ଇସିଆଇ ଟିମ୍ ଗସ୍ତକୁ ନେଇ ବଢ଼ିଲା ଆଗୁଆ ନିର୍ବାଚନ ଚର୍ଚ୍ଚା



ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଏକ ଟିମ୍ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଆସନ୍ତା ସେପ୍େଟମ୍ବର ୧୩ରେ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗୁଆ ନିର୍ବାଚନ ନେଇ ଭବିଷ୍ୟବାଣୀ କରିବା ପରେ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି । ତେବେ ନିର୍ବାଚନ କମିଶନ ଟିମ୍‌ଙ୍କ ଗସ୍ତ ସହିତ ଆଗୁଆ ନିର୍ବାଚନର କୌଣସି ସମ୍ପର୍କ ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ପୂର୍ବରୁ ସଙ୍କେତ ଦେଇସାରିଛନ୍ତି । ଇସିଆଇଙ୍କ ଟିମ୍ ସେପ୍େଟମ୍ବର ୧୩ରେ ଜିଲାପାଳମାନଙ୍କ ସହ ଆଲୋଚନା କରିବେ । ଆସନ୍ତା ଅକ୍ଟୋବରରେ ଇଭିଏମ୍ ଓ ଭିଭିପାଟ୍‌ଗୁଡ଼ିକ ଯାଂଚ କରାଯିବ । ନଭେମ୍ବର ୧୫ ସୁଦ୍ଧା ଏହି ପ୍ରକ୍ରିିୟା ଶେଷ ହେବ । ତେବେ ଇସିଆଇ ଟିମ୍‌ଙ୍କ ଓଡ଼ିଶା ଗସ୍ତ ସହିତ ଆଗୁଆ ନିର୍ବାଚନର କୌଣସି ସମ୍ପର୍କ ନାହିଁ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଉଭୟ ବିଧାନସଭା ଓ ଲୋକ ସଭା ନିର୍ବାଚନ ହେବ ବୋଲି ସିଇଓ କହିଛନ୍ତି । ଚଳିତ ବର୍ଷ ଶେଷ ଆଡ଼କୁ ଅନ୍ୟ ୫ ରାଜ୍ୟ ସହ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନ ହେବ ବୋଲି ବିଜେପି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସମୟରେ ପୂର୍ବାନୁମାନ କରାଯାଇ ଆସୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ହେଉଥିବା କଥା ପୂର୍ବରୁ ଅନେକ ଥର ଗଣମାଧ୍ୟମକୁ କହିଛନ୍ତି । ତେବେ ଆଗୁଆ ନିର୍ବାଚନ ନେଇ ବିଜେଡି ପକ୍ଷରୁ କୌଣସି ଆକଳନ କରାଯାଇ ନ ଥିବା ଦଳ ପକ୍ଷରୁ କୁହାଯାଇଛି । ଯଦି ଆଗୁଆ ନିର୍ବାଚନ ନେଇ କେନ୍ଦ୍ରରୁ ସଙ୍କେତ ମିଳିବ ସେ ନେଇ ଦଳ ପ୍ରସ୍ତୁତ ରହିଛି ବୋଲି ବିଜେଡି ନେତା କହୁଛନ୍ତି । ୨୦୦୪ରେ ଆଗୁଆ ନିର୍ବାଚନ କରାଯାଇଥିଲା । ଏହା ପରଠାରୁ କେବେ ଆଗୁଆ ନିର୍ବାଚନ ହୋଇ ନାହିଁ । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରି ସାରିଲେଣି । ନିର୍ବାଚନ ଯେତେବେଳେ ବି ହେଉ ରାଜ୍ୟବାସୀଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ ରହିଛି । ଏଥିପାଇଁ ଭୟ କରିବାର କିଛି ନାହିଁ ବୋଲି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଆଗୁଆ ନିର୍ବାଚନ ପାଇଁ ଦଳ ସବୁବେଳେ ପ୍ରସ୍ତୁତ ରହିଛି । ରାଜ୍ୟବାସୀ ଜାଣି ସାରିଛନ୍ତି ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସେହିପରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ନିର୍ବାଚନ ଯେତେବେଳେ ହେଲେ ବି ଦଳ ପ୍ରସ୍ତୁତରେ ରହିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପୃଥକ୍ ଭାବେ କରାଗଲେ ନିର୍ବାଚନ ଖର୍ଚ୍ଚ ଦୁଇଗୁଣା ବଢ଼ିଯିବ । ରାଜ୍ୟର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ବର୍ଷ ଜୁନ୍ ମାସ ପୂର୍ବରୁ ବିଧାନସଭା ନିର୍ବାଚନ ଶେଷ ହେବ ବୋଲି ସେ କହିଛନ୍ତି ।


Next Post

ବାଇପାସ ପାଲଟିଛି ବସ୍‌ଷ୍ଟାଣ୍ଡ, ମୌଳିକ ସୁବିଧାରୁ ବଂଚିତ ପୌରାଂଚଳ ବାସୀ

Wed Aug 30 , 2023
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଗୁରୁବାର ୩୫ ତମ ସ୍ୱାୟତ ଶାସନ ଦିବସ ପାଳନ କରିବ । ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଗତ ୩ ଦିନ ପୁର୍ବରୁ ବିଧାୟକ, ପୌର ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ମାତ୍ର ଦୀର୍ଘ ବର୍ଷ ଧରି ବସ୍‌ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଂଚଳବାସୀ ଦାବି କରି ଆସୁଥିଲେ […]

You May Like