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ରହିଛି। ମାତ୍ର ଗତ ବର୍ଷଗୁଡ଼ିକରେ ଶିଳାନ୍ୟାସ ହୋଇଥିବା କୋଟି କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକ ଆଜିପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଓ ନିଷ୍କ୍ରିୟ ହୋଇ ପଡ଼ିଛି। ଯାହା ପ୍ରଶାସନର ଦୂରଦୃଷ୍ଟିହୀନତା ଓ ଯୋଜନାକାନ୍ତି ପ୍ରତି ବଡ଼ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ପୌରାଂଚଳରେ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ବ୍ୟବସ୍ଥା ଆଦି ଅବ୍ୟବସ୍ଥିତ ଓ ପ୍ରହସନ ପାଲଟିଥିବାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାନୀୟ ପୌରାଂଚଳ ବାସୀ କୁହନ୍ତି ସହରକୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ସ୍ୱଚ୍ଛ ଭାରତ ମିଶନରେ ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ୨୦ଟି ଇକୋ-ଟଏଲେଟ୍ ନିର୍ମାଣ କରାଯାଇଛିା। ହେଲେ ବର୍ଷ ବର୍ଷ ଧରି ତାଲାବନ୍ଦ ହୋଇ ପଡ଼ିରହିବା ଫଳରେ ଅର୍ଥର ଅପବ୍ୟୟ ଘଟିଛି। ସେହିପରି ୨୦ଟି ୱାର୍ଡର ପ୍ରମୁଖ ଛକଗୁଡ଼ିକରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲେ ବି ସେଗୁଡ଼ିକ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟ ଅଟକଳରେ ଐତିହାସିକ କଚେରୀ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇପଡିଛି। ଆହାର କେନ୍ଦ୍ର ନିକଟରେ ଭେଜିଟେବୁଲ୍ ଓ ଆମିଷ ମାର୍କେଟ୍ ନିର୍ମାଣ କାମ ଆରମ୍ଭ ହୋଇନଥିବାରୁ ବ୍ୟବସାୟୀମାନେ ଜୀବନକୁ ବାଜି ଲଗାଇ ବ୍ୟସ୍ତବହୁଳ ବାଇପାସ ରାସ୍ତା ପାଶ୍ୱର୍ରେ ବିକ୍ରିବଟା କରୁଛନ୍ତି। ୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମଲ୍ଟି-ଷ୍ଟୋରେଜ୍ ମାର୍କେଟ୍ କମ୍ପେ୍ଲକ୍ସ ଓ ଯଜ୍ଞ ପଡ଼ିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲେ ମଧ୍ୟ ସ୍ଥିତି ଯଥାପୂର୍ବ ତଥାପର ଅବସ୍ଥାରେ ପଡିଛି।

ସହରର ଭିତିଭୂମି ଓ ରାସ୍ତାଘାଟର ଅବସ୍ଥା ନକହିଲେ ଭଲ। ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି, ବିଭିନ୍ନ ବିଭାଗ ମଧ୍ୟରେ କୌଣସି ତାଳମେଲ ନାହିଁ। ନୂଆ ରାସ୍ତା ନିର୍ମାଣ ହେଉଛି, ପରେ ଡ୍ରେନେଜ କାମ ପାଇଁ ତାହାକୁ ଖୋଳାଯାଉଛି। ଡ୍ରେନେଜ ଶେଷ ହେବା ପରେ ପାଇପ୍ ଲାଇନ୍ ବିଛାଇବା କିମ୍ବା ବେସରକାରୀ କମ୍ପାନୀଗୁଡ଼ିକ ଦ୍ୱାରା ତାର ବିଛାଇବା ନାଁରେ ପୁନର୍ବାର ରାସ୍ତା ଖୋଳି ଖାଲଖମାରେ ପରିଣତ କରାଯାଉଛି। ଗତ କିଛି ଦିନ ହେବ ବେସରକାରୀ କମ୍ପାନୀ ତାରପାଇପ ବିଛାକାମ ପାଇଁ ପୋଖରିଆପଡା ରାସ୍ତାରେ କାଦୁଅ ପାଣି ଜମି ଯାତାୟାତରେ ଘୋର ଅସୁବିଧା ହେଉଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଗୋଟିଏ ବିଭାଗର କାର୍ଯ୍ୟ ଶେଷ ହେବା ପରେ ଅନ୍ୟ ବିଭାଗ ତାହାକୁ ନଷ୍ଟ କରୁଛି । ଯାହା ଦ୍ୱାରା ଜନସାଧାରଣ ନିରନ୍ତର ହଇରାଣ ହରକତ ହେଉଛନ୍ତି। ଏହା ବ୍ୟତୀତ ସହରର ନୟନଜୋର, ଅନାବାଦୀ ଓ ଗୋଚର ଜମି ଦିନକୁ ଦିନ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଉଛି, ମାତ୍ର ପ୍ରଶାସନ ଏଥିପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଛି।

ପୌରାଂଚଳରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ଯନ୍ତ୍ରୀ ମାନଙ୍କ ଅପାରଗତା ଓ ଦୂରଦୃଷ୍ଟିର ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। କୌଣସି ବି ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ଆଗାମୀ ୧୦-୨୦ ବର୍ଷର ଆବଶ୍ୟକତାକୁ ଆକଳନ କରାଯାଉନାହିଁ। ଯଦି ପଟ୍ଟାମୁଣ୍ଡାଇକୁ ଏକ ଆଦର୍ଶ ପୌରାଂଚଳରେ ପରିଣତ କରିବାକୁ ହୁଏ, ତେବେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଭିନ୍ନ ବିଭାଗ ସହ ପୌରପରିଷଦର ଏକ ମିଳିତ ସମନ୍ୱୟ କମିଟି ଗଠନ କରାଯିବା ନିହାତି ଆବଶ୍ୟକ। ସମସ୍ତ ବିଭାଗ ମିଳିତ ଭାବେ ଆକଳନ ଓ ନକ୍ସା ପ୍ରସ୍ତୁତ କରି କାର୍ଯ୍ୟ କଲେ ହିଁ ସହରର ବିକାଶ ସୂଚାରୁ ରୂପେ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି।

Leave a Reply