୭୫ତମ ସାଧାରଣତନ୍ତ୍ର ଦିବସ : ଗାଣତାନ୍ତ୍ରିକ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା


କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ସମୃଦ୍ଧ ଓ ସଶକ୍ତ ଗଣତନ୍ତ୍ରରେ ସମସ୍ତେ ଜଣେ ଜଣେ ଅଂଶୀଦାର । ସେ ଅଙ୍ଗନୱାଡ଼ି ଦିଦି ହୁଅନ୍ତୁ ଅବା ଆଶାକର୍ମ. ମଣିଷ ଗଢ଼ୁଥିବା ଶିକ୍ଷକ ହୁଅନ୍ତୁ ଅବା ରାଜନେତା ହୁଅନ୍ତୁ । ଗାଣତାନ୍ତ୍ରିକ ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏବଂ ଗାଣତାନ୍ତ୍ରିକ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗାଣତାନ୍ତ୍ରିକ ମୂଲ୍ୟବୋଧକୁ ଜାଣିବା ସହ ରାଷ୍ଟ୍ର ପ୍ରତି ସମର୍ପିତ ହେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସମାଜର ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଅସୂୟା ଦୂର କରି ଏକ ପରିପକ୍ୱ ଓ ପରିପୁଷ୍ଟ ଗଣତନ୍ତ୍ର ପ୍ରତିଷ୍ଠା କରିବା ଦିଗରେ ବ୍ରତୀ ହେବା ସହ ଜିଲ୍ଲା, ରାଜ୍ୟ ତଥା ରାଷ୍ଟ୍ରର ବିକାଶ ପଥରେ ସହଭାଗୀ ହେବା ଆବଶ୍ୟକ ବୋଲି କହିଥିଲେ । ସ୍ୱାଧୀନତା ଆନ୍ଦୋଳନରେ ରାଜ୍ୟ ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଭୂମିକା ସଂପର୍କରେ ସ୍ମୃତିଚାରଣ କରି ଭାଷାଭିତିକ ପ୍ରଥମ ରାଜ୍ୟ ଓଡ଼ିଶା ଗଠନର କର୍ଣ୍ଣଧାରମାନଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ସେମାନଙ୍କ ପ୍ରଦର୍ଶିତ ପଥର ପଥିକ ହେବାକୁ ସମସ୍ତ ସ୍ୱାଭିମାନୀ ଓଡ଼ିଆଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ସଫଳ ରୂପାୟନ ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଭିନ୍ନକ୍ଷମ ସଶକ୍ତିକରଣ ବର୍ଗରେ ରାଜ୍ୟରେ କେନ୍ଦ୍ରାପଡ଼ା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନବନିର୍ମିତ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ସ୍ୱତନ୍ତ୍ରକ୍ଷମମାନଙ୍କ ଜୀବନରେ ବୈପ୍ଲବିକ ରୂପାନ୍ତର ଆଣିବ ବୋଲି କହିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ମିଶନ ଶକ୍ତି ହଜାର ହଜାର ମା’ ଭଉଣୀମାନଙ୍କୁ ସାମାଜିକ ଓ ଆର୍ଥୀକଭାବେ ସଶକ୍ତ କରିପାରିଛି ବୋଲି କହିଥିଲେ ।

