
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ନାଳରେ ଏକ ବଡ କୁମ୍ଭୀର ଭାସୁଥିବା ଦେଖି ଆତଙ୍କ ସୃଷ୍ଟି ହୋଇଥିଲା । ବୁଧବାର ସକାଳୁ କିଆବୁଦା ମୂଳରେ ଶୋଇଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ରେଂଜ ଅଫିସର ଚିତରନ ବେହୁରା, କନିକା ରେଂଜ ଅଫିସର ମାନସ ଦାସ, ଫରେଷ୍ଟର ବିଜୟ ପାତ୍ର, ଫରେଷ୍ଟଗାର୍ଡ ସୁନିଲରଂଜନ ରାଉତରାୟ, ବିଶ୍ୱରଂଜନ ତରାଇ, ଗୀତାଂଜଳୀ ସାହୁ, ଦୋଳଗୋବିନ୍ଦ ନାୟକ, ଯଶୋବନ୍ତ ବେହେରା, ମନୋରଂଜନ ସାହୁ, ଚନ୍ଦନ ମଲ୍ଲିକ, ସଂଜୟ ଜେନା ପ୍ରମୁଖ ପହଂଚିôଲା ବେଳକୁ କୁମ୍ଭୀରଟି ଦଳ ଭିତରକୁ ଚାଲି ଯାଇଥିଲା । ସକାଳ ୯ଟାରୁ ଜାଲ ବସାଇ କୁମ୍ଭୀରକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଥରେ ଜାଲରେ ଛନ୍ଦିହୋଇ ବାହାରି ଯାଇଥିଲା ।

ପରବର୍ତୀ ସମୟରେ ଉଭୟ ପାଶ୍ୱର୍ରେ ଜାଲ ବସାଇବା ସହ ଦଳକୁ କାଢି ବନକର୍ମଚାରୀମାନେ ବାଉଁଶ ଧରି ଆଗକୁ ବଢିଥିଲେ । ଅପରାହ୍ନ ସମୟରେ କୁମ୍ଭୀରଟି ଜାଲ ଭିତରକୁ ଯାଇ ଛନ୍ଦି ହୋଇଯାଇଥିଲା । ୧୩ଫୁଟ ୩ ଇଂଚର ଏହି ପୁରୁଷ କୁମ୍ଭୀରକୁ ବାନ୍ଧିବା ପରେ ଗାଡିରେ ଲଦି ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ସାତଭାୟା ବାଉଁଶଗଡ ନଦୀରେ ଛାଡି ଦେଇଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି କୁମ୍ଭୀରଟି ହାତିଆଗଡି ପାଶ୍ୱର୍ରୁ ରାସ୍ତା ଅତିକ୍ରମକରି ରାତିରେ ମହୁଲିଆ ଛକ ନିକଟ ନାଳକୁ ଚାଲି ଆସିଥିଲା । ସୂଚନା ଥାଉକି, ହାତିଆଗଡି ଗ୍ରାମର ସୀତାରାଣୀ ଦାସ ତାଙ୍କ ପୋଖରୀ ତୁଠରେ ବାସନ ମାଜୁଥିବା ବେଳେ କୁମ୍ଭୀର ତାଙ୍କୁ ଝାମ୍ପି ନେଇ ମାରି ଦେଇଥିଲା । ବ୍ରାହ୍ମଣୀ ଓ ବୈତରଣୀ ନଦୀକୁ ସଂଯୋଗ ହୋଇଥିବା ଏହି ନାଳଗୁଡିକରେ ଏକାଧିକ କୁମ୍ଭୀର ରହିଥିବା ନେଇ ଚାନ୍ଦିବାଉଁଶମୂଳ ଓ ମହୁଲିଆ ପଚାଂୟତର ଲୋକେ ଭୟ ଓ ଆଶଙ୍କାରେ କାଳ କାଟୁଛନ୍ତି ।











