
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନକୁ ଆଜି ସପ୍ତାହେ ପୁରିଛି । ଆନ୍ଦୋଳନକାରୀମାନେ ପ୍ରଶାସନ ସହ ଏକ ବଡ ଧରଣର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସରକାରଙ୍କ ପକ୍ଷରୁ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ସତେ ଯେପରି କେନ୍ଦ୍ରାପଡା ଜିଲ୍ଲାର ବିକାଶ ପ୍ରସଙ୍ଗରେ ସରକାର ନିଦାବିଷ୍ଣୁ ପାଲଟି ଯାଇଛନ୍ତି । ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଆନ୍ଦୋଳନ ଚଳାଇଥିବା କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କରିସାରିବା ପରେ ଚଳନ୍ତି ମୁଖ୍ୟମନ୍ତ୍ରୀ କୁହାଯାଉଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କାଳରେ ତାଙ୍କୁ ମଧ୍ୟ ଦାବିପତ୍ର ମାଧ୍ୟମରେ ଅନୁରୋଧ କରାଯାଇଥିଲା । ମାତ୍ର ସମସ୍ତ ଆବେଦନ ନିବେଦନ ବୃଥା ଯିବା ପରେ ଆନ୍ଦୋଳନକୁ ଓହ୍ଲାଇଥିବା କ୍ରିୟାନୁଷ୍ଠାନ କମିଟି ଗତ ସପ୍ତାହରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରତୀକ ଧାରଣା ଚଳାଇ ରଖିଥିବା ବେଳେ ଆସନ୍ତା ୨୩ତାରିଖରେ ଅର୍ଥନୈତିକ ଅବରୋଧ କରି ରାଜ୍ୟ ସରକାରଙ୍କ ସହ ଏକ ବଡ ଧରଣର ମୁକାବିଲା ନିମନ୍ତେ ପ୍ରସ୍ତୁତି ଚଳାଇ ରଖିଛି । ଏହା ମଧ୍ୟରେ ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କୁ ଆନ୍ଦୋଳନ ସହ ସଂପୃକ୍ତ କରିବା ନିମନ୍ତେ ଚଳାଇଥିବା ଉଦ୍ୟମର ଫଳ ସ୍ୱରୂପ ଆଜି ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ସଂଗଠନର ଜିଲ୍ଲା ସଭାପତି ନାରାୟନ ପରିଡା ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ରହି ଦାବି ହାସଲ ପର୍ଯ୍ୟନ୍ତ ତାଙ୍କ ସଂଗଠନ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । କ୍ରିୟାନୁଷ୍ଠାନ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱ ଓ ମୁକ୍ତାର ଖାଁଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ପ୍ରତିବାଦ ସଭାରେ ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଫକୀର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ଭରତ ଚନ୍ଦ୍ର ସାହୁ, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଶ୍ରୀଧର ମହାନ୍ତି, ଭାଗୀରଥି ଜେନା, ଅମୀୟ ନାୟକ, କୁଳମଣୀ ନାୟକ, ସୋହାନା ବିବି, ମୈନା ବିବି ପ୍ରମୁଖ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ସରକାରଙ୍କ ନିଦ୍ରା ଭଙ୍ଗ କରିବା ପାଇଁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ ।











