ପଡୁଛି ପଙ୍କୁଆମାଟି
ଦୋହରା ଖସି ଶଯ୍ୟା ପୋତିହେଉଛି
ଜଳସେଚନରେ ବାଧା ଅଶଙ୍କା
କଟକ ଜଗତପୁର ଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଅଳଭା ଓ ଗଣ୍ଡାକିଆ ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ଶୁକୁଆ ସାହି ଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ ରାସ୍ତା ନିର୍ମର୍ାଣ କାର୍ଯ୍ୟରେ ବ୍ୟବହାର ପଙ୍କୁଆ ମାଟି ବୋହି କେନାଲ ଶଯ୍ୟା ପୋତି ହୋଇପଡୁଛି । ଫଳରେ କେନାଲର ଜଳଧାରଣ କ୍ଷମତା ହ୍ରାସ ପାଇ ଜଳସେଚନରେ ବାଧା ସୃଷ୍ଟି ହେଉଛି ।ଏହି କେନାଲ ଉପରେ ନିର୍ଭରଶୀଳ ଥିବା କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଅନ୍ୟାନ୍ୟ ଭେଡାର ଚାଷୀକୂଳ ପାଣି ବିନା ହଇରାଣ ହେଉଛନ୍ତି । ଏହି କେନାଲ ଉପରେ ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ରହିଛି । ତେବେ ଏଥିନେଇ ଜଳ ସମ୍ପଦ ବିଭାଗ କିମ୍ବା ପୂର୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବାରୁ କେନାଲରେ ଜଳ ପରିଚାଳନା ଠିକ୍ ହୋଇପାରୁନାହିଁ ।
ସାମାଜିକକର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତୁୃୃି ଜଗତପୁରଠାରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଅସିଥିବା ପଟ୍ଟାମୁଣ୍ଡାଇ କେନାଲର ବାମ ପାର୍ଶ୍ୱରେ ବ୍ରାହ୍ମଣୀ ନଦୀବନ୍ଧ ରହିଛି । ଦକ୍ଷିଣ ପାର୍ଶ୍ୱରେ ପଟ୍ଟାମୁଣ୍ଡାଇ କେନାଲ ଓ କେନାଲର ଦକ୍ଷିଣ ପାଶ୍ୱରେ ଜଳସଂପଦ ବିଭାଗ ବନ୍ଧ ରହିଛି । ନିୟମ ଅଛି ଏହି କେନାଲର ଦକ୍ଷିଣ ପାର୍ଶ୍ୱକୁ କେବେବି ରାସ୍ତାର ଚଉଡ଼ା ବୃଦ୍ଧି ହୋଇପାରିବ ନାହିଁ । ଏହି କେନାଲର ଦକ୍ଷିଣ ପାଶ୍ୱ ପଟ୍ଟାମୁଣ୍ଡାଇ ବାଇପାସ ଠାରୁ ଭାୟା କଖାରୁଣୀ ପୋଲ ଦେଇ ରାଜନଗରକୁ ସଂଯୋଗ କରାଇବା ପାଇଁ ପୂର୍ତ ବିଭାଗ ପକ୍ଷରୁ ୧୯ କୋଟି ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର କାରାଯାଇ ବାଇପାସ ରାସ୍ତାର ନିର୍ମାଣ କାର୍ଯ୍ୟ ଛାଲିଛି । ଏହି ରାସ୍ତାକୁ ଏକ ଠିକା କମ୍ପାନୀ ନେଇଥିବା ବେଳେ ସେମାନେ ଏବେ କେନାଲ ପାର୍ଶ୍ୱରେ ପାଖ ନୟନଜୋରି ଖୋଳି ପଙ୍କ ମାଟି ପକାଉଛନ୍ତି । କେନାଲର ଦକ୍ଷିଣ ପାର୍ଶ୍ୱରେ ପଙ୍କମାଟି ପଡ଼ିବା ଦ୍ୱାରା ବର୍ଷାରେ ଦୋହରା ବୋହି କେନାଲଟି ପୋତିହୋଇଯାଉଛି । ଯଦ୍ଦ୍ୱାରା ଆଗାମୀ ଦିନରେ କେନାଲ ପୋତି ହୋଇ ପଟ୍ଟାମୁଣ୍ଡାଇ ବ୍ଲକ ସର୍ବାଧିକ ପ୍ରଭାବିତ ହେବ ବୋଲି ସେ କହିଛନ୍ତି ।
ସେହିପରି କୃଷକ ନେତା ବିଜୟ ଦାସ କୁହନ୍ତି ମାତ୍ର ଠିକାଦାର ଜଳସମ୍ପଦ ଅଧିନରେ ଥିବା ପାଖ ନୟନ ଜୋରି ଖୋଳି ପଙ୍କମାଟି ଲଦି କାମ କରୁଛନ୍ତି । ବର୍ଷାଦିନ ଚାଲିଥିବାରୁ ଖୋଳା ଯାଉଥିବା ପଙ୍କ ମାଟିର ଦୋହରା କେନାଲ ଶଯ୍ୟାକୁ ଖସି ଶଯ୍ୟା ପୋତି ହେବାରେ ଲାଗିଛି । କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ଡିଭିଜନ୍ ଅଧୀନରେ ଏହି କେନାଲଟି ରହିଛି । ଏହି କେନାଲ ବାମ ପାଶ୍ୱ ରାସ୍ତାଟି ପୁର୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ ଦକ୍ଷିଣ ପାଶ୍ୱ ବନ୍ଧ ଜଳ ସମ୍ପଦ ବିଭାଗ ଅଧିନରେ ଅଛି । ମାତ୍ର ଏହା ପୂର୍ତ ବିଭାଗକୁ ହସ୍ତାନ୍ତର ହୋଇନାହି । କିନ୍ତୁ କେନ୍ଦ୍ରାପଡା ପୂର୍ତ ବିଭାଗ ଦିଭିଜନ-୧ ପକ୍ଷରୁ ଟେଣ୍ଡର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ କରିଚାଲିଛି ବୋଲି ସେ କହିଛନ୍ତି ।
ପଟ୍ଟାମୁଣ୍ଡାଇ ଜଳସଂପଦ ସହକାରୀ ଯନ୍ତ୍ରୀ ମନୋରଞନ ସାହୁ କୁହନ୍ତି , ଏହି ରାସ୍ତା ପୂର୍ତ ବିଭାଗକୁ ହାସ୍ତାନ୍ତର ହୋଇନାହିଁ । ଏନେଇ ବିଭାଗ ପକ୍ଷରୁ ମେମୋ ନଂ – ୨୫୪(୨) ତା ୧୨/୫/୨୦୨୩ ରିଖରେ ପୂର୍ତ ବିଭାଗକୁ ଚିଠି କରି ଜଣାଇଦିଆଯାଇଛି ଯେ, ପଟ୍ଟାମୁଣ୍ଡାଇ କେନାଲର ୭୫.୫୦୦ କିମି ବାଇପାସ୍ ଠାରୁ ୭୯.୫୦୦ କଖାରୁଣୀ ପୋଲ ପର୍ଯ୍ୟନ୍ତ ୪ କି.ମି. ଦକ୍ଷିଣ ପାଶ୍ୱ କେନାଲ ବନ୍ଧକୁ ପୂର୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ନିର୍ମାଣ କାମ ଆରମ୍ଭ ହୋଇଛି । ଠିକାଦାର କାମ ଆରମ୍ଭ କରିଥିବା ବେଳେ ଜଳସେଚନ ପାଇଁ ଉଦ୍ଧିଷ୍ଠ ନୟନଯୋରି ଓ କଲଭଟ ଓ କେନାଲ ବନ୍ଧକୁ ସୁରକ୍ଷା ଦେବା ସହ ସରକାରୀ ନିୟମ ଅନୁଯାଇ ଜଳସମ୍ପଦ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ହସ୍ତାନ୍ତର କରିବା ଉଚିତ ବୋଲି ଚିଠି ମଧ୍ୟମରେ ଜଣାଇଦିଆଯାଥିଲା ।
ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କୁହନ୍ତି ବ୍ରିଟିଶ ସରକାରଙ୍କ ଅମଳରେ ୧୮୯୩ରେ ନିର୍ମାଣ ହୋଇଥିବା ଏହି କେନାଲଟି ଜମିର ଜଳସେଚନ ପାଇଁ ପ୍ରମୁଖ କେନାଲ ଭାବେ ପରିଗଣିତ । ୨୦୧୬ରେ ଏସିଆନ୍ ଡେଭେଲପ୍ମେଂଟ ବ୍ୟାଙ୍କ (ଏଡିବି) ଜରିଆରେ କେନାଲ ପୁନରୁଦ୍ଧାର ପାଇଁ ୩୬୦କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ୨୦୧୮ରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । କେନାଲର ମୂଳ ଶଯ୍ୟାକୁ ଖନନ କରାଯାଇ ସମ୍ପୂର୍ଣ୍ଣ ୮୨ କିଲୋମିଟର କାର୍ଯ୍ୟ ହୋଇଥିଲା । ତେବେ ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ଅଧିନରେ ଥିବା ନିଳକଣ୍ଠପୁର ଠାରୁ ପଟ୍ଟାମୁଣ୍ଡାଇ ବଜାର ଓ ପଟ୍ଟାମୁଣ୍ଡାଇ ବଜାର ଠାରୁ ଅଳଭା ପର୍ଯ୍ୟନ୍ତ ୨ଟି ପ୍ରକଳ୍ପ ଏବଂ ଗୋବରୀ ସମ୍ପ୍ରସାରିତ କେନାଲ ଅଳଭା ଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୨ଟି ପ୍ରକଳ୍ପ ଏହି ପରି ସମୁଦାୟ ପ୍ରକଳ୍ପକୁ ୪ଟି ଭାଗରେ ବିଭକ୍ତ କରାଯାଇ ୨୧ କୋଟି ୯୦ ଲକ୍ଷ ପ୍ୟାକେଜରେ ପୋତେଇ କାର୍ଯ୍ୟ କରାଯାଇଥିଲା । ଏବେ କେନାଲର ଦକ୍ଷିଣ ପାର୍ଶ୍ୱରେ ମାଟି ପକାଇ ପ୍ରଶସ୍ତୀକରଣ କାମ କରି ବିଭାଗକୁ ମାପ ଦେଖାଇବା ପାଇଁ ଠିକାଦାର ଏଭଳି ମନମୁଖି କାର୍ଯ୍ୟ କରୁଛନ୍ତି । ବର୍ଷାଋତୁ ଚାଲିଥିବାରୁ ଏଠାରେ ପଡ଼ିଥିବା ପଙ୍କମାଟିଗୁଡ଼ିକ କେନାଲ ମଧ୍ୟକୁ ପଶିଯାଉଛି ଫଳରେ ଏହାର ମୂଳ ଶଯ୍ୟା ପୋତି ହୋଇଯାଉଛି । ଶଯ୍ୟା ପୋତି ହୋଇଗଲା ପରେ କେନାଲରେ ପ୍ରବାହିତ ଜଳ ଶେଷ ମୁଣ୍ଡରେ ପହଁଚିତ୍ପାରିବ ନାହିଁ, ଯଦ୍ଦ୍ୱାରା କେନାଲ ଜଳ ପ୍ରବାହରେ ବାଧା ଉପୁଜିବ । ହଜାରହଜାର ହେକ୍ଟର ଚାଷଜମି ଜଳସେଚନ ସୁବିଧାରୁ ବଂଚିତ ହେବ । ଏନେଇ ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିବା ସହିତ ଜଳ ସମ୍ପଦ ବିଭାଗକୁ ଜଣାଇଛନ୍ତି । ତୁରନ୍ତ ଠିକାଦାରଙ୍କୁ ଏହି କାର୍ଯ୍ୟରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସେମାନେ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଏନେଇ ପୂର୍ବରୁ ସୂଚନା ପାଇ ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ । ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାଟି ନ ପକାଇ କେବଳ କେନାଲ ପାର୍ଶ୍ୱ ରାସ୍ତା ସମାନ କରିବା ପାଇଁ କହିଥିଲେ । ଏବେ ସୂଚନା ମିଳୁଛି ଯେ କେନାଲ ପାର୍ଶ୍ୱ ୬ରୁ ୮ଫୁଟ ମାଟି ପଡୁଛି । ତେଣୁ ଖୁବ୍ଶୀଘ୍ର ଜଳ ସମ୍ପଦ ବିଭାଗ ତରଫରୁ କ୍ଷେତ୍ର ପରିଦର୍ଶନ କରାଯିବ ।