୧୫ ବର୍ଷର ଗାଡ଼ିକୁ ରାସ୍ତାରୁ ହଟାଇବାକୁ ନିଷ୍ପତି, ଟ୍ରେକରରେ ଯାତ୍ରୀ ପରିବହନ, କାର୍ଯ୍ୟାନୁଷ୍ଠାନ ଶୂନ



ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାକୁ ସରକାର ନିଷ୍ପତି ନେଇଛନ୍ତି । ତେଣୁ ରାଜ୍ୟରେ ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରାଯିବ । ଏଥିନେଇ ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାରେ ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା ରହିଛି । ମାତ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ବହୁ ପୁରୁଣା ଟ୍ରେକର ଯାତ୍ରୀ ପରିବହନ ହେଉଛି । ରାସ୍ତାରେ ଗଡୁଥିବା ଟ୍ରେକର ଗୁଡ଼ିକ ବିନା କାଗଜପତ୍ରରେ ଚାଲୁଥିବା ଅଭିଯୋଗ ହେଉଛି । ଟ୍ରେକରରେ ଯାତାୟତ କରୁଥିବା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ । ଗାଡ଼ିଗୁଡିକ ବେଆଇନ ଭାବେ ଯାତାୟତ କରୁଥିବାରୁ ସରକାରୀ ତହବିଲକୁ କର ଆକାରରେ ଟଙ୍କାଟିଏ ମଧ୍ୟ ଆସିପାରୁନାହିଁ । ଏ ସବୁ ଘଟଣା ସ୍ପଷ୍ଟ ଦିବାଲୋକରେ ଚାଲୁଥିଲେ ସୁଦ୍ଧା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ରାଜ୍ୟ ସଡ଼କ ପରିବହନ ବିଭାଗର ଅଧିକାରୀମାନେ ସବୁଜାଣି ଚୁପ୍ ରହୁଥିବା ଦେଖାଯାଉଛି । ଅଧିକାରୀମାନଙ୍କ ନୀରବତା ଯୋଗୁ ଟ୍ରେକର ମାଲିକ ଓ ଚାଳକମାନେ ବେଧଡ଼କ ଭାବେ ଟ୍ରେକରରେ ବିପଦପୂର୍ଣ୍ଣ ଭାବେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ଲକ୍ଷ୍ୟ କରାଯାଉଛି ।ପଟ୍ଟାମୁଣ୍ଡାଇ ସହରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି ଡ. ଆମ୍ବେଦକର ଛକରେ ଏକ ଷ୍ଟାଣ୍ଡ ରହିଛି । ବିଗତ ବର୍ଷଗୁଡ଼ିକରେ ଅଣ୍ଢରା, କାଇପଡ଼ା, ଆଳି, ରାଜନଗର ଆଦି ସ୍ଥାନକୁ ଯାତାୟତ କରିବାକୁ ଯାତ୍ରୀମାନେ ଛୋଟଛୋଟ ଗାଡ଼ିଗୁଡ଼ିକ ଉପରେ ନିର୍ଭର କରୁଥିଲେ । ବିଶେଷକରି ଟ୍ରେକର ଗୁଡ଼ିକ ଯାତ୍ରୀ ପରିବହନ କରିବାରେ ବ୍ୟବହାର ହେଉଥିଲା । ସମୟ ବଦଳିବା ସହ ଏହି ଗାଡ଼ିଗୁଡ଼ିକର ଆବଶ୍ୟକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟ୍ରେକରଗୁଡ଼ିକର ନିର୍ମାଣକାରୀ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଏହାର ଯନ୍ତ୍ରାଂଶ ବଜାରରେ ଉପଲବ୍ଧ ହେଉନାହିଁ । ଫଳରେ ମାଲିକମାନେ କବାଡ଼ିଆ ଦୋକାନରୁ ପୁରୁଣା ଓ ଅନ୍ୟ କମ୍ପାନୀର ଯନ୍ତ୍ରାଂଶ ଲଗାଇ ଗାଡ଼ି ମରାମତି କରି କାମ ଚଳାଉଛନ୍ତି । ଏସବୁ ମରାମତି କାର୍ଯ୍ୟକୁ ମୋଟର ଭେଇକିଲ ଇନପେକ୍ଟରଙ୍କ ଅନୁମତି ମିଳୁନାହିଁ । ଫଳରେ ପରିବହନ ବିଭାଗ ପକ୍ଷରୁ ରାସ୍ତାରେ ଗାଡ଼ି ଚଳାଇବା ପାଇଁ ଅନୁମତି ମଧ୍ୟ ଦିଆଯାଉନାହିଁ । ଏହାଛଡ଼ା ଗାଡିର ଦୁଇପାର୍ଶ୍ୱ ଖୋଲା ରହୁଛି । ଯାହାକି ଯାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗାଡ଼ିଗୁଡିକୁ ରାସ୍ତାରେ ଚାଲିବା ଅନୁମତି ମିଳୁ ନ ଥିବାରୁ ମାଲିକମାନେ ଦୀର୍ଘଦିନ ହେବ ରାସ୍ତାକର, ଇସ୍ନୁରାନ୍ସ, ଜିଏସ୍‌ଟି ଆଦି ସରକାରଙ୍କୁ ପ୍ରଦାନ କରୁନାହାନ୍ତି । ୨୦୧୫-୧୬ରେ ସରକାର ଟ୍ରେକରଗୁଡ଼ିକୁ ଅନୁମତି ନ ଦେବା ପାଇଁ ପରିବହନ ବିଭାଗକୁ ଜଣାଇ ଥିଲେ । ବାରଣ ସତ୍ୱେ ବି ଟ୍ରେକରଗୁଡିକ ରାସ୍ତାରେ ଗଡୁଛି । ଅଧିକାଂଶ ଟ୍ରେକର ପଟ୍ଟାମୁଣ୍ଡାଇରୁ କେନ୍ଦ୍ରାପଡ଼ା, ରାଜନଗର, ଆଳି ଆଦି ଅଂଚଳକୁ ଗମନାଗମନ କରୁଛି । ଯାତ୍ରୀମାନେ ଟ୍ରେକର ପଛରେ ଓହଳି ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିନାହିଁ, ସେ ଘଟଣାସ୍ଥଳ ପରିଦର୍ଶନ ଯିବେ । ବାସ୍ତବ ସ୍ଥିତି ପରଖିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading