
ଶିକ୍ଷା ହେଉଛି ବିକାଶ ଓ ସାମାଜିକ ପରିବର୍ତନର ମାର୍ଗଦର୍ଶକ ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର କଲେଜର ୪୩ତମ ପ୍ରତିଷ୍ଠା ଦିବସ ଓ ପ୍ରତିଷ୍ଠାତା ସ୍ୱର୍ଗତ ବୈକୁଣ୍ଠ ପ୍ରଧାନଙ୍କ ପ୍ରତିମର୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । କଲେଜ ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଯୋଗ ଦେଇ ବିଧାୟକ ଶ୍ରୀସାହୁ କହିଲେ ଯେ ଉତମ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନକୁ ଗଢିବା ସହିତ ଅଂଚଳର ବିକାଶ ଓ ସାମାଜିକ ପରିବର୍ତନ ଆଣିବାରେ ସହାୟକ ହୋଇଥାଏ । ଗୁଣାତ୍ମକ ଶିକ୍ଷାର ପ୍ରସାର ଦିଗରେ ସମସ୍ତେ ଆଗେଇ ଆସିବାକୁ ପରାମର୍ଶ ଦେବା ସହିତ ଭିତିିଭୂମି ବିକାଶ ପାଇଁ ବିଧାୟକ ପାଣ୍ଠି ଅନୁଦାନ ଓ ୫ଟି ରୂପାନ୍ତରକରଣରେ କଲେଜ ପାଇଥିବା ୧କୋଟି ଟଙ୍କା ସରକାରୀ ଅନୁଦାନର ସଦବିନିଯୋଗ କରି କଲେଜ ବିକାଶକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ , ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା କଲେଜ ପରିଚାଳନା କମିଟିର ପୂର୍ବତନ ସଦସ୍ୟ ବଳରାମ ସିଂହ, ସମାଜସେବୀ ଶିବ ପ୍ରସାଦ ସାମନ୍ତରାୟ, ରମେଶ ଚନ୍ଦ୍ର ରାଉତରାୟ, ରବୀନ୍ଦ୍ର ପାତ୍ର, ସର୍ବେଶ୍ୱର ମହାନ୍ତି ଓ ଅନ୍ତର୍ଯ୍ୟାମୀ ପରିଡା, ସୁଦର୍ଶନ ଭୂୟାଁ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ କଲେଜର ଇତିହାସ ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ଏଇ ଅବସରରେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ କଲେଜ ପ୍ରତିଷ୍ଠାତା ସ୍ୱର୍ଗତ ବୈକୁଣ୍ଠ ପ୍ରଧାନ ପୂର୍ଣ୍ଣ ଅବୟବ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ ମହାପାତ୍ର ସ୍ୱାଗତଭାଷଣ, ଇତିହାସ ବିଭାଗ ମୁଖ୍ୟଅଧ୍ୟାପକ ଅରୁଣ କୁମାର ଦାସ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସମାଜବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଧନ୍ୟବାଦ ଦେଇଥିଲେ ।











