
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର-ଶାସନ ନୋଡାଲ ଉଚ୍ଚବିଦ୍ୟାଳୟର ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନୈତିକ ମୂଲ୍ୟବୋଧ ସୃଷ୍ଟି କରିବା ପାଇଁ ଗୀତା ଆଧାରିତ ନୈତିକ ଶିକ୍ଷା ଓ ସଚେତନତା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ପ୍ରଧାନଶିକ୍ଷୟତ୍ରୀ ଭାର୍ଗବୀ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ମୋ ସ୍କୁଲ ଅଭିଯାନ କମିଟି ଅଧକ୍ଷ ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡା,ଉପାଧ୍ୟକ୍ଷ ପ୍ରେମାନନ୍ଦ ପଣ୍ଡା,ସଂଯୋଜକ ତପନ କୁମାର ରାୟ ପ୍ରମୁଖ ଯୋଗ ଦେଇ ନୈତିକ ମୂଲ୍ୟବୋଧ ବିକାଶ ପାଇଁ ଛାତ୍ରଛାତ୍ରୀଙ୍କୁ ଗୀତା ଅଧ୍ୟୟନ କରିବା ସହିତ ନିଜ ନିଜ ମଧ୍ୟରେ ସଂସ୍କାର ଓ ସଦାଚାର ଭାବ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ସ୍କୁଲର ବିକାଶ ପାଇଁ ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଇ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତା ପୁସ୍ତକ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିମପୁର -ଶାସନ ନୋଡାଲ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।











