ଗାଁକୁ ଆସୁନାହାଁନ୍ତି ଗ୍ରାମ୍ୟ କୃଷି କର୍ମଚାରୀ


ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଏହା କେତେମାତ୍ରାରେ କାର୍ଯ୍ୟକାରୀ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚାଷୀଙ୍କ ଉନ୍ନତି ପାଇଁ ସରକାରୀ ତହବିଲରୁ ବହୁ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୃଷକଙ୍କ ସମସ୍ୟାର କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଏହାର ଉଦାହରଣ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଦେଖିବାକୁ ମିଳିଛି । ଏଠାରେ କୃଷି କାର୍ଯ୍ୟାଳୟ ତଥା କୃଷି ପରାମର୍ଶ କେନ୍ଦ୍ର ପକ୍ଷରୁ ପଂଚାୟତସ୍ତରରେ ଚାଷୀମାନଙ୍କୁ ଚାଷ ସମ୍ଭନ୍ଧୀୟ ସୂଚନା ପ୍ରଦାନ ପାଇଁ ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲ୍ୟୁ)ଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ ବହୁ ସମୟରେ ସେମାନଙ୍କ ଦେଖା ମିଳୁ ନ ଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । କୃଷି ସମ୍ବନ୍ଧୀୟ କୌଣସି ତଥ୍ୟ କିମ୍ବା ପରାମର୍ଶ ଜାଣିବାକୁ ଚାହିଁଲେ ସେମାନଙ୍କୁ ପାଇବା କଷ୍ଟକର ବ୍ୟାପାର ବୋଲି ଅନେକ ଚାଷୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ କୃଷି କାର୍ଯ୍ୟାଳୟ ଅଧିନ ୩୧ ପଂଚାୟତ ପାଇଁ ମାତ୍ର ୫ଜଣ ଭିଏଡବ୍ଲ୍ୟୁ ଅଛନ୍ତି । ଜଣେ ଭିଏଡବ୍ଲ୍ୟୁ ଅଧୀନରେ ୬ରୁ ଉର୍ଦ୍ଧ୍ୱ ପଂଚାୟତର ଦାୟିତ୍ୱ ରହିଛି । ସମ୍ପୃକ୍ତ କର୍ମଚାରୀମାନଙ୍କୁ ଫୋନ କଲେ ଉଠାଉ ନାହାନ୍ତି । ଯଦି କେହି ଫୋନ ଧରିଲେ ତାହେଲେ ଫିଲଡ଼ରେ ଥିବା କହି କାଟିଦେଉଛନ୍ତି । ଏଭଳି ପରିସ୍ଥିତିରେ ଚାଷୀ ନିଜ ସମସ୍ୟାର ସମାଧାନ ପାଇଁ ଡହଲବିକଳ ହେଉଛନ୍ତି । ଏହି କାର୍ଯ୍ୟରେ ଖିଲାପ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୃଷକ ନେତା ବିଜୟ ଦାସ, ଚାଷୀ ସୁରେନ୍ଦ୍ର ପରିଡା, ରଞିତ ପ୍ରଧାନ, ସୁସାନ୍ତ ସାମଲ, ଅଜୟ ନାୟକ,ବିଗ୍ନେଶ୍ୱର ପ୍ରଧାନ, ନରେନ୍ଦ୍ର ଧଳ ପ୍ରମୁଖ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକଙ୍କୁ ପଚାରିବାରେ ଆବଶ୍ୟକ ମୁତାବକ କର୍ମଚାରୀଙ୍କ ଅଭାବ ତଥା ଜଣେ ଭିଏଡବ୍ଲ୍ୟୁଙ୍କ ଅଧୀନରେ ୬ରୁ ଅଧିକ ପଂଚାୟତ ରହୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଟା କରାଯିବ ।


Discover more from

Subscribe now to keep reading and get access to the full archive.

Continue reading