ଏହିଅବସରରେ ମୁଖ୍ୟ ଅତିଥି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ । ଜିଲ୍ଲାସ୍ତରୀୟ ପ୍ୟାରେଡ୍‌ରେ ଏନ୍‌ସିସି ବିଭାଗରେ କେନ୍ଦ୍ରାପଡ଼ା କଲେଜ୍‌ର ସିନିୟର ଡିଭିଜନ୍ ଏନ୍‌ସିସି(ବାଳିକା) ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସିନିଅର ଡିଭିଜନ୍ ଏନ୍‌ସିସି (ବାଳକ) ଦ୍ୱିତୀୟ ଓ କେନ୍ଦ୍ରାପଡ଼ା ହାଇସ୍କୁଲ୍‌ର ଜୁନିଅର୍ ଡିଭିଜନ୍ ଏନ୍‌ସିସି ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଜୁନିଅର ସିଭିଲିଆନ୍ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଲେଜ୍ କଲୋନୀ ଏମ୍‌ଇ ସ୍କୁଲ୍ ଦ୍ୱିତୀୟ ଓ ତୁଳସୀ ବିଦ୍ୟାମନ୍ଦିର ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହୋଇଥିଲେ । ସିନିୟର୍ ସିଭିଲିଆନ୍‌ରେ କେନ୍ଦ୍ରାପଡ଼ା ସରସ୍ୱତୀ ବିଦ୍ୟାମନ୍ଦିର ପ୍ରଥମ, କେନ୍ଦ୍ରାପଡ଼ା ସେଂଟ୍ ଜାଭିଅର୍ ହାଇସ୍କୁଲ୍ ଦ୍ୱିତୀୟ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଚିତ୍ରାଙ୍କନ, ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର ୨୮ଜଣ କୃତୀ ପ୍ରତିଯୋଗୀ ଏବଂ ୧୧ଜଣ ବିଏଲ୍‌ଓଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଦଳଗତ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ ସେଂଟ୍ ଜାଭିଅର୍ ହାଇସ୍କୁଲ୍‌, ସରସ୍ୱତୀ ବିଦ୍ୟାମନ୍ଦିର ଓ କେନ୍ଦ୍ରାପଡ଼ା ପବ୍ଲିକ୍ ସ୍କୁଲ୍ ।

ଜିଲ୍ଲାସ୍ତରୀୟ ଉତ୍ସବରେ ସ୍ୱାସ୍ଥ୍ୟ ବିଭାଗ, ସମଗ୍ରଶିକ୍ଷା, ଜିଲ୍ଲା ସଡ଼କ ସୁରକ୍ଷା ସମିତି, ଶିଶୁ ସୁରକ୍ଷା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା । କୃତୀ ପ୍ୟାରେଡ୍ ଦଳ ଓ କୃତୀ ପ୍ରତିଯୋଗୀଙ୍କ ପୁରସ୍କାରକୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା, ୟୁନିୟନ୍ ବ୍ୟାଙ୍କ୍ ଓ କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କ ପ୍ରାୟୋଜିତ କରିଥିଲେ । ମୁଖ୍ୟ ଚିକିତ୍ସାଳୟରେ ଅନ୍ତେବାସୀ ରୋଗୀମାନଙ୍କୁ ମୁଖ୍ୟ ଅତିଥି ଫଳ ବଂଟନ କରିଥିବା ବେଳେ ଜେଲ୍‌ଠାରେ ଅନ୍ତେବାସୀ କଏଦୀମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।

ପ୍ରାତଃ ୪.୩୦ ମିନିଟ୍ ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପ୍ରଚାର କରାଯାଇଥିଲା । ସକାଳ ୭ଟା ସମୟରେ ସହରର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ୍ କଲେଜ୍‌ରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ପ୍ୟାରେଡ୍‌ରେ ସର୍ବମୋଟ୍ ୨୬ଟି ଦଳ ଭାଗ ନେଇଥିବା ବେଳେ ରିଜର୍ଭ ଇନିସ୍‌ପେକ୍ଟର୍ ପି. କେ. ରଣସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ୍ ସମ୍ପାଦିତ ହୋଇଥିଲା ।

ଏହି ଜାତୀୟ ଉତ୍ସବରେ ଆରକ୍ଷୀ ଅଧୀକ୍ଷକ  ମଡ୍‌କର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)  ପୀତାମ୍ବର ସାମଲ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ  ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡିଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟ, ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଦାସ, ପ୍ରାଧ୍ୟାପକ ରଞ୍ଜିତ ଦାସ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ନିମନ୍ତ୍ରିତ ଅତିଥି, ସ୍ୱାଧୀନତା ସଂଗ୍ରାମୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଜନ ସାଧାରଣ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରାଯାଇଥିଲା ।


Next Post

ପଟ୍ଟାମୁଣ୍ଡାଇରେ ଜନରାଜ୍ୟ ଦିବସ ପାଳିତ

Sat Jan 27 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ପ୍ୟାରେଡ ପଡିଆ ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ତହସିଲଦାର ପଂଚାନନ ନାୟକଙ୍କ ପୈାରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି କହିଥିଲେ ସାଧାରଣତନ୍ତ୍ର ଦିବସ ପାଳନର ମହକରେ ଆଜି […]

You May Like